ଆସିକା/ପୋଲସରା: ଗାଙ୍ଗପୁର ଥାନା ଓ ଆସିକା ବ୍ଲକ୍ ଅଧୀନ ସିଙ୍ଗିପୁର ଗ୍ରାମରେ ଗତ ୨୪ ତାରିଖ ରାତିରେ ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ଠେଙ୍ଗା ଓ ଲୁହାଛଡ଼ରେ ଆକ୍ରମଣ କରିବାରୁ କିଛି ଯୁବକ ଆହତ ହୋଇଥିଲେ। ଏସଂକ୍ରାନ୍ତରେ ଦୁଇଟି ମାମଲା ରୁଜୁ ସହ ଉଭୟ ପକ୍ଷରୁ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସିଙ୍ଗିପୁର ଗ୍ରାମକୁ ନାଟକ ଦେଖିବା ପାଇଁ ମୁନିଗାଡ଼ିର କିଛି ଯୁବକ ଯାଇଥିଲେ। ସିଙ୍ଗିପୁର ଗ୍ରାମର ଜିତେନ୍ଦ୍ର ଜେନା, ବସନ୍ତ ଜେନା, ରଞ୍ଜିତ ଜେନା ଓ ରାଜେନ୍ଦ୍ର ଜେନାଙ୍କ ସମେତ ଏକ ଗୋଷ୍ଠୀ ମୁନିଗାଡ଼ି ଗ୍ରାମର ବି.ସୁକୁଟା ପାତ୍ର, ବି.ବାସୁ ପାତ୍ର, ବି.ପାଣ୍ଡବ ପାତ୍ର, ବି.ବନମାଳୀ ପାତ୍ର ଓ ବି. ବୁଲୁ ପାତ୍ରଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ।

Advertisment

ଗାଙ୍ଗପୁର ଥାନାରେ ସୁକୁଟା ପାତ୍ରଙ୍କ ଏତଲା କ୍ରମେ କେସ୍ ନମ୍ବର ୨୯୩ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତ ଜିତେନ୍ଦ୍ର, ବସନ୍ତ, ରଞ୍ଜିତ ଓ ରାଜେନ୍ଦ୍ରକୁ ପୁଲିସ ଗିରଫ କରିଛି। ଅନ୍ୟପକ୍ଷରେ ଗତକାଲି ସକା‌ଳେ ସିଙ୍ଗିପୁର ଗ୍ରାମର ବାପୁଜୀ ସାହୁ ଓ ଜିତେନ୍ଦ୍ର ଜେନା ଗାଁ ଛକରେ ଥିବା ବେଳେ ସେମାନଙ୍କୁ ବାସୁ, ପାଣ୍ଡବ, ସୁକୁଟା, ବନମାଳୀ ଓ ବୁଲୁ ଆକ୍ରମଣ କରିଥିବା ନେଇ ଏତଲା ଦିଆଯାଇଥିଲା। କେସ୍ ନମ୍ବର ୨୯୪ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତ ବାସୁ ଓ ପାଣ୍ଡବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି।

ସେହିପରି ପୋଲସରା ଥାନା ନିମିନା ପଞ୍ଚାୟତର ବିଲେଇଝୁରି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋ‌ଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଆହତମାନଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଥିରେ ସମ୍ପୃକ୍ତ ସୁବାସ ପରିଡ଼ା, ରବୀନ୍ଦ୍ର ପ୍ରଧାନ, କୁମାର ପରିଡ଼ା, ପ୍ରଶାନ୍ତ କୁମାର ପ୍ରଧାନ, ସାଇବ ପରିଡ଼ା, ବସନ୍ତ ପଲେଇ ଓ ସନ୍ତୋଷ ପ୍ରଧାନକୁ ଗିରଫ କରାଯାଇଥିବା ବେଳେ କେସ୍ ନମ୍ବର ୨୨୯ ଓ ୨୩୦/୨୩ରେ ଦୁଇଟି ମାମଲା ରୁଜୁ ‌ହୋଇଥିବା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି।