ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ରେ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ରାଗିଂ ଘଟଣାକୁ ଗୁରୁତ୍ବର ସହ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟି ଗଠନ କରାଯାଇଛି। ଏହି ଦୁଇ କମିଟିର ତଦନ୍ତ ପ୍ରକ୍ରିୟା ଜାରି ରହିଛି। କମିଟି ପକ୍ଷରୁ ତଦନ୍ତ ରିପୋର୍ଟ ଦାଖଲ ପରେ ଏହି ଘଟଣାରେ ସଂପୃକ୍ତ ଦୋଷୀ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି ପ୍ରଫେସର ବଂଶୀଧର ମାଝୀ ସୂଚନା ଦେଇଛନ୍ତି।
ପୀଡ଼ିତ ଛାତ୍ର ଜଣକ ଭିସୁଟ୍ର ଇଲେ୍ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ୍ ବିଭାଗର ଦ୍ୱିତୀୟ ବର୍ଷର ଏବଂ ପୁଲହ ଛାତ୍ରାବାସ ‘ସି’ ବ୍ଲକ୍ ୫୧୩ ନମ୍ବର ରୁମ୍ରେ ରହୁଛନ୍ତି। ବୁଧବାର ସେ ଏକ ଷ୍ଟାର୍ଟଅପ୍ ଉପରେ କାମ କରୁଥିଲେ। ବିଳମ୍ବିତ ରାତିରେ ସେ ରିଫ୍ରେସମେଣ୍ଟ ପାଇଁ ଏକ ଚିପ୍ସ ପ୍ୟାକେଟ ଆଣିବା ପାଇଁ ଉକ୍ତ ଛାତ୍ରାବାସର ତଳ ମହଲାରେ ଥିବା ଏକ କ୍ୟାଣ୍ଟିନକୁ ଯାଇଥିଲେ। ଯାହାକି ରାତିରେ ଖୋଲା ରହୁଥିଲା। କିନ୍ତୁ, ତାହା ବନ୍ଦ ଥିବାରୁ ସେ ନିଜ ରୁମ୍କୁ ଆସୁଥିବା ବେଳେ କିଛି ବରିଷ୍ଠ ଛାତ୍ର (୧୦-୧୫) ତାଙ୍କୁ ସିଡିରେ ଅଟକାଇ ପ୍ରଥମେ ନାମ, ବିଭାଗ ଆଦି ପଚାରିବା ସହ ତାଙ୍କୁ ରାଗିଂ କରିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସାର୍ଟର କଲରକୁ ଟଣlଓଟରା କରି ମୁଣ୍ଡ ତଥା ହାତରେ ପ୍ରବଳ ମାଡ଼ ମାରିଥିଲେ। ପରବର୍ତ୍ତୀ ସମୟରେ ସେ ୧୧୨ରେ ଫୋନ୍ କରି ନିଜ ଉପରେ ହୋଇଥିବା ଘଟଣା ସମ୍ପର୍କରେ ଜଣାଇଥିଲେ।
ପୀଡ଼ିତ ଛାତ୍ରଙ୍କ ଦ୍ୱାରା ବୁର୍ଲା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ର ମଧ୍ୟ ତନାଘନା ଜାରି ରହିଛି। ହେଲେ, ଲିଖିତ ଅଭିଯୋଗପତ୍ରରେ ରାଗିଂ କରିଥିବା କୌଣସି ଛାତ୍ରର ନାମ ଉଲ୍ଲେଖ ନଥିବାରୁ ପୁଲିସ୍ ମଧ୍ୟ ଦ୍ବନ୍ଦ୍ବରେ ପଡ଼ିଛି। ତେବେ, ୱାଡେନ୍ଙ୍କ ସହ ମଧ୍ୟ ଆଲୋଚନା କରାଯାଇ ତାଙ୍କ ବୟାନ ରେକର୍ଡ କରାଯିବା ପରେ କିଛି ଛାତ୍ରଙ୍କୁ ମଧ୍ୟ ଡାକି ପୁଲିସ୍ ପଚରାଉଚୁରା କରିଥିବା ବୁର୍ଲା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।