ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ : ବିଶେଷଜ୍ଞ କମିଟି ବୁଲି ଦେଖିଲେ

ପୁରୀ : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଗଠନ କରିଥିବା ତିନି ଜଣିଆ ବିଶେଷଜ୍ଞ କମିଟି ଆଜି ସଂଧ୍ୟାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ଏହି କମିଟି ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ଦେବ। ନିକଟରେ ଜନଶୁଣାଣିରେ ଯେଉଁ ସବୁ ପ୍ରସ୍ତାବ ଆସିଥିଲା କମିଟି ତାର ତର୍ଜମା କରିବା ସହ କଣ କଲେ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରିପାରିବେ ସେସବୁକୁ ଅନୁଧ୍ୟାନ କରିଛି। ଏହି କ୍ରମରେ ରାସ୍ତା ସଂପ୍ରସାରଣଠାରୁ ଆରମ୍ଭ କରି ପରିଷ୍କାର ପରିଚ୍ଛନ୍ନତା, ଶୌଚାଳୟ ନିର୍ମାଣ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦିଆଯାଇଛି।

ରାଜ୍ୟ ସରକାର ଗଠନ କରିଥିବା ଏହି ତିନି ଜଣିଆ କମିଟିରେ ଉପମୁଖ୍ୟ ସଚିବ ତଥା ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର, ମହିମୋହନ ତ୍ରିପାଠୀ ଓ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସଦସ୍ୟ ରହିଛନ୍ତି। ଶ୍ରୀ ମହାପାତ୍ର କମିଟିର ଅଧ୍ୟକ୍ଷ ରହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଆଦେଶ କ୍ରମେ ଏହି କମିଟି ନିକଟରେ ରାଜ୍ୟ ବାହାର ମଠ, ମନ୍ଦିର ଆଦି ଧାର୍ମିକସ୍ଥଳୀ ପରିଦର୍ଶନରେ ଯାଇଥିଲା। ସେଠାରୁ ଫେରିବା ପରେ ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କ’ଣ କ’ଣ ସମସ୍ୟା ରହିଛି, ପ୍ରାଥମିକ ପର୍ଯ୍ୟାୟରେ ତାର ଅନୁଧ୍ୟାନ କରିଛି କମିଟି। ଭକ୍ତଙ୍କ ଦର୍ଶନ ପାଇଁ ଶୌଚାଳୟର ଆବଶ୍ୟକତା ଥିବାବେଳେ କେଉଁଠି ଏହି ବ୍ୟବସ୍ଥା କଲେ ଠିକ୍‌ ହେବ ତାର ସ୍ଥିତି ଅନୁଧ୍ୟାନ କରିଛି। ଜବରଦଖଲ ଯୋଗୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ରାସ୍ତା ସଂକୁଚିତ ହେଉଥିବା ବେଳେ ଏହାର ସଂପ୍ରସାରଣ କଥା ଚିନ୍ତା କରାଯାଇଛି। ଏହାଛଡ଼ା ଅନ୍ୟାନ୍ୟ ଦିଗ ପ୍ରତି ବି ଦୃଷ୍ଟି ଦିଆଯାଇଛି। ଅନୁଧ୍ୟାନ ସମୟରେ କମିଟି ଅଧ୍ୟକ୍ଷ ଶ୍ରୀ ମହାପାତ୍ର, ସଦସ୍ୟ ଶ୍ରୀ ତ୍ରିପାଠୀ, ଆଇଜି ଶ୍ରୀ ପ୍ରିୟଦର୍ଶୀଙ୍କ ସହ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ଆରକ୍ଷୀ ଅଧିକ୍ଷକ ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର