ଜୟପୁର: କୋରାପୁଟ ଜିଲ୍ଲାର ଭୌଗୋଳିକ ସ୍ଥିତି ଯୋଗୁଁ ଗମନାଗମନ ବ୍ୟବସ୍ଥାରେ ବହୁ ପଛରେ ପଡ଼ିଛି। ଜିଲ୍ଲାର ଅଧିକାଂଶ ପଞ୍ଚାୟତକୁ ଏବେ ମଧ୍ୟ ସଡ଼କ ପଥରେ ଯୋଗାଯୋଗ ସମ୍ଭବ ହୋଇନାହିଁ। ଅନ୍ୟପଟେ ହାତଗଣତି ଟ୍ରେନ୍‌ ହିଁ ଜିଲ୍ଲାରୁ ଚଳାଚଳ କରୁଛି। ବିମାନ ସେବା ଆରମ୍ଭ ହୋଇଥିଲେ ସୁଦ୍ଧା ସୀମିତ ସିଟ୍‌ ଏବଂ ଦର ଯୋଗୁଁ ସେଥିରେ ଯାତ୍ରା କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଜିଲ୍ଲା ବାହାରକୁ ଯିବା ପାଇଁ ଅଧିକାଂଶ ଜିଲ୍ଲାବାସୀଙ୍କୁ ବସ୍‌ ସେବା ହିଁ ଏକମାତ୍ର ଭାରସା। କିନ୍ତୁ ପ୍ରତିକୂଳ ପରିବେଶରେ ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥା ଅଧିକାଂଶ ସମୟରେ ଠପ୍‌ ହୋଇଯାଉଛି। ‌କୋରାପୁଟ ଜିଲ୍ଲାରୁ ଗୋଟିଏ ମାତ୍ର ଟ୍ରେନ୍‌ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ଚଳାଚଳ କରୁଛି।

Advertisment

ଏହାବ୍ୟତୀତ ହାୱଡା, ଜଗଦଲପୁର, ରାଉରକେଲା, ବିଶାଖାପାଟଣା ଭଳି କିଛି ପ୍ରମୁଖ ସହରକୁ ସିଧାସଳଖ ଟ୍ରେନ୍‌ ଚଳାଚଳ କରୁଛି। ତେଣୁ ଏକ୍ସପ୍ରେସ୍‌ ଟ୍ରେନ୍‌ ଗୁଡ଼ିକରେ ଅଧିକାଂଶ ସମୟରେ ପ୍ରବଳ ଭିଡ଼ ହେଉଛି। ଛୁଟି ସମୟରେ ଟ୍ରେନ୍‌ରେ ଟିକେଟ୍‌ ମିଳିବା ମଧ୍ୟ ମୁସ୍କିଲ ହେଉଛି। କିନ୍ତୁ କେକେଆର ଏବଂ କେଆର ଲାଇନ୍‌ରେ ବର୍ଷା ଦିନେ ଭୂସ୍ଖଳନ ହେଲେ ଟ୍ରେନ୍‌ ସେବା ସାମୟିକ ଭାବେ ବନ୍ଦ ରହୁଛି। ପୁଣି ଟ୍ରାକ୍‌ ମରାମତି ଏବଂ ଦୋହରୀକରଣ କାର୍ଯ୍ୟ ପାଇଁ ବି ଚଳିତ ବର୍ଷ ବାରମ୍ବାର ଟ୍ରେନ୍‌ ବାତିଲ ହୋଇଛି। ସେହିପରି ଅଧିକାଂଶ ଟ୍ରେନ୍‌ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଲେ କୋରାପୁଟ ପର୍ଯ୍ୟନ୍ତ ହିଁ ଚଳାଚଳ କରୁଛି। ଜୟପୁର ପର୍ଯ୍ୟନ୍ତ ସେବା ଉପଲବ୍ଧ ହେଉନଥିବାରୁ ଜୟପୁର ଉପଖଣ୍ଡ ସହ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାବାସୀ ଖର୍ଚ୍ଚାନ୍ତ ସହ ହୀନସ୍ତା ହେଉଛନ୍ତି। ଅନୁରୂପ ସମସ୍ୟା ବିମାନ ସେବା କ୍ଷେତ୍ରରେ ପରିଲକ୍ଷିତ ହୋଇଛି। ଚଳିତବର୍ଷ ଜୁନ୍‌, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଖରାପ ପାଗ ଯୋଗୁଁ ୧୫ଦିନ ବିମାନ ଉଡ଼ିଥିବା ବେଳେ ୧୫ଦିନ ସେବା ବନ୍ଦ ରହିଥିଲା। ଚଳିତ ମାସରେ ମଧ୍ୟ ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଦୁଇ ଦିନ ବିମାନ ସେବା ବାତିଲ ହୋଇଥିଲା। ଯାହାର ସିଧାସଳଖ ପ୍ରଭାବ ଜରୁରୀ କାମରେ ଘରୁ ବାହାରୁଥିବା ଲୋକଙ୍କ ଉ‌‌ପରେ ପଡ଼ିବା ଆରମ୍ଭ ହୋଇଛି।

ସଡ଼କ ପଥରେ ବି ଯାତ୍ରା କରିବାକୁ ଅଧିକାଂଶ ସମୟରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ବର୍ଷା ଦିନେ ରାସ୍ତାରେ ପାଣି ଚାଲିଲେ କିମ୍ବା ଭୂସ୍ଖଳନ ଭଳି ସମସ୍ୟା ଯୋଗୁଁ ବସ୍‌ରେ ଯାତ୍ରା ଲମ୍ବା ହୋଇଯାଇଛି। ପୁଣି କୋରାପୁଟ ଘାଟିରେ ଦୁର୍ଘଟଣା ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଜାମ୍‌ ହେଲେ କଥା ସରିଲା। ରାସ୍ତାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଯାତ୍ରୀ। ଏହାବ୍ୟତୀତ ମାଓବାଦୀ ଆହ୍ବାନ ଦେଲେ ଓଏସ୍‌ଆରଟିସି ବସ୍‌ ଦିନ ଦିନ ଧରି ବନ୍ଦ ରହୁଛି। ଧର୍ମଘଟ ଏବଂ ରାସ୍ତାରୋକ ହେଲେ ମଧ୍ୟ ଯାତ୍ରୀ ହିଁ ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟା ଆଜିକାଲିର ନୁହେଁ, ବର୍ଷ ବର୍ଷ ଧରି ଲାଗି ରହିଛି। କିନ୍ତୁ ସ୍ଥାୟୀ ପ୍ରତିକାର ହୋଇପାରୁନି କିମ୍ବା ଏଥିପ୍ରତି କେହି ଗୁରୁତ୍ବ ଦେଉନାହାନ୍ତି। ଅଳ୍ପ ଖର୍ଚ୍ଚରେ ଆରାମଦାୟକ ଯାତ୍ରା କେବଳ ଟ୍ରେନ୍‌ରେ ହିଁ ମିଳିପାରିବ। ତେଣୁ ବାରମ୍ବାର ରେଳପଥର ଉନ୍ନତୀକରଣ ସହ ନୂଆ ଟ୍ରେନ୍‌ ଚଳାଚଳ ପାଇଁ ଦାବି ହେଉଥିଲେ ବି ରେଳ ବିଭାଗ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଗ୍ରାଧିକାର ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।