୬ଜଣିଆ କମିଟିରେ ଡିଏମ୍‌ଇଟି ରହିବେ ଅଧ୍ୟକ୍ଷ

ନର୍ସିଂ ଶିକ୍ଷାର ସୁଦୃଢ଼ୀକରଣ ପାଇଁ ଓଭରସାଇଟ୍‌ କମିଟି ଗଠିତ

ଭୁବନେଶ୍ୱର : ରାଜ୍ୟରେ ନର୍ସିଂ ଶିକ୍ଷାର ସୁଦୃଢ଼ୀକରଣ, କ୍ୟାଡର ନିୟନ୍ତ୍ରଣ, କାଉନସେଲିଂ ଓ ଛାତ୍ରଛାତ୍ରୀଙ୍କ ଆଡମିସନ୍‌ ନେଇ ଏକ ରାଜ୍ୟସ୍ତରୀୟ ଓଭରସାଇଟ୍‌ କମିଟି ଗଠନ କରାଯାଇଛି। ଗଠିତ ହୋଇଥିବା ଏହି ୬ଜଣିଆ କମିଟିରେ ମେଡିକାଲ ଶିକ୍ଷା ଓ ତାଲିମର ନିର୍ଦେଶକ ଏଥିରେ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି। ସମୁଦାୟ ୧୬ଟି ଦିଗ ଉପରେ ଏହି କମିଟି କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

ରାଜ୍ୟରେ ଗୁଣାତ୍ମକ ନର୍ସିଂ ଶିକ୍ଷା ପାଇଁ ଏହି କମିଟି ଗଠନ କରାଯାଇଛି। ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ନର୍ସିଂ କର୍ମଚାରୀଙ୍କ କ୍ୟାଡର ରୁଲ୍‌ ପୁନର୍ଗଠନ, ଲୋକସଂଖ୍ୟା ଓ ନର୍ସିଂ କର୍ମଚାରୀଙ୍କ ମଧ୍ୟରେ ଧାର୍ଯ୍ୟ ସମନ୍ଵୟ ବଜାୟ ରଖିବା, ଠିକ୍‌ ସମୟରେ ନର୍ସିଂ ପରୀକ୍ଷା କରିବା ଓ ସାର୍ଟିଫିଟେକ୍‌ ଓ ପଞ୍ଜୀକରଣ କରିବା ଦିଗରେ ଏହା କାର୍ଯ୍ୟ କରିବ। ସେହିପରି ନର୍ସମାନଙ୍କ ଅନ୍ୟ ତାଲିମ୍‌ ଓ ଫେଲୋସିପ୍‌ କୋର୍ସ, ସ୍କୁଲ ଓ କଲେଜରେ ଗବେଷଣା ଯୋଗାଇଦେବା, ନର୍ସିଂ ସେବାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର କୋର୍ସ ଯୋଗାଇଦେବା ଓ ଅନ୍ୟାନ୍ୟ କ୍ଷେତ୍ରର ଉନ୍ନତି ଦିଗରେ ଏହି କମିଟି କାର୍ଯ୍ୟ କରିବ। ଆବଶ୍ୟକସ୍ଥଳେ ଏହି ଓଭରସାଇଟ୍‌ କମିଟି ଓଡ଼ିଶା ନର୍ସିଂ ଓ ମିଡଓ୍ଵାଇଫେରି ଏଜୁକେସନ୍‌ ବୋର୍ଡ କିମ୍ବା ଓଡ଼ିଶା ନର୍ସିଂ ଏଣ୍ଡ ମିଡଓ୍ଵାଇଫେରି ରେଜିଷ୍ଟ୍ରେସନ୍‌ କାଉନସିଲର ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରିପାରିବାର କ୍ଷମତା ପ୍ରଦାନ କରାଯାଇଛି। ଏହି କମିଟି ଅନ୍ୟ ସଦସ୍ୟମାନେ ହେଲେ ଏମ୍‌କେସିଜି ଏମ୍‌ସି କଲେଜ ଅଫ ନର୍ସିଂର ଅଧ୍ୟକ୍ଷ, ନର୍ସିଂ ନିର୍ଦେଶାଳୟର ଉପ-ନିର୍ଦେଶକ, ଏଏନ୍‌ଏମ୍‌ଟିସି/ଜିଏନ୍‌ଏମ୍‌ଟିସିର ବରିଷ୍ଠ ପ୍ରିନ୍ସିପାଲ ଟ୍ୟୁଟର, ଜଣେ ଷ୍ଟାଫ୍‌ ନର୍ସ ଓ ଯୁଗ୍ମ ଡିଏମ୍‌ଇଟି ରହିଛନ୍ତି।

ସମ୍ବନ୍ଧିତ ଖବର