ଜେଇଇ ମେନ୍‌, ନିଟ୍‌ ହେବା ନେଇ ଅନିଶ୍ଚିତତା : ସ୍ଥିତି ସମୀକ୍ଷା ଲାଗି କମିଟି ଗଠିତ

ଭୁବନେଶ୍ବର : ଆଇଆଇଟି ସମେତ ଦେଶରେ ଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମଲେଖା ପାଇଁ ଜୁନ୍‌ ୧୮ରୁ ୨୩ ମଧ୍ୟ‌ରେ ଜେଇଇ ମେନ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁଲାଇ ୨୬‌ରେ ‘ନିଟ୍‌’(ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ) କରାଯିବ। ଦେଶରେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ ଦୁଇ ପ୍ରବେଶିକା ପରୀକ୍ଷାରେ ଭାଗନେବେ। ଏଥିରେ ଓଡ଼ିଶାରେ ପାଖାପାଖି ୪୫ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କୋଭିଡ୍‌-୧୯ ସ୍ଥିତିକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଯେଉଁଥିପାଇଁ ଉକ୍ତ ଦୁଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକ ଭୟ କରୁଛନ୍ତି। ଏନେଇ ହଜାର ହଜାର ପରୀକ୍ଷାର୍ଥୀ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ସମେତ ଏନ୍‌ଟିଏ, ବିଭିନ୍ନ ରାଜ୍ୟ ସରକାରଙ୍କୁ ଟୁଇଟ୍‌ ଯୋଗେ ଜଣା‌ଇଛନ୍ତି। କୋଭିଡ୍‌-୧୯ ବ୍ୟାପୁଥିବାରୁ ପରୀକ୍ଷା ଘୁଞ୍ଚାଇବା ଲାଗି ସେମାନେ ଦାବି ଉଠାଇଛନ୍ତି।

ପରୀକ୍ଷା ଲାଗି ପାଠପଢ଼ା ଜାରି ରଖିଥିଲେ ମଧ୍ୟ ପରୀକ୍ଷା ହଲ୍‌କୁ ଯିବାକୁ ସେମାନଙ୍କ ମନରେ ଏବେ ଭୟ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ, ଓଡ଼ିଶା, ତାମିଲନାଡ଼ୁ ପ୍ରଭୃତି ‌ରାଜ୍ୟରେ କୋଭିଡ୍‌-୧୯ ମାମଲା ବଢ଼ୁଥିବାରୁ ସେଠାରେ ପିଲାମାନେ କିଭଳି ପରୀକ୍ଷା ଦେବେ ତାହାକୁ ନେଇ ଆଶଙ୍କା ଦେଖାଦେଇଛି। ଟ୍ରେନ୍‌ ସେବା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇନି। ଅଧିକାଂଶ ଜିଲ୍ଲାରେ ବସ୍‌, ଟ୍ୟାକ୍ସି ବି ଚଳାଚଳ କରୁନି। ଜୁଲାଇ ମାସରେ କୋଭିଡ୍‌-୧୯ସ୍ଥିତି ଭୟଙ୍କର ହେବ ବୋଲି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବି ଆକଳନ କରିସାରିଛନ୍ତି। ଏଭଳି ସମୟରେ ପରୀକ୍ଷା କରାଗଲେ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିବା ସମ୍ଭବପର ହେବ ନାହିଁ ବୋଲି ଯୁକ୍ତି ଉପସ୍ଥାପିତ କରାଯାଇଛି।

ତେବେ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ହେବା ପରେ ଜେଇଇ ମେନ୍‌, ନିଟ୍‌ ପରୀକ୍ଷା ‌ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଗତ ଏକ ସପ୍ତାହେ ହେଲା ଛାତ୍ରଛାତ୍ରୀ ସୋସିଆଲ୍‌ ମିଡିଆରେ ଦାବି ଉଠାଇବା ପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି କହିଛନ୍ତି ଯେ କୋଭିଡ୍‌-୧୯ ସ୍ଥିତି ନେଇ ସମୀକ୍ଷା କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ସେମାନେ କୋଭିଡ୍‌-୧୯ ସମୟରେ ପରୀକ୍ଷା କରାଯାଇପାରିବ କି ନାହିଁ ତାହା ଉପରେ ସମୀକ୍ଷା କରି ଶୁକ୍ରବାର ସୁଦ୍ଧା ‌ରିପୋର୍ଟ ଦେବେ। ଏହାପରେ ଧାର୍ଯ୍ୟ ତାରିଖରେ ପରୀକ୍ଷା ହେବ କି ନାହିଁ ସ୍ଥିର କରାଯିବ। ଏନ୍‌ଟିଏ ଅଧିକାରୀଙ୍କୁ ନେଇ ମଧ୍ୟ ଏକ କମିଟି ଗଠିତ ହୋଇଛି।

ସମ୍ବନ୍ଧିତ ଖବର