ଜଙ୍ଗଲ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ; ୫ ଗୁରୁତର, ୨୫ରୁ ଅଧିକ ଆହତ

ବନ ବିଭାଗର ଅବହେଳା, ଶାନ୍ତି କମିଟିର ପ୍ରୟାସ ବିଫଳ

ଲାଞ୍ଜିଗଡ଼: କଳହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବିଜେପୁର ପଞ୍ଚାୟତ ସିନ୍ଧିଭଟ୍ଟା ଓ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି। ଏଥିରେ ୫ ଜଣ ଗୁରୁତର ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାମତେ, ପ୍ରାୟ ୨୦ରୁ ୩୦ ବର୍ଷ ହେଲା ସିନ୍ଧିଭଟ୍ଟା ଗ୍ରାମବାସୀ ଗାଁ ନିକଟରେ ଥିବା ବେଙ୍ଗଭଟା ରିଜର୍ଭ ଫରେଷ୍ଟରେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ସେଠାରୁ ୭ କିଲୋମିଟର ଦୂର ଲାଖବାହାଲି ପଞ୍ଚାୟତର ଥୁଆଙ୍ଗପଦର ଗ୍ରାମବାସୀ ମଧ୍ୟ ଆଜକୁ ୨ ବର୍ଷ ହେଲା ସେହି ବେଙ୍ଗଭଟା ରିଜର୍ଭ ଫରେଷ୍ଟରେ ଚାଷ କରିବା ଆରମ୍ଭ କଲେ। ସେହି ଦିନ ଠାରୁ ଦୁଇ ଗାଁ ମଧ୍ୟରେ କଥା କଥାକେ ଗଣ୍ଡଗୋଳ ଲାଗି ରହୁଛି। ଏହାକୁ ନେଇ ଗତ ବର୍ଷ ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋହ୍ଲାରସ ଉଭୟ ଗ୍ରାମବାସୀଙ୍କୁ ଥାନାକୁ ଡକାଇ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବୈଠକ କରିଥିଲେ। ବୈଠକରେ ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଙ୍ଗା, ତତ୍କାଳୀନ ବିଶ୍ୱନାଥପୁର ରେଞ୍ଜର ଲକ୍ଷ ମହାନନ୍ଦ, କିଛି ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅଞ୍ଚଳର ବୁଦ୍ଧିଜୀବୀ ସାମିଲ ହୋଇ ସେହି ଜଙ୍ଗଲ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ରହିଥିବା ଯୋଗୁ ଚାଷ ନକରିବା ପାଇଁ କହିଥିଲେ।

ଏହି ପ୍ରସ୍ତାବକୁ ଉଭୟ ଗାଁ ଲୋକେ ମାନି ନେଇଥିଲେ। ସେଠାରେ ସିନ୍ଧିଭଟା ଗାଁର କପା ଚାଷ କରିଥିବା ବେଳେ ଥୁଆଙ୍ଗପଦର ଗାଁ ଲୋକେ କୁଶୁଳା ଚାଷ କରିଥିଲେ। ଉକ୍ତ ସ୍ଥାନରେ ତମ୍ବୁ ଲଗାଇ ରହିଥିବା ଥୁଆଙ୍ଗପଦର ଗାଁଲୋକେ କୁଶୁଳା ଚାଷ ଛାଡ଼ି ଚାଲି ଯାଇଥିଲେ। ସିନ୍ଧିଭଟା ଗାଁ ଲୋକେ ମଧ୍ୟ କପା ଚାଷ ସାରିବା ପରେ ସେହି ସ୍ଥାନକୁ ଛାଡ଼ି ଦେଇଥିଲେ। ଏହି ଘଟଣା ପରେ ବିଜେପୁର ଥାନା ଅଧିକାରୀ ଶ୍ରୀ କୋହ୍ଲାରସ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଡିଏଫଓ, ଲାଞ୍ଜିଗଡ଼ ତହସିଲଦାରଙ୍କୁ ଚିଠି ମାଧ୍ୟମରେ ଜଣାଇବା ସହ ଉକ୍ତ ରିଜର୍ଭ ଫରେଷ୍ଟ ଅଞ୍ଚଳକୁ ଅତିଶୀଘ୍ର ବନ ବିଭାଗ ପକ୍ଷରୁ କରିଡର କରି ରଖିବା ପାଇଁ କହିଥିଲେ। କିନ୍ତୁ ଘଟଣାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ସ୍ଥାନକୁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ବନ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ରବିବାର ପୁଣି ଦୁଇ ଗ୍ରାମବାସୀ ଉକ୍ତ ସ୍ଥାନରେ ଚାଷ କରିବାକୁ ଉଦ୍ୟମ କରିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି।

ରବିବାର ସକାଳୁ ଉଭୟ ଗାଁର ଲୋକେ ଚାଷ କାର୍ଯ୍ୟ ପାଇଁ ବେଙ୍ଗଭଟା ରିଜର୍ଭ ଫରେଷ୍ଟକୁ ଯାଇଥିବା ବେଳେ ଏହି ଜମିକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏ ସମ୍ପର୍କରେ ଉଭୟ ଗାଁର ଲୋକେ ଜାଣିବା ପରେ ଜଙ୍ଗଲରେ ଜମା ହେବାରେ ଲାଗିଲେ। ତା’ପରେ ଉଭୟ ଗାଁ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ମାଡ୍‌ପିଟ୍ ‌ହେବାରୁ ଉଭୟ ଗାଁର ୫ ଜଣ ଗୁରୁତର ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇ ଲାଞ୍ଜିଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହାକୁ ନେଇ ସିନ୍ଧିଭଟା ଗ୍ରାମବାସୀ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସିନ୍ଧିଭଟା ଗାଁର କୁମୁଟି ମାଝୀ, ବୁଡୁ ମାଝୀ, କର୍ଣ୍ଣ ମାଝୀ, ମୁନ ମାଝୀ, ରସିକ ମାଝୀ, ମଲି ମାଝୀ, ସବି ମାଝୀ, ଚନ୍ଦ୍ର ମାଝୀ, ବୁଡୁ ମାଝୀ(ଖ), ସୁରେଶ ମାଝୀ, କରମଣି ମାଝୀ, ଗଜିନ୍ଦ୍ର ମାଝୀ ପ୍ରମୁଖ ଆହତଙ୍କୁ ଲାଞ୍ଜିଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେହିପରି ଥୁଆଙ୍ଗପଦରର ଶିବ ମାଝୀ, ପ୍ରମୋଦ ମାଝୀ, ଅଭିରାମ ମାଝୀ, କୃପା ହରିଜନ, ବଳଭଦ୍ର ପ୍ରଧାନୀ, କରେଣ ମାଝୀ ପ୍ରମୁଖ ଆହତ ହୋଇଛନ୍ତି। ଉଭୟ ଗାଁର କିଛି ଲୋକଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋହ୍ଲାରସଙ୍କୁ ପଚାରିବାରୁ ଏହି ଘଟଣାକୁ ନେଇ ଗତବର୍ଷ ଜିଲ୍ଲାପାଳ, ଏସ୍‌ପି, ଡିଏଫ୍‌ଓ ଓ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲି। କିନ୍ତୁ ବନ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇ ନଥିବା ଯୋଗୁଁ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ବର୍ତ୍ତମାନ ସିନ୍ଧିଭଟା ଗାଁ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର