ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ ପ୍ରସଙ୍ଗ: ୧୪ ଜଣିଆ ବିଶେଷଜ୍ଞ କମିଟି ଗଠିତ

୧୦ ଦିନ ମଧ୍ୟରେ ଦେବ ରିପୋର୍ଟ, ପରୀକ୍ଷା ବାତିଲ୍‌ ନେଇ ପରିଷଦର ବିଜ୍ଞପ୍ତି

ଭୁବନେଶ୍ବର : ଯୁକ୍ତ୨ ପରୀକ୍ଷା ବାତିଲ୍‌ ପରେ ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ୧୪ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। କମିଟିରେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭାପତି ସୁଶାନ୍ତ କୁମାର ଦାସ, ଏସ୍‌ସିଏସ୍‌ଟିଆରଟିଆଇ ଏକାଡେମିକ୍‌ ମନିଟରିଂ ସେଲ୍‌ର ସୁବାସ ଚନ୍ଦ୍ର ଦାସ, ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ସମ୍ବିତ୍‌ କୁମାର ନାୟକ, ପରିଷଦର ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଏକାଡେମିକ୍‌ କନ୍‌ସ୍‌ଲଟାଣ୍ଟ ମିହିର କୁମାର ଦାସ, ପ୍ରଦୀପ କୁମାର ବେହେରା, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ବନମାଳୀ ପଣ୍ଡା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନି‌ର୍ଦ୍ଦେଶକ ଭାଗୀରଥି କାଣ୍ଡି, ବିଜେବି ଯୁକ୍ତ୨ କଲେଜ ଅଧ୍ୟକ୍ଷ ରଞ୍ଜନ କୁମାର ବଳ, ରମାଦେବୀ ଯୁକ୍ତ୨ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମମତା ପତ୍ରୀ, ଏକାମ୍ର କଲେଜ ଅଧ୍ୟକ୍ଷ ପରୀକ୍ଷିତ ଦାଶ, ରମାଦେବୀ ଯୁକ୍ତ୨ ମହିଳା ମହାବିଦ୍ୟାଳୟ ଧନ୍ଦାମୂଳକ ବିଭାଗର କନିଷ୍ଠ ‌ଅଧ୍ୟାପିକା ରଞ୍ଜିତା ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ଉପପରୀକ୍ଷା ନିୟନ୍ତ୍ରକ ଶୁଭ୍ରାଂଶୁ କୁମାର ବେହେରା ସଦସ୍ୟ ରହିଛନ୍ତି। ଏହି କମିଟି ଆସନ୍ତା ୧୦ ଦିନ ମଧ୍ୟରେ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରି ପରିଷଦ ନିକଟରେ ଦାଖଲ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି‌ରେ କୁହାଯାଇଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ କମିଟିର ନିର୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରି ପରିଷଦକୁ ରିପୋର୍ଟ ଦେବ। ସିବିଏସଇ କେଉଁ ପଦ୍ଧତି ଆପଣାଉଛି, ତାହାକୁ ମଧ୍ୟ କମିଟି ଅନୁଧ୍ୟାନ କରିବ। ଏହା ପରେ ଯାଇ ନିଷ୍ପତ୍ତି ହେବ ଯେ କେଉଁ ଆଧାରରେ ମାର୍କ ଦିଆଯିବ ଏବଂ ଫଳ ପ୍ରକାଶ କରାଯିବ। ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଯେଉଁ ସମୟରେ ବାହାରିବ, ଆମେ ମଧ୍ୟ ସେହି ସମୟରେ ପ୍ରକାଶ କରିବାକୁ ଚେଷ୍ଟା କରିବୁ। ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।
ଅନ୍ୟପକ୍ଷରେ ପରୀକ୍ଷା ବାତିଲ୍‌ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ ୨୦୨୧ରେ ପରୀକ୍ଷା ଦେବାକୁ ଥିବା ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ୍‌ କରାଗଲା। ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ପରିଷଦ ଦ୍ବାରା ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବ। ଯଦି କୌଣସି ଛାତ୍ରଛାତ୍ରୀ ମୂଲ୍ୟାୟନରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଚାହିଲେ ପରୀକ୍ଷା ଦେଇପାରିବେ। କରୋନା ପରିସ୍ଥିତିର ସମୀକ୍ଷା କରାଯାଇ ପରୀକ୍ଷା କେବେ କରାଯିବ, ତାହା ପରିଷଦ ସ୍ଥିର କରିବ।

ସମ୍ବନ୍ଧିତ ଖବର