ବରଗଡ଼/ବିଜେପୁର: ବିଜେପୁର ବ୍ଲକ୍‌ରେ ବିଜେଡିର ଗୋଷ୍ଠୀ ବିବାଦ ବହୁ ପୁରୁଣା। ଏହି ବିବାଦ ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମରେ ପ୍ରତିଫଳନ ହୋଇଛି। ମଂଗଳବାର ଅପରାହ୍ଣରେ ଏହା ଉଗ୍ରରୂପ ଧାରଣ କରିଛି। ଦୁଇ ଗୋଷ୍ଠୀ ବିଜେପୁର ଡାକ୍ତରଖାନା ପରିସରରେ କେବଳ ମୁହାଁମୁହିଁ ହୋଇନାହାନ୍ତି। ବରଂ ମାଡ୍‌ପିଟ୍‌ ପର୍ଯ୍ୟନ୍ତ କଥା ଯାଇଛି। ଦୁଇ ଗୋଷ୍ଠୀ ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ଥାନାରେ ଏତଲା ଦିଆଯାଇଛି। ଏହି ସଂଘର୍ଷର ସୂତ୍ରପାତ ହୋଇଛି ଠିକା କାମକୁ ନେଇ। ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ରର ରୋଷେଇ ଘର ନିର୍ମାଣ ପାଇଁ ଦୁଇ ଗୋଷ୍ଠୀର ପ୍ରତିନିଧି ସେଠା‌ରେ ପହଂଚିଥିଲେ। କିଏ କାମ କରିବ, ତାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

Advertisment

ଏହାପରେ ମାଡ୍‌ପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ସ୍ଥିତି କାବୁ କରିଥିଲା। ବଡ଼ ଅଘଟଣ ଏଡ଼ାଇବାକୁ ବିଜେପୁରରେ ସଶସ୍ତ୍ର ପୁଲିସ୍‌ ବି ମୂତୟନ କରାଯାଇଛି। ବିଳମ୍ବିତ ସଂଧ୍ୟାରେ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ବିଜେପୁର ଏନ୍‌ଏସି ଅଧ୍ୟକ୍ଷା ସୀତା ବାରିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଓ କିଛି କାଉନ୍‌ସିଲର୍‌ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ପାଖକୁ ଯାଇଥିଲେ। ସେଠାରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ‌ସୌରଭଙ୍କ ସମେତ ତାଙ୍କ ସମର୍ଥକ ପହଂଚି ଗଣ୍ଡ‌‌ଗୋଳ କରିଥିଲେ।

ଏପରିକି ତାଙ୍କ ଶାଢ଼ୀ ଟଣାଓଟରା କରି ହତ୍ୟା ଧମକ ଦେଇଥିବା ଶ୍ରୀମତୀ ବାରିକ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟ ଏକ ଏତଲାରେ ଏହାକୁ ୱାର୍ଡ ନମ୍ବର-୧, ୬, ୯, ୩ ଏବଂ ୧୦ର ୱାର୍ଡ ମେମ୍ବରମାନେ ସମର୍ଥନ ଜଣାଇ ସମା‌ନ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପରୋକ୍ଷ ଗୋଷ୍ଠୀ ପକ୍ଷରୁ ୱାର୍ଡ ନମ୍ବର ୭ର ସଦସ୍ୟ ଉମାକାନ୍ତ ବେସନ ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ରୋଷେଇ ଘର ନିର୍ମାଣ ସକାଶେ ଏନ୍‌ଏସି ଅଧ୍ୟକ୍ଷା ଏବଂ କନିଷ୍ଠ ଯନ୍ତ୍ରୀ ଲେ-ଆଉଟ୍‌ ଦେବାକୁ ଯାଇଥିଲେ। କିଛି ଚୂଡ଼ାନ୍ତ ନ ହୋଇ କେମିତି ଲେ-ଆଉଟ୍‌ ଦିଆଯାଉଛି ବୋଲି ଉମାକାନ୍ତ ପ୍ରଶ୍ନ କରିଥିଲେ।  ଏହାପରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହେଲା। ଏପରିକି ଜାତିଆଣ ଆକ୍ଷେପ କରି ପ୍ରାଣାନ୍ତକ ଆକ୍ରମଣ ହୋଇଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ବିଜେପୁର ପୁଲିସ୍‌ ଉଭୟ ଏତଲା ଗ୍ରହଣ କରି ତନାଘନା ଚଳାଇଥିବା ଥାନାଧିକାରୀ ସନୟ ନାୟକ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଜେପୁର ଅସ୍ଥିର ରହିଛି।