ପାରଳାଖେମୁଣ୍ଡି: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା କାଶୀବୁଗା‌ ଭେଙ୍କଟେଶ୍ବର ସ୍ବାମୀ (ଚିନ୍ନା ତିରୁପତି ତଥା ଛୋଟ ତିରୁପତି ଭାବେ ପରିଚିତ) ମନ୍ଦିରରେ ଗତକାଲି ଏକାଦଶୀରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଏହି ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତିସାରିଥିଲେ ହେଁ, ଏଯାଏଁ ସେହି ହୃଦୟ ବିଦାରକ ଦୃଶ୍ୟ ଲୋକଙ୍କ ମନରୁ ଲିଭିପାରିନି। ନିଜ ପରିବାରର ଶୁଭ ମନାସିବାକୁ ଏଭଳି ଏକ ପବିତ୍ର ଦିନରେ ମନ୍ଦିରକୁ ଆସିଥିବା ବେଳେ ଏତେବଡ଼ ଅଘଟଣ ଘଟିଯିବ, ଏହି କଥାକୁ କେହି ଏବେବି ବିଶ୍ବାସ କରିପାରୁ ନାହାନ୍ତି। ସମ୍ଭାବ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନ୍ଦିରକୁ ସଂପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଛି। ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। 

Advertisment

ସେହିପରି ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠିତ ହୋଇଛି। ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଶନିବାର ସହ ଏକାଦଶୀ ପଡ଼ିଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଆଗୁଆ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବା ସହ ପ୍ରଶାସନ ଓ ପୁଲିସର ଅନୁମତି ନିଆଯାଇ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ରାଜ୍ୟ ସରକାରଙ୍କ ଦ୍ବାରା ମୃତକଙ୍କ ପରିବାର ପାଇଁ ଘୋଷିତ ୧୫ ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାରଙ୍କ ଘୋଷିତ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ପଲାସାର ସରକାରୀ ଡାକ୍ତରଖାନାରେ ଏବେବି ୧୩ ଜଣଙ୍କ ଚିକିତ୍ସା ଜାରି ରହିଛି। 

ମୃତକଙ୍କ ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ 
ପଲାସା ଡାକ୍ତରଖାନାରେ ୧୩ ଜଣଙ୍କ ଚିକିତ୍ସା ଜାରି 
ମନ୍ଦିରକୁ ସିଲ୍‌ କଲା ସ୍ଥାନୀୟ ପ୍ରଶାସନ

ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ଦେବୋତ୍ତର ମନ୍ତ୍ରୀ ଏ.ରାମନାରାୟଣ ରେଡ୍ଡୀ ଓ ବିଭାଗୀୟ ଅଧିକାରୀମାନେ ଆଜି କାଶୀବୁଗା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଶ୍ରୀ ରେଡ୍ଡୀ କହିଛନ୍ତି, ଆଗକୁ ବିଭିନ୍ନ ଦେବଦେବୀପୀଠରେ ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ବ୍ୟାପକ ପଦକ୍ଷେପ ନିଆଯିବ। ମନ୍ଦିର ଏବଂ ଘରୋଇ ଧାର୍ମିକସ୍ଥଳରେ ଯେକୌଣସି ଉତ୍ସବ ବେଳେ ସୁରକ୍ଷାର ମାନଦଣ୍ଡକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିପାଇଁ ମାର୍ଗଦର୍ଶିକା ଜାରି ହେବ। ସେହିପରି କାଶୀବୁଗା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରକୁ ଖୋଲି ପୁଣି ପୂଜାର୍ଚ୍ଚନା ଆରମ୍ଭ କରିବା ପୂର୍ବରୁ ବିଦ୍ବାନ ପଣ୍ଡିତମାନଙ୍କ ପରାମର୍ଶ ନିଆଯିବ ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି। ତେବେ ହରିମୁକୁନ୍ଦ ପଣ୍ଡା ଏହି ମନ୍ଦିରକୁ ନିର୍ମାଣ କରିବା ପଛରେ ଏକ ଉଦ୍ଦେଶ୍ୟ ରହିଛି। ହରିମୁକୁନ୍ଦ କିଛିବର୍ଷ ତଳେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିରକୁ ଭେଙ୍କଟେଶ୍ବର ସ୍ବାମୀଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ ତାଙ୍କୁ ଧାଡ଼ିରୁ ହଟାଇ ଡାକ୍ତରଖାନାକୁ ଯିବାକୁ କହିଥିଲେ। ଘଟଣାର ପରଦିନ ପୁଣିଥରେ ସେ ମନ୍ଦିରକୁ ଯାଇଥିଲେ। କିନ୍ତୁ ୮ରୁ ୯ ଘଣ୍ଟା ଅପେକ୍ଷା କରିବା ପରେ ମାତ୍ର କିଛି ସେକେଣ୍ଡ ପାଇଁ ଦର୍ଶନ କରିଥିଲେ।

ଫଳରେ ସେ ତିରୁମାଲା ଭେଙ୍କଟେଶ୍ବର ମନ୍ଦିର ଭଳି ଏକ ଅବିକଳ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଇଥିଲେ। ଏଥିପାଇଁ କାହାଠୁ କିଛି ଦାନ ଅର୍ଥ ସଂଗ୍ରହ କରି ନଥିଲେ। ବରଂ ନିଜ ପରିବାରର ଟଙ୍କାକୁ କାମରେ ଲଗାଇବା ସହ ନିଜ ଜମିକୁ ବିକ୍ରି କରିଥିଲେ। ମନ୍ଦିର ନିର୍ମାଣ କାମ ଆରମ୍ଭ ହେବା ଆଗରୁ ପଲାସା ଉପନିବନ୍ଧକ କାର୍ଯ୍ୟାଳୟରେ ‘ଭଗବାନ ଭେଙ୍କଟେଶ୍ୱର’ଙ୍କ ନାମରେ ଜମି ପଞ୍ଜୀକରଣ କରିଥିଲେ। କାଶୀବୁଗାସ୍ଥିତ ମନ୍ଦିରରେ ତିରୁମାଲା ଭଳି ୯ ଫୁଟ ୯ ଇଞ୍ଚ ଉଚ୍ଚତାର ଏକ ମୂର୍ତ୍ତି ପୂଜା ପାଉଛି। ତିରୁମାଲାର ବିଦ୍ବାନ ପଣ୍ଡିତଙ୍କଠୁ ପରାମର୍ଶ ନେଇ ଗୋଟିଏ ପଥରରେ ଖୋଦିତ ମୂର୍ତ୍ତି ନିର୍ମାଣ ହୋଇଛି। ଯେଉଁମାନେ ଅର୍ଥ ଅଭାବରୁ ମାନସିକ ପୂରଣ ପାଇଁ ତିରୁମାଲା ଯାଇପାରୁନାହାନ୍ତି ସେମାନେ ଏଠାକୁ ଆସୁଥିବା ଜଣାପଡ଼ିଛି।