କଟକ: ଶୁକ୍ରବାର ବିଳମ୍ବିତ ରାତିରେ ହାତୀପୋଖରୀଠାରେ ଦଶହରା ଭସାଣି ଶୋଭାଯାତ୍ରା ସମୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ତେବେ ଘଟଣା ସମ୍ବେଦନଶୀଳ ଥିବାରୁ ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଏହି ଘଟଣାରେ ମୋଟ ୩ଟି ମାମଲା ରୁଜୁ ହୋଇଛି। ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଗୋଟିଏ ଲେଖାଏଁ ମାମଲା ଦାୟର କରିଥିବା ବେଳେ ପୁଲିସ ଉପରେ ଆକ୍ରମଣକୁ ନେଇ ଆଉ ଏକ ମାମଲା ନିଜ ଆଡୁ ରୁଜୁ କରିଛି କମିସନରେଟ୍‌ ପୁଲିସ। ଅନ୍ୟପଟେ ଏହି ଘଟଣାକୁ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଛି।

Advertisment

କଡ଼ା ସୁରକ୍ଷାରେ ଦେବୀଗଡ଼ା ନିଆଗଲା ମେଢ଼
ତାଳଦଣ୍ଡାରେ ବିସର୍ଜିତ ହେଲା କିଛି ମୂର୍ତ୍ତି
ସୋମବାର କଟକ ବନ୍ଦ ଡାକରା

ସୂଚନା ମୁତାବକ ହାତୀପୋଖରୀ ନିକଟରେ ଆକ୍ରମଣର ଶିକାର ହୋଇଥିବା ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଓ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ଆଜି କଡ଼ା ସୁରକ୍ଷାବଳୟ ମଧ୍ୟରେ ଦେବୀଗଡ଼ାରେ ପହଞ୍ଚିଥିଲା। ପ୍ରଥମେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଅତିରିକ୍ତ ଡିସିପି ଦେବଦତ୍ତ କର, ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରି ଦାସ, ଯୁଗ୍ମ ସମ୍ପାଦକ ଦ୍ବୀପାୟନ ପଟ୍ଟନାୟକ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୂଜା କମିଟି କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ରାଉସାପାଟଣା ମେଢ଼କୁ ଫେରାଇ ନେବାକୁ ପୁଲିସ ଅନୁରୋଧ କରିଥିଲେ ମଧ୍ୟ ପୂଜା କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ପରବର୍ତ୍ତୀ ସମୟରେ ହାତୀପୋଖରୀଠୁ କଦମରସୁଲ ପର୍ଯ୍ୟନ୍ତ ସବୁ ଛାତ ଉପରେ ଫୋର୍ସ ମୁତୟନ ହେବା ପରେ ପୁଲିସ କର୍ଡନ୍‌ ଭିତରେ ମେଢ଼ଗୁଡ଼ିକ ଦେବୀଗଡ଼ା ପର୍ଯ୍ୟନ୍ତ ଯାଇଥିଲେ। ଅନ୍ୟପକ୍ଷରେ କେତେକ ମେଢ଼ ବହୁ ସମୟ ପର୍ଯ୍ୟନ୍ତ ଅଟକି ରହିଥିବାରୁ ଆଜି ମୁଖ୍ୟରାସ୍ତାରୁ ହଟି ତାଳଦଣ୍ଡା କେନାଲ୍‌ରେ ‌ବିସର୍ଜନ କରିଦେଇଥିବା ଦେଖିବାକୁ ମିଳିଛି। 

ସୂଚନାଯୋଗ୍ୟ, ଗତକାଲି ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ହାତୀପୋଖରୀ ଅତିକ୍ରମ କରୁଥିବା ବେଳେ ନାରାବାଜି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ଢେଲା ଓ କାଚ ବୋତଲ ମାଡ଼ ହୋଇଥିଲା। ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ତା’କୁ ଅତିକ୍ରମ କରି ଆଗକୁ ଯାଇଥିଲା। ରାଉସାପାଟଣା ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୬ରୁ ଅଧିକ ଆହତ ହୋଇଥିଲେ।