ସଂସ୍କୃତି ବିଭାଗର ୪ ଏକାଡେମି କର୍ମକର୍ତ୍ତା ଚୟନ ପାଇଁ କମିଟି

ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି, ୮ ପଦବି ପାଇଁ ଆସିଛି ୨୨୭ ଆବେଦନ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଚାରିଟି ଏକାଡେମିର ବିଭିନ୍ନ ପଦବି ପାଇଁ ଚୟନ କମିଟି ଗଠନ କରିଛନ୍ତି ସରକାର। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୭ ଜଣ ସଦସ୍ୟ ଅଛନ୍ତି। ସଂସ୍କୃତି ବିଭାଗ ପକ୍ଷରୁ ପଠାଯାଇଥିବା ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି। ଚାରିଟି ଏକାଡେମିର ମୋଟ ୮ଟି ପଦବି ପାଇଁ ୨୨୭ ଜଣ ଆବେଦନ କରିଥିବା ଜଣାପଡ଼ିଛି।

ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଓ ନିର୍ଦ୍ଦେଶକଙ୍କ ସମେତ ଅବସରପ୍ରାପ୍ତ ପ୍ରଶାସକ ଆର୍‌ ଏନ୍ ସେନାପତି, ପ୍ରିୟମ୍ବଦା ମହାନ୍ତି ହେଜମାଦି, ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଓ ସଦାଶିବ ପ୍ରଧାନ ସଦସ୍ୟ ଅଛନ୍ତି। ଖୁବ୍ ଶୀଘ୍ର କମିଟିର ବୈଠକ ବସି ଚୟନ ପ୍ରକ୍ରିୟା ଆରମ୍ଭ ହେବ।

ସାହିତ୍ୟ ଏକାଡେମି ପାଇଁ ସର୍ବାଧିକ ଆବେଦନ ଆସିଥିବା ଜଣାପଡ଼ିଛି। ସଭାପତି ପଦବି ପାଇଁ ୩୦, ଉପସଭାପତି ପାଇଁ ୫୩ ଓ ସଚିବ ପାଇଁ ୪୧ ଜଣ ଆବେଦନ କରିଛନ୍ତି। ସଙ୍ଗୀତ ନାଟକ ଏକାଡେମିରେ ସଭାପତି ପଦବି ପାଇଁ ୩୪ ଓ ଉପସଭାପତି ପାଇଁ ୩୮ ଜଣ ଆବେଦନ କରିଛନ୍ତି। ସେହିପରି ଲଳିତ କଳା ଏକାଡେମିରେ ଉପସଭାପତି ଓ ସଚିବ ପଦବି ପାଇଁ ୧୩ ଜଣ ଲେଖାଏ ଆବେଦନ କରିଛନ୍ତି। ଉର୍ଦ୍ଦୁ ଏକାଡେମିର ସଚିବ ପଦବି ପାଇଁ ୫ ଜଣ ଆବେଦନ କରିଛନ୍ତି।

୨୦୨୦ ଅକ୍ଟୋବର ମାସରେ ଏହିସବୁ ପଦବି ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଆବେଦନ କରିବାର ‌େଶଷ ତାରିଖ ଥିଲା ନଭେମ୍ବର ୧୧। ଲଳିତ କଳା ଏକାଡେମିରେ ସଭାପତି ଓ ସଙ୍ଗୀତ ନାଟକ ଏକାଡେମିରେ ସଚିବ ପଦବି ଏବେ ଖାଲି ନ ଥିବାରୁ ଏହି ଦୁଇଟି ପଦବି ପାଇଁ ବିଜ୍ଞାପନ ପ୍ରକାଶ ପାଇ ନ ଥିଲା। ଏହା ବାଦ୍ ଉର୍ଦ୍ଦୁ ଏକାଡେମିର ସଭାପତି ମୁଖ୍ୟମନ୍ତ୍ରୀ ଓ ଉପସଭାପତି ବିଭାଗୀୟ ମନ୍ତ୍ରୀ ରହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏକାଡେମିର ଏହିସବୁ ପଦପଦବି ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ପୂର୍ବରୁ ସରକାର ସିଧାସଳଖ ଚୟନ କରୁଥିଲେ।

ସମ୍ବନ୍ଧିତ ଖବର