ପଶ୍ଚିମ, ଦକ୍ଷିଣ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ : ଗଠନ ହେଲା ବିଶେଷଜ୍ଞ କମିଟି

ସମ୍ବଲପୁର : ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ୫ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିସହିତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଚାଲିଥିବା ଆନ୍ଦୋଳନ ସଫଳତା ଆଡ଼କୁ ଯାଇଛି। ଅନ୍ୟଦିଗରେ ୧୧ ତାରିଖରୁ ଟ୍ରେଜେରି ଅଚଳ କରିବା ନେଇ ସିଏସିର ନିଷ୍ପତ୍ତି କୋହଳ ହେବାର ସମ୍ଭାବନା ରହିଛି। ସ୍ବତନ୍ତ୍ର ସଚିବଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟିରେ ବିତ୍ତ ବିଭାଗ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଆଇନ ବିଭାଗର ମୁଖ୍ୟ ସଚିବମାନେ ସଦସ୍ୟ ଥିବାବେଳେ ଗୃହ(ହାଇକୋର୍ଟ)ର ସ୍ବତନ୍ତ୍ର ସଚିବ ଆବାହକ ରହିବେ। ସିଏସି ସଦସ୍ୟ ସୁରେଶ୍ବର ମିଶ୍ର କହିଛନ୍ତି, ବିଳମ୍ବରେ ହେଲେ ସୁଦ୍ଧା ରାଜ୍ୟ ସରକାର ଏହି ଦାବି ପୂରଣ କରିଛନ୍ତି। ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଯେଉଁ ଦ୍ବନ୍ଦ୍ବ ରହିଛି, ଏହା ଦୂର ହେବ। ୬ ତାରିଖରେ ସୁନ୍ଦରଗଡ଼ରେ ଆୟୋଜିତ ସିଏସି ବୈଠକରେ ହାଇକୋର୍ଟ ବେଞ୍ଚ ନେଇ ଯଥାଶିଘ୍ର ଆନ୍ତଃବିଭାଗୀୟ କମିଟି ଗଠନ ନହେଲେ ୧୧ ତାରିଖରୁ ଟେଜେରି ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଦାବିକୁ ରାଜ୍ୟ ସରକାର ପୂରଣ କରିଥିବାରୁ ବର୍ତ୍ତମାନ ଖୁବ ଶିଘ୍ର ସିଏସିର ସଦସ୍ୟମାନଙ୍କ ସହିତ ଆଲୋଚନା କରାଯାଇ ଆନ୍ଦୋଳନ କୋହଳ ନେଇ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ହାଇକୋର୍ଟ ବେଞ୍ଚ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ନୋ କୋର୍ଟ, ନୋ ହିୟରିଂ ନେଇ ଆନ୍ଦୋଳନ ବଳବତ୍ତର ରହିବ। ସମ୍ବଲପୁର ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି, ନିର୍ବାଚନ ଆଚରଣ ବିଧି ଖୁବ ଶିଘ୍ର ଲାଗୁ ହେବାକୁ ଯାଉଥିଲେ ସୁଦ୍ଧା ଏହି ବିଶେଷଜ୍ଞ କମିଟି ତାର ଦାୟିତ୍ବ ପୂରଣ କରିବାରେ କୌଣସି ସମସ୍ୟା ରହିବ ନାହିଁ। କମିଟି କେତେ ଶିଘ୍ର ଯାଇ କେନ୍ଦ୍ର ସରକାରଙ୍କ ସହ ହାଇକୋର୍ଟ ବେଞ୍ଚ ନେଇ ଆଲୋଚନା କରିବ ସେ ନେଇ ସମସ୍ତଙ୍କ ନଜର ରହିବ। ନିର୍ବାଚନ ଆଚରଣ ବିଧି ଲାଗୁ ପରେ ରାଜସ୍ବ ଅଦାଲତ ଖୋଲିବା ନେଇ ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ। ହାଇକୋର୍ଟ ବେଞ୍ଚ ଦାବି ନେଇ ସମ୍ବଲପୁରରେ ଚାଲିଥିବା ବିଚାର ବିଭାଗୀୟ କାର୍ଯ୍ୟବନ୍ଦ ଆନ୍ଦୋଳନ ୧୮୬ ଦିନରେ ଏବଂ ରିଲେ ଅନଶନ ୧୦୯ ଦିନରେ ପହଞ୍ଚିଛି।

ସମ୍ବନ୍ଧିତ ଖବର