ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣା: ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କଲେ ମୃତକଙ୍କ ପରିବାର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଯୋଗୁଁ ପ୍ରାଣ ହରାଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦାବି ହୋଇଛି। କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି। ପରିବାର ଲୋକ କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚି ଏହି ଦାବି କରିଥିବା ଜଣାଯାଇଛି ।

ଛାତ ଭୁଶୁଡ଼ି ବଡମ୍ୱା ଅଞ୍ଚଳର ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କର ମୃତ୍ୟୁ ହୋଇଛି । ଭାଙ୍ଗି ଯାଇଥିବା ଛାତ ତଳେ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଫସି ରହିବାରୁ ଶ୍ରମିକ ଜଣଙ୍କର ମୃତ୍ୟୁ ହୋଇଛି । ସନ୍ଧାନୀ କୁକୁର ଜରିଆରେ ତାଙ୍କୁ ଠାବ କରାଯିବା ପରେ ସମସ୍ତ ଲୁହା ରଡକୁ ବାହାର କରି ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଜଣେ ଅଳ୍ପକେ ମୃତ୍ୟୁ ମୁହଁରୁ ରକ୍ଷା ପାଇ ଯାଇଛନ୍ତି । ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ନାମ ନବକିଶୋର ସ୍ୱାଇଁ ଏବଂ ଘର ଢେଙ୍କାନାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଏଣେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି। ପୁଲିସ୍ ତାଙ୍କୁ ପଚରାଉଚରା କରୁଛି। ଦିଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲୀପ ଖଟେଇଙ୍କୁ ଅଟକି ରଖି ଡିସିପିଙ୍କ ନେତୃତ୍ୱରେ କମିଶନରେଟ୍ ପୁଲିସ୍ ପଚରାଉଚରା କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଟର୍ମିନାଲ୍ ୧ ଓ ଟର୍ମିନାଲ୍ ୨କୁ ସଂଯୋଗ କରିବାକୁ ଏକ ଛାତର ନିର୍ମାଣ କାମ ଚାଲିଥିବା ବେଳେ ଗତକାଲି ଏହା ଭୁଶୁଡ଼ି ପଡିଥିଲା। ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ ଶ୍ରମିକ । ଦୁର୍ଘଟଣା ସଂପର୍କରେ ଖବର ପାଇ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ।


ପ୍ରାୟ ୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା । ତିନି ମାସ ହେବ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ରାତିରେ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଅଚାନକ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ପରେ ମୁହଁଫୁଟାଣି ଦେଖାଇଥିଲେ ଦିଲୀପ । ସବୁ ଦୋଷ ଶ୍ରମିକଙ୍କର ବୋଲି ସେ କହିଥିଲେ । ଅନ୍ୟପଟେ ତଦନ୍ତ ପରେ କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତାହା ଜଣାପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଥିଲେ ।

ସମ୍ବନ୍ଧିତ ଖବର