ରାଉରକେଲାରେ କେନ୍ଦ୍ରୀୟ ପୂଜା କମିଟି ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ନାମାଙ୍କନ ଦାଖଲକଲେ ୨୫ ପ୍ରାର୍ଥୀ

ସାଧାରଣ ସମ୍ପାଦକ ବିରାଜଙ୍କ ପ୍ରାର୍ଥିପତ୍ରକୁ ବିରୋଧ

ରାଉରକେଲା: କରୋନା ମହାମାରୀ ଯୋଗୁଁ କେନ୍ଦ୍ରୀୟ ପୂଜା କମିଟି(ସିପିସ) ନିର୍ବାଚନ ବନ୍ଦ ରହିଥିଲା। ଏବେ କିନ୍ତୁ ସ୍ଥିତି ସ୍ବାଭାବିକ୍‌ ହେବା ଓ ପ୍ରଶାସନ ଆହୂତ ପ୍ରାକ୍‌-ପ୍ରସ୍ତୁତି ବୈଠକରେ ସହରର ଏକାଧିକ ପୂଜା କମିଟି ନିର୍ବାଚନ ପାଇଁ ପ୍ରସ୍ତାବ ଦେବାରୁ ନିର୍ବାଚନ ପାଇଁ ଅନୁମତି ମିଳିଛି। ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଜିଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୦-୧୨ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ।

ଆସନ୍ତା ୧୮ ତାରିଖ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସ୍ଥାନୀୟ ଆଇଟିଡିଏ ହଲ୍‌ରେ ମତଦାନ ଅନୁଷ୍ଠିତ ହେବ। ଉକ୍ତ ଦିନ ସନ୍ଧ୍ୟା ୫ଟାରେ ଫଳାଫଳ ଘୋଷଣା କରାଯିବ। ଆଜି ଅନୁଷ୍ଠିତ ନାମାଙ୍କନ ଦାଖଲ ପ୍ରକ୍ରିୟାରେ ୨୫ ଜଣ ଆଶାୟୀ ସାମିଲ ହୋଇଛନ୍ତି। ଏହି ୨୫ ଜଣ ସିପିସିର ବିଭିନ୍ନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାସହ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ ଆସନ୍ତାକାଲି ତାଲିକା ସାର୍ବଜନୀନ କରାଯିବ।

ସିପିସି ସଭାପତି ଦାୟିତ୍ବ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ହିଁ ତୁଲାଇଥାନ୍ତି। ଏଣୁ ସିପିସି ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ତିନି ଜୋନ୍‌, ଯଥା- ସିଭିଲଟାଉନସିପ୍‌, ଫର୍ଟିଲାଇଜର ଟାଉନସିପ୍‌, ଷ୍ଟିଲ୍‌ ଟାଉନସିପ୍‌ କମିଟିର ଉପସଭାପତି, ଯୁଗ୍ମ ସମ୍ପାଦକ ଓ ଦୁଇ ଜଣ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ସିପିସି ପଞ୍ଜିକୃତ ୨୨୭ଟି ଦୁର୍ଗାପୂଜା କମିଟି, ଲକ୍ଷ୍ମୀ ପୂଜା କମିଟି ଓ କାଳୀ ପୂଜା କମିଟିର ଜଣେ ଲେଖାଏଁ ସଦସ୍ୟ, ଅର୍ଥାତ୍‌ ସଭାପତି କିମ୍ବା ସାଧାରଣ ସମ୍ପାଦକ ମତଦାନ କରିଥାନ୍ତି। ଏଥର କେନ୍ଦ୍ରୀୟ ପୂଜା କମିଟିର ସାଧାରଣ ସମ୍ପାଦକ ପଦବି ପାଇଁ ମୁକ୍ତିକାନ୍ତ ବେହେରା ଓ ବିରାଜ ମୋହନ ବିଶ୍ବାଳ ଏବଂ କୋଷାଧ୍ୟକ୍ଷ ପାଇଁ ଆଲୋକ ମହାପାତ୍ର ଓ କମଳେଶ ଶାହା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସିଭିଲଟାଉନସିପ୍‌ ଜୋନ୍‌ର ଉପସଭାପତି ପାଇଁ ରଞ୍ଜିତ ନାୟକ ଓ ପ୍ରସନ୍ନ ବଳିଆରସିଂହ, ଯୁଗ୍ମ ସମ୍ପାଦକ ପାଇଁ ସମର ତନ୍ତୀ ଓ ସପନ ପଣ୍ଡା ଏବଂ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ରାକେଶ ଶର୍ମା, ଅମ୍ବୁଜ ଶାହା, ସନ୍ତୋଷ ରାଜନ, ମାନସୀ ସରକାର ଓ ଆଶୁତୋଷ ସାହୁ ନାମାଙ୍କନ ଦାଖଲ କରିଛନ୍ତି। ସେହିଭଳି ଷ୍ଟିଲ୍‌ ଟାଉନସିପ୍‌ ଜୋନ୍‌ରେ ଉପସଭାପତି ପାଇଁ ନାରାୟଣ ମହାନ୍ତି ଓ ଗୌତମ ବାଡ଼ା, ଯୁଗ୍ମ ସମ୍ପାଦକ ପଦ ପାଇଁ ବରଦା ପ୍ରସନ୍ନ ଦାସ ଓ ଆଲୋକ ପ୍ରତିହାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ପଦବି ପାଇଁ ରବିନାରାୟଣ ରାଉତ, ବରଦା ପ୍ରସାଦ ନାୟକ, ପଙ୍କଜ ମହନ୍ତ ଓ ରାହୁଲ ରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଫର୍ଟିଲାଇଜର ଜୋନ୍‌ ପାଇଁ କିନ୍ତୁ ନାମାଙ୍କନ ଦାଖଲ କରିଥିବା ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଏହି ଜୋନ୍‌ ପାଇଁ ଉପସଭାପତିଭାବେ କେବଳ ଅନୀଲ ମଲ୍ଲିକ, ଯୁଗ୍ମ ସମ୍ପାଦକଭାବେ ପ୍ରଦୀପ ଦାସ, କାର୍ଯ୍ୟକାରିଣୀ ସଦସ୍ୟଭାବେ ପ୍ରମୋଦ ମଲ୍ଲିକ ଓ ପଙ୍କଜ ପାଢ଼ୀ ନାମାଙ୍କନ ଦାଖଲ କରିଥିଲେ।

ତେବେ ଆଜି ସାଧାରଣ ସମ୍ପାଦକ ପ୍ରାର୍ଥୀ ବିରାଜ ମୋହନ ବିଶ୍ବାଳଙ୍କ ପ୍ରାର୍ଥିପତ୍ରକୁ ପ୍ରତିପକ୍ଷ କଡ଼ା ବିରୋଧ କରିଛନ୍ତି। ସେମାନେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ନିକଟରେ ଲିଖିତଭାବେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ଶ୍ରୀ ବିଶ୍ବାଳ ସେକ୍ଟର-୭ ଲକ୍ଷ୍ମୀ ପୂଜା କମିଟି ସମ୍ପାଦକ ଥିବା ପ୍ରାର୍ଥିପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର