ଭୁବନେଶ୍ବର: ଓଡ଼ିଶା ଗୋଷ୍ଠୀ ସହାୟିକା (ସିଆର୍ପି, ସିଏମ୍) ସଂଘ (ଏଆଇଟିୟୁସି )ପକ୍ଷରୁ ଆଜି ମାଷ୍ଟର୍କ୍ୟାଣ୍ଟିନ୍ ଛକ ନିକଟରେ ଧାରଣା ଦିଆଯାଇଛି। ମାସିକ ସର୍ବନିମ୍ନ ମଜୁରି ୨୬ହଜାର ଟଙ୍କା ପ୍ରଦାନ, ଭିଆର୍ଏଫ୍ ଫଣ୍ଡକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି, ସାମାଜିକ ସୁରକ୍ଷା ପ୍ରଦାନ, ଅନ୍ଲାଇନ୍ କାମ ପାଇଁ ଲାପ୍ଟପ୍ ପ୍ରଦାନ, ବର୍ଷକୁ ଦୁଇଯୋଡ଼ା ଶାଢ଼ି ପ୍ରଦାନ ଭଳି ୧୧ଦଫା ଦାବିରେ ସଂଘର କର୍ମକର୍ତ୍ତାମାନେ ବିଶାଳ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସଭାପତି ବିଜୟ ମହାନ୍ତି ଏଥିରେ ପୌରୋହିତ୍ୟ କରିଥିଲେ।
ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ର, ରାଜ୍ୟ ଉପସଭାପତି ବ୍ରଜବନ୍ଧୁ ପ୍ରଧାନ, ସାଧାରଣ ସମ୍ପାଦିକା ସରସ୍ବତୀ ବେହେରା, ରାଜ୍ୟ ଉପସାଧାରଣ ସମ୍ପାଦିକା ଅନସୂୟା ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜନବାଦୀ ଗୌଡ଼, ରୁନୁ ମହାନ୍ତ, ରେଜିଆ ଖାତୁନ୍, ଝରଣାବାଳା, ସୁଚିତ୍ରା ସ୍ବାଇଁ, ବାସନ୍ତୀ ବାରିକ, ବିଳାସିନୀ ମହାନ୍ତ, ରୀନା ପରିଡ଼ା, ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ପରେ ସିଆର୍ପିମାନଙ୍କର ସମସ୍ତ ଦାବି ସମ୍ପର୍କରେ ଏକ ପ୍ରତିନିଧିମଣ୍ଡଳୀ ମିସନ ଶକ୍ତି ସଚିବ ଶାଲିନୀ ପଣ୍ଡିତଙ୍କୁ ଭେଟି ଅବଗତ କରାଇଥିଲେ। ସମସ୍ତ ଦାବି ଯଥା ଶୀଘ୍ର ପୂରଣ ସହିତ ଇନ୍ସେନ୍ଟିଭ୍ ବଦଳରେ ଦରମାର ସ୍ଥାୟିତ୍ବକୁ ଏକ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ସଚିବ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।