ଭୁବନେଶ୍ବର : ରାଜ୍ୟ ସରକାର ଏମ୍ଏଲ୍ଏ ଲାଡ୍କୁ ୩ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରନ୍ତୁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ବଜେଟ୍ ପରିମାଣ ମଧ୍ୟ ୧୮୦ କୋଟିରୁ ୧୦୦୦ କୋଟିକୁ ବୃଦ୍ଧି କରାଯାଉ।
ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଜନା ଓ ସଂଯୋଜନ ବିଭାଗର ସ୍ଥାୟୀ କମିଟି ତାଙ୍କ ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ଥାୟୀ କମିଟି ବିଭାଗ ଉପରେ ଅସନ୍ତୋଷ ପାହାଡ଼ ଲଦିବା ସହିତ ବିଭାଗର ପ୍ରମୁଖ ସଚିବଙ୍କ ବିରୋଧରେ ବର୍ଷିଛନ୍ତି। ତେବେ କମିଟି ଏହି ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଆଉ ଏକ ବଡ ସୁପାରିସ କରିଛନ୍ତି। ଭାରତର ଖାଦ୍ୟ ନିଗମ ଚାଷୀଙ୍କ ଠାରୁ ସିଧାସଳଖ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣିବା ଲାଗି ପୂର୍ବରୁ ହାଇକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ, ରାଜ୍ୟ ସରକାର ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଦରକାର ବୋଲି ଜୋର ଦେଇଛନ୍ତି।
ଖାଦ୍ୟ ଯୋଗାଣ ବିଭାଗ ଉପରେ ବର୍ଷିଲା କମିଟି
ବିଭାଗ ଆଇନ ବିଷୟରେ ଅଜ୍ଞ, ସଚିବଙ୍କ ବିରୋଧରେ ମୁଖ୍ୟସଚିବଙ୍କୁ କହିଲେ
୮ ଜିଲ୍ଲାରେ ଖାଉଟି କଲ୍ୟାଣ ପରିଷଦ ଅଚଳ, ୨୨ରେ ଗଠନ ହୋଇନି
ବନ୍ୟା ଓ ମରୁଡ଼ି-ପ୍ରବଣ ଅଞ୍ଚଳ ପାଇଁ ହେଉ ସ୍ବତନ୍ତ୍ର ଯୋଜନା
ବୁଧବାର ଦିନ ବିଧାନସଭାରେ ବିଭିନ୍ନ ବିଭାଗ ପାଇଁ ଗଠିତ ସ୍ଥାୟୀ କମିଟି ତାଙ୍କ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗ କମିଟି ତାଙ୍କ ସୁପାରିସରେ କହିଛନ୍ତି ଯେ ରାଜ୍ୟ ସରକାର ପଛୁଆ ଅଞ୍ଚଳ ବୋଲି କେବିକେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏବଂ ବିଜୁ କନ୍ଧମାଳ ଯୋଜନା ଅନ୍ତର୍ଗତ ଅଞ୍ଚଳ ଲାଗି ଯେଭଳି ଯୋଜନା କରିଛନ୍ତି, ଠିକ୍ ସେମିତି ଉପକୂଳ ଅଞ୍ଚଳ ପାଇଁ ମଧ୍ୟ ସ୍ବତନ୍ତ୍ର ଯୋଜନା କରନ୍ତୁ। ଏଇଥିପାଇଁ ଯେ ଉପକୂଳର ଅଧିକାଂଶ ଅଞ୍ଚଳ କ୍ରମାଗତ ଭାବେ ବନ୍ୟା ଓ ମରୁଡି ଦ୍ବାରା ପ୍ରଭାବିତ ହେଉଛି। ତେବେ ଠୋସ୍ କେଉଁ ସବୁ ଜିଲ୍ଲା ପାଇଁ ସ୍ବତନ୍ତ୍ର ଯୋଜନାର ଆବଶ୍ୟକ ରହିଛି, ସେ ନେଇ କମିଟି ସ୍ପଷ୍ଟ ସୁପାରିସ କରିନାହାନ୍ତି। କମିଟି କହିଛନ୍ତି ଯେ ଜିଲ୍ଲାସ୍ତରୀୟ ପ୍ଲାନିଂ ଓ ମନଟରିଂ ୟୁନିଟ୍ ଗୁଡିକୁ ଅଧିକ ସଶକ୍ତ କରାଯିବା ଦରକାର। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ତାଙ୍କ ସମୀକ୍ଷା ରିପୋର୍ଟରେ ଯେଉଁ ସବୁ ସୁପାରିସ କରୁଛନ୍ତି, ରାଜ୍ୟ ସରକାର ତାହାକୁ ଅନୁପାଳନ କରିବା ଦରକାର। ଉଦ୍ବେଗ ପ୍ରକାଶ କରି କମିଟି ଜଣାଇଛନ୍ତି ଯେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ଯେଉଁ ସବୁ ପ୍ରକଳ୍ପ ହାତକୁ ନିଆଯାଉଛି, ତାହା ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବାର ଆବଶ୍ୟକତା ରହିଛି। ଜିଲ୍ଲା ଯୋଜନା କମିଟିକୁ କ୍ରିୟାଶୀଳ କରାଯିବା ଏବଂ ଏମ୍ଏଲ୍ଏଙ୍କ ପାଣ୍ଠି ଖର୍ଚ୍ଚର ତୁରନ୍ତ କାର୍ଯ୍ୟାନ୍ବୟନ ଲାଗି ଜିଲ୍ଲା ପ୍ଲାନିଂ ଓ ମନିଟରିଂ ୟୁନିଟ୍କୁ ସରକାର ଆବଶ୍ୟକ ନିର୍ଦେଶନାମା ଜାରି କରିବା ଉପରେ ଏଥିରେ ଜୋର ଦିଆଯାଇଛି। ଏହାସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ବିଧାୟକମାନଙ୍କୁ ୧କୋଟି ନୁହେଁ, ବରଂ ୩କୋଟି ଟଙ୍କା ପାଣ୍ଠିର କାର୍ଯ୍ୟ ପ୍ରଦାନ ଲାଗି ଅନୁମତି ଦେବାକୁ କମିଟି ଗୁରୁତ୍ବାରୋପ କରିଛନ୍ତି। କମିଟିରେ ବିଧାୟିକା ଉଷା ଦେବୀ, ଶଶୀ ଭୂଷଣ ବେହେରା, ଦାଶରଥୀ ଗମାଙ୍ଗୋ, ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଶ୍ରୀକାନ୍ତ ସାହୁ, ଧ୍ରୁବଚରଣ ସାହୁ, ସୁବାସ ଚନ୍ଦ୍ର ବେହେରା, ଅନଙ୍ଗ କହଁର, ମୁକେଶ ମହାଲିଙ୍ଗ, ସନାତନ ବିଜୁଳି ଓ ବିଜୟ ଶଙ୍କର ଦାସ ପ୍ରମୁଖ ସଦସ୍ୟ ଅଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଂପର୍କିତ ସ୍ଥାୟୀ କମିଟି ତାଙ୍କ ରିପୋର୍ଟରେ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ଏହି କମିଟି କହିଛନ୍ତି ଯେ ବାରମ୍ବାର ଆଲୋଚନା ପରେ ବି ଖାଉଟି ସୁରକ୍ଷା ଆଇନରେ ଥିବା ବ୍ୟବସ୍ଥାବଳୀର ସଠିକ୍ ଅନୁପାଳନ ହେଉନାହିଁ। ବିଭାଗ ନିର୍ଦେଶନାମା କାର୍ଯ୍ୟକାରୀ କରୁନାହାନ୍ତି; ଓଲଟା ପଳାୟନପନ୍ଥୀଙ୍କ ଭଳି ଉତ୍ତର ରଖୁଛନ୍ତି। ଖାଦ୍ୟ ସୁରକ୍ଷା ଆଇନର ଧାରା ୮ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟ ସରକାର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ଗଠନ କରିବାକୁ ବାଧ୍ୟ। ହେଲେ ଗତ ଜୁଲାଇ ୭ତାରିଖରେ ଅନୁଷ୍ଠିତ ବୈଠକରେ ତର୍ଜମା ସମୟରେ ଦେଖାଗଲା ଯେ ୮ଟି ଜିଲ୍ଲାରେ ଏଭଳି କମିଟି ଅଚଳ ପ୍ରାୟ ପଡ଼ିରହିଛି ଏବଂ ବାକି ୨୨ଟି ଜିଲ୍ଲାରେ ଏଭଳି କମିଟି ଆଦୌ ଗଠନ ହୋଇନାହିଁ। ବୈଠକରେ ବିଭାଗର ପ୍ରମୁଖ ସଚିବ କହିଥିଲେ ଯେ ଜିଲ୍ଲାପାଳମାନଙ୍କୁ ଏଥିପାଇଁ ନିର୍ଦେଶନାମା ଜାରି କରାଯାଇଛି। ସେ ଆହୁରି ଜଣାଇଥିଲେ ଯେ ଚିଠି ଲେଖିବା ଛଡା ବିଭାଗର ଏଥିରେ ବିଶେଷ କିଛି କାମ ନାହିଁ। ପ୍ରମୁଖ ସଚିବଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ ବୋଲି କମିଟି ଉଲ୍ଲେଖ କରିଛି। ବିଭାଗର ଆଇନ ସଂପର୍କରେ ଅଜ୍ଞ େବାଲି କମିଟି ସ୍ପଷ୍ଟ ଲେଖିଛନ୍ତି। ସେହିଭଳି ବିଧାନସଭା ସ୍ଥାୟୀ କମିଟି ତାଙ୍କ ରିପୋର୍ଟରେ ରଖୁଥିବା ମନ୍ତବ୍ୟ ନେଇ ପ୍ରମୁଖ ସଚିବ ଆପତ୍ତି ଉଠାଇବା ଘଟଣାରେ କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କମିଟିର ମତକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ବୋଲି ରିପୋର୍ଟର କୁହାଯାଇଛି ଏବଂ ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ଆବଶ୍ୟକ ପଦକ୍ଷେପ ନେବା ଲାଗି କମିଟି ସୁପାରିସ କରିଛି। ଯେଉଁମାନଙ୍କ ଲାଗି ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ଗଠନ ହୋଇପାରିନାହିଁ, େସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କମିଟି ସରକାରଙ୍କୁ ଜଣାଇଛି।
ଏହି ରିପୋର୍ଟ ଆହୁରି କହିଛି ଯେ ସମ୍ବିଧାନର ଧାରା ୨୧ ଅନୁସାରେ ପ୍ରତି ବ୍ୟକ୍ତିର ବଞ୍ଚିବାର ଅଧିକାର ରହିଛି। ଏଥିପାଇଁ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ଗରିବ ଲୋକର ଖାଦ୍ୟକୁ ନିଶ୍ଚିତ କରାଯାଇଛି। ହେଲେ କମିଟି ହ଼ୃଦ୍ବୋଧ କରିଛନ୍ତି ଯେ ଗ୍ରାମାଞ୍ଚଳରେ ଅନେକ ଲୋକ ରାସନ୍ ସାମଗ୍ରୀ ପାଉନାହାନ୍ତି। ଯେଉଁମାନେ ବାଦ୍ ପଡ଼ିଛନ୍ତି, ସେମାନଙ୍କୁ ତୁରନ୍ତ ଏଥିରେ ସାମିଲ ପାଇଁ କମିଟି କହିଛି। ସେହିଭଳି ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଜମିରେ ଚାଷୀ ଏକର ପିଛା ୩୦ରୁ ୪୦ କ୍ବିଣ୍ଟାଲ ଧାନ ଉତ୍ପାଦନ କରୁଛନ୍ତି। ହେଲେ ସରକାର ଅଣ ଜଳସେଚିତ ଜମି କ୍ଷେତ୍ରରେ ୧୩ କ୍ବିଣ୍ଟାଲ ଓ ଜଳସେଚିତ ଜମି କ୍ଷେତ୍ରରେ ୧୯ କ୍ବିଣ୍ଟାଲ ଧାନ କିଣୁଛନ୍ତି। ଏଭଳି ସ୍ଥଳରେ ବାକି ଧାନ ଚାଷୀ କେଉଁଠି କଣ କରିବ, ଅଭାବୀ ବିକ୍ରିର ଶିକାର ହେବ କି ନାହିଁ ବୋଲି କମିଟି ପ୍ରଶ୍ନ ଉଠାଇଛନ୍ତି। ଏହାବ୍ୟତୀତ ସ୍ଥାୟୀ କମିଟିର ସୁପାରିସ ଉପରେ ବିଭାଗ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଉପରେ ବି କମିଟି ଅସନ୍ତୋଷ ବ୍ୟକ୍ତ କରିବାକୁ ଭୁଲିନାହାନ୍ତି।
ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ଅରବିନ୍ଦ ଢାଲି, ସତ୍ୟ ନାରାୟଣ ପ୍ରଧାନ, ପ୍ରଶାନ୍ତ କୁମାର ଜଗଦେବ, ମହୀଧର ରଣା, ମନୋହର ରନ୍ଧାରୀ, ଭାସ୍କର ମଢ଼େଇ, ମଞ୍ଜୁଲତା ସ୍ବାଇଁ, ପ୍ରଦୀପ କୁମାର ଦିଶାରୀ, ନିତ୍ୟାନନ୍ଦ ଗଣ୍ଡ ଓ ସାବିତ୍ରୀ ଅଗ୍ରଵାଲ ସଭ୍ୟ ଅଛନ୍ତି।