କାମାକ୍ଷାନଗର ଅଞ୍ଚଳରେ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ରାଜିନୀତି କିମ୍ବା ବ୍ୟବସାୟିକ ଶତ୍ରୁତା ସନ୍ଦେହ, ୬ ଅଟକ

ଢେଙ୍କାନାଳ/ କାମାକ୍ଷାନଗର/ ପଣ୍ଡୁଆ : ଶୁକ୍ରବାର ରାତିରେ କାମାକ୍ଷାନଗର ବ୍ଲକ୍‌ ତୁମୁସିଙ୍ଗା ଥାନା ବାରୁଆଁ (କା) ପଞ୍ଚାୟତର ସମିତି ସଭ୍ୟ ଦୀପକ ମାହୁନ୍ତ ଆତତାୟୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ସେ ସ୍ଥାନୀୟ ଅଞ୍ଚଳର ଜଣେ ଟାଣୁଆ ବିଜେଡି ନେତା ହୋଇଥିବାରୁ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥାଇପାରେ ବୋଲି କୁହାଯାଉଛି। ମୃତ ଦୀପକଙ୍କ ପତ୍ନୀ ମମତା ମାହୁନ୍ତ ବାରୁଆଁ (କା) ପଞ୍ଚାୟତର ସରପଞ୍ଚ ଅଛନ୍ତି। ମମତା କହିଛନ୍ତି ଯେ, ଦୀପକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଧାୟକ ହେବାକୁ ଚାହୁଁଥିଲେ। ତେଣୁ ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ।

ଦୀପକ ବାଲିଘାଟ, ପଥର ଖଣି ଏବଂ ଠିକାଦାରୀ କାର୍ଯ୍ୟରେ ନିୟୋଜିତ ଥିଲେ। ଗତକାଲି ସେ ଖଟୁଆହତାର ବିଷ୍ଣୁ ସାହୁଙ୍କ ନିକଟରୁ ରାତି ୧୧ ଟା ୨୦ ମିନିଟରେ ନିଜ ଟାଟା ହେକ୍ସା (ଓଡି-୦୨-ଏଏନ୍-୦୧୨୨) ଯୋଗେ ନିଜ ଘରକୁ ଫେରୁଥିଲେ।

ଅପରପକ୍ଷରେ ସେ ଅନେକ ସମୟରେ କହି ଘରକୁ ନ ଆସି ବାହାରେ ରହି ଯାଉଥିବାରୁ ଘରେ ମଧ୍ୟ ରାତିରେ ଖୋଜାଖୋଜି କରି ନ ଥିଲେ। ଆଜି ସକାଳ ୬ଟାରେ କିଛି ଯୁବକ ଦୌଡ଼ିବା ପାଇଁ ରାସ୍ତାକୁ ଆସିଥିବା ବେଳେ ଜାମୁଝରା ଗାଁ ଛକଠାରେ ଦୀପକଙ୍କ ଗାଡି ଥିବା ବେଳେ ଦୀପକ ଗାଡି ସିଟ୍‌ରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡିଥିବା ଦେଖିଥିଲେ। ତାଙ୍କ ଉପରକୁ ଏକାଧିକ ଗୁଳିମାଡ଼ ହୋଇଥିଲା। ଏହା ଦେଖି ଯୁବକମାନେ ତାଙ୍କ ଘରକୁ ଖବର ଦେଇଥିଲେ। ସେହି ସମୟରେ ଦୀପକଙ୍କ ପୁଅ ଦିବ୍ୟ ଦର୍ଶନ ମାହୁନ୍ତ ସେହି ରାସ୍ତାରେ ଢେ଼ଙ୍କାନାଳ ଯାଉଥିବା ବେଳେ ଏହା ଦେଖି ବାପାଙ୍କୁ ଚିକିତ୍ସା ପାଇଁ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଆଜି ସକାଳେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଏସ୍‌ପି କେ. ଶିବା ଶୁଭ୍ରାମଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ସେ ଜଣେ ଖଣି ବ୍ୟବସାୟୀ ହୋଇଥିବାରୁ ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ କେହି ହତ୍ୟା କରିଥିବା ତାଙ୍କ ପୁଅ ଗଣମାଧ୍ୟମକୁ କହିଛନ୍ତି। ଦୀପକଙ୍କ ଶରୀରରେ ୬ଟି ଗୁଳି ବାଜିଛି। ଏହି ଘଟଣା‌ରେ ସନ୍ଦେହରେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି। ମୃତ ଦୀପକଙ୍କ ପୁଅଙ୍କ ଅଭିଯୋଗ କ୍ରମେ ତୁମୁସିଙ୍ଗା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଛାନଭିନ୍‌ ଆରମ୍ଭ ହୋଇଛି।

ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ବାରୁଆଁ ଗାଁରେ ଦୀପକଙ୍କ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ଗାଁ ଶ୍ମଶାନ ଘାଟକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ୩ ବର୍ଷ ପୂର୍ବେ କାମାକ୍ଷାନଗର ବିଜେଡି ନେତା ଯଶୋବନ୍ତ ପରିଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ୩ ମାସ ତଳେ କାମାକ୍ଷାନଗର ବାଳିକା ସ୍କୁଲ୍‌ ନିକଟରେ ସାହି ବିବାଦରୁ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର