ନିମ୍ନମାନର ବ୍ୟାଟେରି ବିକ୍ରି ଅଭିଯୋଗରେ ଖାଉଟି ଅଦାଲତରେ କମ୍ପାନି ଦଣ୍ଡିତ

ଆନନ୍ଦପୁର : ନିମ୍ନମାନର ବ୍ୟାଟେରି ବିକ୍ରି ଅଭିଯୋଗର ବିଚାର କରି କେନ୍ଦୁଝର ଜିଲ୍ଲା ଖାଉଟି ଅଦାଲତ ସମ୍ପୃକ୍ତ କମ୍ପାନିକୁ ଦଣ୍ଡାଦେଶ ଶୁଣାଇଛନ୍ତି। ଗ୍ରାହକଙ୍କୁ ବ୍ୟାଟେରି ଅର୍ଥରାଶି ସାଙ୍ଗକୁ ମାନସିକ ନିର୍ଯ୍ୟାତନା ବାବଦକୁ ୫ହଜାର ଟଙ୍କା ଜରିମାନା ଦେବାକୁ ଧାର୍ଯ୍ୟ କରାଯାଇଛି। ଖାଉଟି ଅଦାଲତ ପକ୍ଷରୁ କରାଯାଇଥିବା ଆଦେଶର ଏକମାସ ପୂରିଥିବାବେଳେ ଅଦ୍ୟାବଧି କମ୍ପାନି କର୍ତ୍ତୃପକ୍ଷ କୌଣସି ଅର୍ଥ ଗ୍ରାହକଙ୍କୁ ପ୍ରଦାନ କରି ନଥିବା ଜଣାପଡିଛି।

ସୂଚନା ଅନୁସାରେ ଆନନ୍ଦପୁର ପୌରାଞ୍ଚଳ ୧୫ନମ୍ବର ୱାର୍ଡ଼ର ଦିଲୀପ୍ କୁମାର ମହାରଣା ୨୦୨୧ ଜୁନ୍ ୧୫ତାରିଖରେ ସ୍ଥାନୀୟ ଶାଳପଡ଼ାର ତାରିଣୀ ମୋଟର୍ସରୁ ୧୯,୫୦୦ଟଙ୍କା ଦେଇ ଲୁମିନସ୍ କମ୍ପାନିର ଏକ ବ୍ୟାଟେରି କିଣିଥିଲେ। ଦୁଇମାସ ମଧ୍ୟରେ ଏହି ବ୍ୟାଟେରି କାମ କରି ନଥିଲା। ଫଳରେ ସେ ବିକ୍ରେତା ଓ କମ୍ପାନିର ଡିଷ୍ଟ୍ରିବ୍ୟୁଟରକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଫଳରେ ସେ ବାଧ୍ୟହୋଇ ଜିଲ୍ଲା ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ଶାଳପଡ଼ାର ତାରିଣୀ ମୋଟର୍ସ, ଯାଜପୁରରୋଡ଼ ଚୋରଦାର ଲୁମିନସ୍ କେୟାର ଓ ହରିଆନା ଗୁରଗାଁର ଲୁମିନସ୍ ପାୱାର ଟେକନୋଲୋଜି କମ୍ପାନିକୁ ପକ୍ଷଭୁକ୍ତ କରାଯାଇଥିଲା। ମାମଲାର ବିଚାରକରି ଖାଉଟି ଅଦାଲତର ସଭାପତି ବିରଞ୍ଚି ନାରାୟଣ ପାତ୍ର, ମେମ୍ବର ଭାରତ ଭୂଷଣ ଦାସ ଏହାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ୩୦ ଜୁନରେ ଏହି ରାୟ ପ୍ରକାଶ ପାଇଥିବାବେଳେ ଅଦ୍ୟାବଧି ଦିଲୀପଙ୍କୁ କ୍ଷତିପୂରଣ ମିଳି ନଥିବା ଜଣାପଡିଛି। ବିଳମ୍ବ ହେଲେ ମାସିକ ୬ପ୍ରତିଶତ ଅଧିକ ଅର୍ଥ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର