କାମ କରୁନି କମନ୍‌ ସ୍କଲାରସିପ୍‌ ପୋର୍ଟାଲ, ଆବେଦନ କରିପାରୁନାହାନ୍ତି ଛାତ୍ରଛାତ୍ରୀ

ଅସନ୍ତୋଷ ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ, ଅର୍ଥ ନ ଦେବାକୁ ଓକାକ୍‌କୁ ନିର୍ଦେଶ

ଭୁବନେଶ୍ବର : ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀଙ୍କୁ ଏକାଧିକ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.in ରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ୨୦ରୁ ଅଧିକ ବୃତ୍ତି ପ୍ରଦାନ କରାଯାଉଛି। ଏହି ଏକକ ପୋର୍ଟାଲ ଦ୍ଵାରା ବୃତ୍ତି ପ୍ରଦାନ କରୁଥିବା ସରକାରଙ୍କ ବିଭାଗ ଓ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତ୍ବ କମିଯିବ। ସେମାନେ ସୁବିଧାରେ ଘରେ ଆବେଦନ କରିବା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବୃତ୍ତି ପାଇପାରିବେ। ବିଶେଷକରି ଅନୁସୂଚିତ ଜନଜାତି, ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସାମାଜିକ ଓ ଶିକ୍ଷାଗତଭାବେ ପଛୁଆବର୍ଗର ଛାତ୍ରଛାତ୍ରୀ ଏହି ବୃତ୍ତିର ସୁବିଧା ପାଇବେ। ଦୁର୍ବଳ ଶ୍ରେଣୀର ପିଲାଙ୍କ ଶିକ୍ଷା ସୁବିଧା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି। ତେଣୁ ଏହି ଏକକ ପୋର୍ଟାଲ ଦ୍ଵାରା ସେମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କୁହାଯାଇଥିଲା। ତେବେ ଏହି ପୋର୍ଟାଲ ଛାତ୍ରଛାତ୍ରୀଙ୍କ ପାଇଁ କେତେ ସହାୟକ ହୋଇପାରୁଛି ତାହା ଏବେ ସାମ୍ନାକୁ ଆସିଛି। ସୁଫଳ ପାଇବେ କ’ଣ ପିଲା ଏବେ ଆବେଦନ କରିବାକୁ ହଟହଟା ହେଉଛନ୍ତି। କେତେବେଳେ ସଫ୍ଟୱେର ସମସ୍ୟା ‌ଦେଖାଦେଉଛି ତ ଆଉ କେତେବେଳେ କଲେଜ ପଞ୍ଜୀକରଣ କରିପାରୁ ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ କଲେଜ କର୍ତୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିବା ପରେ ଉଚ୍ଚଶିକ୍ଷା ବିଭାଗ ନିଦ ଭାଙ୍ଗିଛି। ପୋର୍ଟାଲ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ସଂସ୍ଥାକୁ ଅର୍ଥ ନ ଦେବାକୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୦୨୦-୨୧ ଶିକ୍ଷାବର୍ଷରୁ କମନ୍‌ ସ୍କଲାରସିପ୍‌ ପୋର୍ଟାଲ ଆରମ୍ଭ ହୋଇଛି। ଗତ ଏପ୍ରିଲ ପହିଲାରୁ ଉଚ୍ଚଶିକ୍ଷା ବିଭାଗର ୩ଟି ଯୋଜନା ଯଥା ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ସେନାପତି ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଏଥିରେ ସାମିଲ ହୋଇଛି। ତେବେ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ତ୍ରୁଟି ପରିଲକ୍ଷିତ ହେଉଛି। ସଫ୍ଟୱେରରେ ବୈଷୟିକ ସମସ୍ୟା ଦେଖାଦେଉ ଥିବାରୁ ଛାତ୍ରଛାତ୍ରୀ ପୋର୍ଟାଲରେ ସେମାନଙ୍କ ଆବେଦନପତ୍ର ଦାଖଲ କରିପାରୁ ନାହାନ୍ତି। କେବଳ ଛାତ୍ରଛାତ୍ରୀ ନୁହନ୍ତି, କଲେଜ କର୍ତୃପକ୍ଷ ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୈଷୟିକ ସମସ୍ୟା ଲାଗି ରାଜ୍ୟ ଭିତର ଓ ବାହାରର ନୂଆ ଶିକ୍ଷାନୁଷ୍ଠାନ ତଥା କଲେଜ ଓ ପାଠ୍ୟକ୍ରମ‌କୁ ଏଥିରେ ସାମିଲ କରାଯାଇପାରୁ ନାହିଁ। ଗାଇଡ୍‌ଲାଇନ୍‌ରୁ ପାଠ୍ୟକ୍ରମକୁ ବାତିଲ୍‌ କରିବା, ୟୁଜର ଆଇଡି ପ୍ରଦାନ, ପାସ୍‌ୱାର୍ଡ, ଆଧାର କାର୍ଡ ଆଦିରେ ବି ସମସ୍ୟା ହେଉଛି। ଏମିତିକି ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀ ଅଭିଯୋଗ କଲେ ମଧ୍ୟ ଠିକ୍‌ ସମୟରେ ଶୁଣାଯାଉ ନାହିଁ।

ଏଭଳି ସମସ୍ୟା ନେଇ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଓକାକ୍‌ ଓ ସିଏସ୍‌ଏମ୍‌ ଟେକ୍ନୋଲୋଜିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଯେଉଁ ସଂସ୍ଥା ଏହି ସଫ୍ଟୱେରର ବିକାଶ କରିଛି ସେ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରୁ। ବିଭାଗ ପକ୍ଷରୁ ସବୁଜ ସଙ୍କେତ ନ ମିଳିବା ପର୍ଯ୍ୟନ୍ତ ସିଏସ୍‌ଏମ୍‌କୁ ଅର୍ଥ ନ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ପ୍ରତିଭା ସାହୁ ଆଜି ଓକାକ୍‌ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି କହିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ ଇଏସ୍‌ଆଇ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୃଷି ବିଭାଗର ସମସ୍ତ ବୃତ୍ତି କାର୍ଯ୍ୟକ୍ରମ ଏହି ଗୋଟିଏ ପୋର୍ଟାଲରେ ପରିଚାଳିତ ହେବ। ରାଜ୍ୟ ଟ୍ରେଜେରି ସହିତ ଏହି ପୋର୍ଟାଲ ଲିଙ୍କ୍‌ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବୃତ୍ତି ରାଶି ସିଧାସଳଖ ଜମା ହୋଇପାରିବ।

ସମ୍ବନ୍ଧିତ ଖବର