ଭଲ ରାସ୍ତାଟିଏ ନାହିଁ, କେହି ବି ଶୁଣୁ ନାହାନ୍ତି, ଲୁଦୁ ଜଳ ପ୍ରପାତରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଫୁଲବାଣୀ: ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି। ସେଥି ମଧ୍ୟରୁ ଲୁଦୁ ଜଳ ପ୍ରପାତ ଅନ୍ୟତମ। ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ୧୭୦ କିଲୋମିଟର ଦୁରରେ ରହିଛି ଏହି ଜଳ ପ୍ରପାତ। କୋଟଗଡ ବ୍ଳକ ସୁବର୍ଣ୍ଣଗିରିରେ ଥିବା ଏହି ଜଳପ୍ରପାତର ସୌନ୍ଦର୍ଯ୍ୟମୟ ପରିବେଶ ବେଶ ଆକର୍ଷଣୀୟ। ଜଙ୍ଗଲ ଓ ପାହାଡ ଘେରରେ ଥିବା ଏହି ଜଳପ୍ରପାତ ନାଁ ଲୁଦୁ।

ଏହି ଜଳ ପ୍ରପାତ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକଷ୍ଟ କରି ପାରନ୍ତା। ହେଲେ ବିକାଶ ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଏମିତି ସେଠାକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଏହି ଭଳି ସ୍ଥ‌ଳେ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଆସି  ଅଧା ବାଟରୁ ନିରାଶ ହୋଇ ଫେରୁଛନ୍ତି। ବ୍ଳକ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଜଳପ୍ରପାତକୁ ଯିବାକୁ ପାହାଚ,ବସିବାକୁ ମଣ୍ଡପ ଓ ବେଞ୍ଚ ନିର୍ମାଣ କରିଛନ୍ତି। ଏହା ବାଦ ସେଠାରେ ଆଉ କୌଣସି ଉନ୍ନତି କରାଯାଉ ନାହିଁ। ଲୁଦୁ ଜଳ ପ୍ରପାତର ଉନ୍ନତି ଓ ସେଠାକୁ ଯିବା ପାଇଁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି।

ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବଙ୍କୁ ବହୁବାର ଲେଖା ଯାଇଛି। ଆଉ ଜିଲ୍ଲାପାଳ ଓ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। ହେଲେ ଲୁଦୁ ଜଳ ପ୍ରପାତର ବିକାଶ କଥା କେହି ଚିନ୍ତା କରୁ ନଥିବାରୁ କ୍ଷୋଭ ପ୍ରକାଶ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏଥି ସହ କନ୍ଧମାଳର ସୌନ୍ଦର୍ଯ୍ୟର ଗନ୍ଥାଘର ‌ଭରପୁର ଥିବା ଲୁଦୁ ଜଳ ପ୍ରପାତ ସମ୍ପର୍କରେ ବାହାରୁ ଆସୁଥିବା ପର୍ଯ୍ୟଟକ ଜାଣି ପାରୁ ନାହାନ୍ତି।  ଏହାର ପ୍ରଚାର ଓ ପ୍ରସାର ଯେମିତି ହେବା କଥା ତାହା ହେଉ ନାହିଁ।

ଏ ନେଇ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ବିକାଶ ସହ ଭଲ ରାସ୍ତା ଟିଏ ନିର୍ମାଣ ସହ ପ୍ରଚାର ଓ ପ୍ରସାରକୁ ଅଧିକ ହେଲେ ଲୁଦୁ ଜଳ ପ୍ରପାତକୁ ଅନ୍ୟ ପର୍ଯ୍ୟଟନ କ୍ଷେତ୍ର ଭଳି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରନ୍ତା। ଅଧିକରୁ ଅଧିକ ଦେଶ ବିଦେଶରୁ ପର୍ଯ୍ୟଟକ ଆସନ୍ତେ। ଆଉ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ ବୃଦ୍ଧି ପାଆନ୍ତା। ପର୍ଯ୍ୟଟନ ଶିଳ୍ପର ବିକାଶ କଥା ସରକାର କହୁଥିବା ବେଳେ ଦେଖା ଯାଉ ଲୁଦୁ ଜଳ ପ୍ରପାତର ବିକାଶ ଓ ଭଲ ରାସ୍ତାଟିଏ ନିର୍ମାଣ ହେବାକୁ ଆଉ କେତେ ବର୍ଷ ଲାଗୁଛି।

ସମ୍ବନ୍ଧିତ ଖବର