ଭୁବନେଶ୍ବର ସିରୋ ସର୍ଭେ ରିପୋର୍ଟ : ୧.୪ ପ୍ରତିଶତ ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଚାରିଆଡ଼େ ଭୟର ଆତଙ୍କ ସୃଷ୍ଟି କରିଥିବା ବେଳେ କ୍ରମଶଃ ଦେଶରେ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହେଉଛି । ନିକଟରେ ଭୁବନେଶ୍ବରରେ କରାଯାଇଥିବା ସିରୋ ସର୍ଭେ ରିପୋର୍ଟରୁ  ଜାଣିବାକୁ ମିଳିଛି ଯେ ଭୁବନେଶ୍ୱରରେ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଆରଏମଆରସି ପକ୍ଷରୁ  କରାଯାଇଥିବା କମ୍ୟୁନିଟି(ସାଧାରଣ ଜନତା) ସିରୋ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ, ଆଣ୍ଟିବଡି ହେଉଛି ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି । ୧.୪ ପ୍ରତିଶତ ଲୋକ ଅଜାଣତରେ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା କମ୍ୟୁନିଟି ସିରୋ ସର୍ଭେରୁ ଏପରି ଜଣାପଡିଛି। ଆରଏମଆରସି ନିର୍ଦ୍ଦେଶିକା ଡ.ସଂଘମିତ୍ରା ପତି  ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।  ସେ କହିଛନ୍ତି, ସିରୋ ସର୍ଭେ ମାଧ୍ୟମରେ ସଂକ୍ରମଣର ବେଗ ଏବଂ ପ୍ରକ୍ରିୟା ସଂପର୍କରେ ତଥ୍ୟ ମିଳିବା ସହ ମୁକାବିଲା ଲାଗି ସହାୟକ ହୋଇଥାଏ। 

ହାଇ ରିସ୍କ ଗ୍ରୁପରେ ମଧ୍ୟ କରାଯାଇଥିବା ସର୍ଭେରୁ ସମାନ ରିପୋର୍ଟ ଆସିଛି । ଅଗଷ୍ଟ ୧୬ରେ ଦ୍ୱିତୀୟ ପର୍ଯ୍ୟାୟ ସିରୋ ସର୍ଭେ ହେବ । ୨ୟ ପର୍ଯ୍ୟାୟ ସିରୋ ସର୍ଭେରେ ଜୁଲାଇର ସ୍ଥିତି ବିଷୟରେ ଜଣାପଡିବ । ପ୍ରଥମ ପର୍ଯ୍ୟାୟ ସର୍ଭେରେ ଜୁନ ମାସର ସ୍ଥିତି ଜଣାପଡିଥିଲା।

ଭୁବନେଶ୍ୱର ଓ ପୁରୀ ପରେ ଆଜିଠାରୁ ବ୍ରହ୍ମପୁରରେ ସିରୋ ସର୍ଭେ ଆରମ୍ଭ ହୋଇଛି  । ବ୍ରହ୍ମପୁରର ୨୫ଟି ୱାର୍ଡରେ ନମୁନା ସଂଗ୍ରହ କରାଯିବ ।  ୨୫୦୦ ନମୁନା ସଂଗ୍ରହ ଟାର୍ଗେଟ ଥିବା ବେଳେ ୧୫ଶହ କମ୍ୟୁନିଟି ଓ ୧୦୦୦ ହାଇରିସ୍କ ଗ୍ରୁପରୁ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ଅର୍ଥାତ ସାଧାରଣ ଲୋକଙ୍କଠାରୁ ନମୁନା ସଂଗ୍ରହ କରାଯିବ ଏବଂ ହାଇରିସ୍କ ଗ୍ରୁପ୍ ଅର୍ଥାତ ଡାକ୍ତର, ନର୍ସ, ପୁଲିସ କର୍ମଚାରୀ ଏବଂ ଯେଉଁମାନେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ରହିଛି ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯିବ ।

ଆସନ୍ତା ୬ରୁ କଟକ, ବଡମ୍ବା ଓ ନରସିଂହପୁରରୁ ସିରୋ ସର୍ଭେ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର