ବାରିପଦା/ବଡ଼ସାହି: ନିୟମକୁ ଦଳିମକଚି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀଘାଟରୁ ଆଖିବୁଜା ବାଲି ଉତ୍ତୋଳନ କରାଯିବା ଫଳରେ ଗଲା ୨ ବର୍ଷ ମଧ୍ୟରେ ସରକାରଙ୍କର ଶହେ କୋଟିରୁ ଅଧିକ ଟଙ୍କାର ରାଜସ୍ବ କ୍ଷତି ହୋଇଛି। କେବଳ ସେତିକି ନୁହେଁ, ନଦୀର ଜଳସ୍ରୋତ ଓ ଗତିପଥ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)କୁ ଏହି ମାମଲା ଯିବାପରେ ଏକ ୪ ଜଣିଆ କମିଟି ଆଜି ଏହାର ତଦନ୍ତ କରିଛନ୍ତି। ଘର ଆଗରେ ଟ୍ରିପ୍ ଟ୍ରିପ୍ ବାଲି ମହଜୁଦ ଥିବା ଦେଖି କମିଟି ତାଜୁବ୍ ହୋଇ ଯାଇଛି।
ରାଜ୍ୟ ପରିବେଶ ଇମ୍ପାକ୍ଟ ଅଥରିଟିର ବରିଷ୍ଠ ବୈଜ୍ଞାନିକ ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ବରେ ଜିଲ୍ଲା ଖଣି ଅଧିକାରୀ ସୁରେନ୍ଦ୍ରନାଥ ସିଙ୍କୁ, ବାଲେଶ୍ବର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ମିତ୍ରସେନ ମାଝୀ, ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପ୍ରତିନିଧି ତଥା ସୁବର୍ଣ୍ଣରେଖା ପ୍ରକଳ୍ପ ଜମି ଅଧିଗ୍ରହଣ ଅଧିକାରୀ ରାମଚନ୍ଦ୍ର ସୋରେନ୍ ବୁଧବାର ପୂର୍ବାହ୍ନ ୮ଟାରେ ବେତନଟୀ ତହସିଲ ଅନ୍ତର୍ଗତ ଏକ ବାଲି ଷ୍ଟକ୍ ପଏଣ୍ଟକୁ ଯାଇଥିଲେ। ପରେ ବଡ଼ସାହି ତହସିଲ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ଘାଟକୁ ଯାଇ ତନାଘନା କରିବା ସହ ନିକଟସ୍ଥ ବର୍ତ୍ତନା ଓ ଯୋଗିନୂଆଗାଁ ଗ୍ରାମକୁ ଯାଇ ଲୋକମାନଙ୍କୁ ବାଲି ଚାଲାଣ ସମ୍ପର୍କରେ ପଚରାଉଚରା କରିଥିଲେ। ତେବେ ଏହି ଦୁଇ ଗାଁ ସମେତ ଆଖପାଖ ଗ୍ରାମର ପ୍ରତି ଘର ଆଗରେ ଟ୍ରିପ୍ ଟ୍ରିପ୍ ବାଲି ମହଜୁଦ ଥିବା ଦେଖି କମିଟି ତାଜୁବ୍ ହୋଇ ଯାଇଥିଲା।
ପରିବେଶ ନିୟମର ଖୋଲା ଉଲ୍ଲଂଘନ ଓ ବାଲି ଖାଦାନର ଅବଧି ଶେଷ ହେବାପରେ ମଧ୍ୟ କେମିତି ବାଲି ଉତ୍ତୋଳନ ହୋଇ ଚାଲାଣ କରାଯାଉଛି, ତା’ର ଆଭାସ ପାଇଥିଲା କମିଟି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ କମିଟିର ମୁଖ୍ୟ ଶ୍ରୀ ନାୟକ ପଚାରିଥିଲେ, ମାଡାମ୍ ଆପଣ କେବେ ଏହି ବାଲିଘାଟକୁ ଆସିଛନ୍ତି କି? ହେଲେ ତହସିଲଦାର କୌଣସି ଉତ୍ତର ଦେଇ ନ ପାରି ଥତମତ ହୋଇଥିଲେ। କମିଟି ସକାଳୁ ଅପରାହ୍ନ ୩ଟା ଯାଏ ଏକାଧିକ ବାଲିଘାଟ ବୁଲିବା ସହ ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ବେତନଟୀ ଏସ୍ଡିପିଓଙ୍କ ତତ୍ତ୍ବାବଧାନରେ ପୁଲିସ ଫୋର୍ସ କମିଟି ସହ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/27-4.jpg)