ଖଣି ନିଲାମ ପୂର୍ବରୁ ଲିଜ୍‌ ଅଞ୍ଚଳ ବୁଲିଲେ କମ୍ପାନି ପ୍ରତିନିଧି

ଯୋଡ଼ା : ଖଣି ନିଲାମ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ଦେଶର ବହୁ ବଡ଼ବଡ଼ କମ୍ପାନିଙ୍କ ନଜର ଏବେ ଯୋଡ଼ା ଖଣି ଅଞ୍ଚଳ ଉପରେ ପଡ଼ିଛି। ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପୂର୍ବରୁ ବହୁ ବଡ଼ବଡ଼ କମ୍ପାନିର ପ୍ରତିନିଧିମାନେ ଲିଜ ଅଞ୍ଚଳ ପରିଦର୍ଶନ କରିବା ସହ ଲୁହାପଥର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଖଣି ଲିଜ୍‌ ଅବଧି ଶେଷ ହେବାକୁ ଥିବା ବେଳେ ସେଗୁଡ଼ିକର ପୁନଃ ନିଲାମ ପାଇଁ ଘୋଷଣା କରାଯାଇଛି। ଦେଶର ବୃହତ୍ କମ୍ପାନିମାନେ ଏବେ ଯୋଡ଼ା ଖଣି ଅଞ୍ଚଳ ମୁହାଁ ହୋଇ ଲୁହାପଥର ବ୍ୟବସାୟରେ ପୁଞ୍ଜି ନିବେଶ କରିବାକୁ ତତ୍ପରତା ଦେଖାଉଛନ୍ତି। ଦେଶର ପ୍ରମୁଖ କମ୍ପାନି ଗୁଡ଼ିକ ମଧ୍ୟରୁ ଆର୍ସେଲର ମିତ୍ତଲ, ଟାଟାଷ୍ଟିଲ, ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ସ୍ପଞ୍ଜ ଲିମିଟେଡ, ଟିଏସ୍‌ ଏଲୋୟେଜ, ରାମଗଡ଼ ମାଇନିଂ ଆଣ୍ତ ମିନେରାଲ ଲିମିଟେଡ, ଏମ୍‌ଏସ୍‌ପିଏଲ୍‌ର ପ୍ରତିନିଧିମାନେ ଯୋଡ଼ା ଲିଜ୍‌ ଅଞ୍ଚଳ ବୁଲି ଦେଖିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଖଣି ଗୁଡ଼ିକର ଲିଜ୍‌ ଅବଧି ସରୁଛି। ପ୍ରଥମ ପର୍ଯ୍ୟାୟରେ ଯୋଡ଼ା ଖଣି ମଣ୍ତଳରେ ୮ଟି ଖଣିର ନିଲାମ ପାଇଁ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ସେଗୁଡ଼ିକ ହେଲା ନୂଆଗାଁର କେଜେଏସ୍‌ ଆଲୱାଲିଆ ଖଣି, ଠାକୁରାଣୀର କେପି ଇଣ୍ଟରପ୍ରାଇଜେସ ଖଣି, ଜଜାଙ୍ଗର ରୁଙ୍ଗଟା ମାଇନ୍‌ସ, ରୁଙ୍ଗଟା ସନ୍‌ସ ଖଣି ସିଲିଯୋଡ଼ା, କାଳିମାଟି, ଜିଲିଂର ଏସେଲ ମାଇନିଂ ଆଣ୍ତ ଇଣ୍ତଷ୍ଟ୍ରିଜ ଖଣି, ଜରିବାହାଳର ପଟ୍ଟନାୟକ ମିନେରାଲ ପ୍ରାଇଭେଟ ଲିମିଟେଡ ଖଣି, କେଏନ୍‌ ରାମ ଖଣି ରୋଇଡା (୨) ଓ ଜୁରୁଡ଼ିର କଳିଙ୍ଗ ମାଇନିଂ କର୍ପୋରେସନ ଖଣି। ଏଗୁଡ଼ିକ ଯୋଡ଼ା ଖଣି ମଣ୍ତଳର ବୃହତ ଲୁହାପଥର ଖଣିଭାବେ ପରିଚିତ। ଏହା ଏବେ ବିଭିନ୍ନ ଲିଜ୍‌ଧାରୀଙ୍କ ଅଧୀନରେ ରହିଛି।

ସମ୍ବନ୍ଧିତ ଖବର