ଭୁବନେଶ୍ବର : ରାଜ୍ୟରେ ନକଲି ଉଚ୍ଚ ରକ୍ତଚାପ ଔଷଧ(ଟେଲ୍ମା ୪୦, ଟେଲ୍ମା ଏଏମ୍) ଚିହ୍ନଟ ପରେ ଚେତିଛି ଭେଷଜ ନିର୍ଦେଶାଳୟ। ଏବେ ଯେଉଁସବୁ ଲୋକପ୍ରିୟ ବ୍ରାଣ୍ଡ କମ୍ପାନିର ଔଷଧ ଓଡ଼ିଶାକୁ ଆସୁଛି ପ୍ରତି ମାସରେ ତାହାର ବ୍ୟାଚ୍ ନମ୍ବର ନିର୍ଦେଶାଳୟକୁ ଜଣାଇବାକୁ କୁହାଯାଇଛି। ଏଥିରେ କିଛି ନାମୀ କମ୍ପାନି ରାଜି ହୋଇଛନ୍ତି। ଆହୁରି ଏକାଧିକ କମ୍ପାନିମାନଙ୍କ ସହ ଏ ସଂପର୍କରେ ନିର୍ଦେଶାଳୟ ପକ୍ଷରୁ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।
ଚଳିତମାସରେ ରାଜ୍ୟରେ ଲକ୍ଷାଧିକ ଟଙ୍କାର ନକଲି ଉଚ୍ଚ ରକ୍ତଚାପ ଔଷଧ ଜବତ ହୋଇଥିଲା। ଗ୍ଲେନମାର୍କ କମ୍ପାନି ଖୋଳରେ ସଂପୃକ୍ତ ନକଲି ଔଷଧ ବିକ୍ରି ହେଉଥିବା ନଜରକୁ ଆସିଥିଲା। ତେଣୁ ଆଗାମୀ ଦିନରେ ସଂପୃକ୍ତ ବ୍ରାଣ୍ଡରେ ଯେପରି କୌଣସି ନକଲି ଔଷଧ ବିକ୍ରି ନ ହୁଏ ସେଥିପାଇଁ ନିର୍ଦେଶାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କୌଣସି କମ୍ପାନିର ଔଷଧ ଓଡ଼ିଶାକୁ ଆସିଲେ ତାହାର ବ୍ୟାଚ୍ ନମ୍ବର ନିର୍ଦେଶାଳୟକୁ ଜଣାଇବାକୁ କୁହାଯାଇଛି। ଏହି ବ୍ୟାଚ୍ ନମ୍ବରଗୁଡ଼ିକୁ ପରବର୍ତୀ ସମୟରେ ରାଜ୍ୟରେ ଥିବା ଡ୍ରଗ୍ ଇନ୍ସପେକ୍ଟର(ଡିଆଇ)ମାନଙ୍କୁ ଜଣାଇ ଦିଆଯିବ। ଫଳରେ ନିୟମିତ ଯାଞ୍ଚ କିମ୍ବା ଅଭିଯୋଗ ଆସିଲେ ବ୍ୟାଚ୍ ନମ୍ବରରୁ ହିଁ କୌଣସି କମ୍ପାନିର ଔଷଧ ନକଲି କିମ୍ବା ଅସଲିକୁ ଚିହ୍ନଟ କରିବା ସହଜ ହେବ।
ସାମାଜିକ ଗଣମାଧ୍ୟମରେ ବୁଲୁଛି ଏକାଧିକ କମ୍ପାନି ଏକ୍ସପାରି ଔଷଧର ତାଲିକା
ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ। ବଜାରରେ ଉପଲବ୍ଧ ଅନେକ ବ୍ରାଣ୍ଡର ଔଷଧ ଲୋକମାନେ ସେବନ କରୁଛନ୍ତି। ମାତ୍ର ଗୋଟିଏ ବ୍ରାଣ୍ଡର ରକ୍ତଚାପ ଔଷଧ ନକଲି ବୋଲି ସ୍ପଷ୍ଟ ହେବା ପରେ ଲୋକଙ୍କ ଭିତରେ ଏହାକୁ ନେଇ ଭୟ ସୃଷ୍ଟି ହୋଇଛି। ଯଦିଓ ଖୁଚୁରା ବା ରିଟେଲ୍ ମାର୍କେଟ୍ରେ ଏବେ ଏହି ବ୍ୟାଚ୍ର କୌଣସି ଔଷଧ ଉପଲବ୍ଧ ନାହିଁ, ତଥାପି ଲୋକମାନେ ନକଲି ଭୟରୁ ନିଜକୁ ଦୂରେଇ ପାରୁ ନାହାନ୍ତି। ଏହାକୁ ଦେଖି କିଛି ଅସାମାଜିକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଏକାଧିକ ଔଷଧ କମ୍ପାନିର ବ୍ୟାଚ୍ ନମ୍ବର ଓ ଏକ୍ସପାରି ବା ଅବଧି ଶେଷ ହୋଇଥିବା ତାଲିକା ଛାଡ଼ିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତମାନସୁଦ୍ଧା ଲୋକଙ୍କ ମନରୁ ଭୟ ଦୂର କରିବା ଲାଗି ବିଶେଷ ପଦକ୍ଷେପ ନିଆଯାଇ ନ ଥିବାରୁ ଏହା ଲୋକଙ୍କୁ ଭ୍ରମିତ କରୁଛି। ଅପରପକ୍ଷରେ ଲୋକପ୍ରିୟ ଔଷଧ କମ୍ପାନିମାନଙ୍କର ପ୍ରତି ରାଜ୍ୟରେ ସି ଏଣ୍ଡ ଏଫ୍ ସହିତ ନିଜସ୍ବ ଗୁଇନ୍ଦା ବ୍ୟବସ୍ଥା ମଧ୍ୟ ରହିଛି। କୌଣସି ରାଜ୍ୟରେ ତାଙ୍କର କୌଣସି ଔଷଧର ନକଲ କରାଯାଇଛି କି ନାହିଁ ତାହା ଜାଣିବା ଲାଗି ନିଜସ୍ବ ଗୁଇନ୍ଦା ତଥ୍ୟ ନେଇଥାନ୍ତି। ମାତ୍ର ଧରାପଡ଼ିଥିବା ଗ୍ଲେନମାର୍କ କମ୍ପାନିର ଔଷଧ କ୍ଷେତ୍ରରେ ତାହା କିଭଳି ହେଲାନାହିଁ ତାହା ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଏହାସହ ରାଜ୍ୟରେ ସାଧାରଣ ଲୋକଙ୍କ ଅଭିଯୋଗ ପ୍ରକ୍ରିୟାକୁ ସୁଦୃଢ଼ କରାଯିବାର ମଧ୍ୟ ଆବଶ୍ୟକତା ରହିଛି। ଯେହେତୁ ଲୋକପ୍ରିୟ ବ୍ରାଣ୍ଡ ବାଦ ଶହ ଶହ କମ୍ପାନିର ଔଷଧ ବଜାରରେ ମିଳୁଛି ଏ ଦୃଷ୍ଟିରୁ ଭେଷଜ ନିର୍ଦେଶାଳୟ ପକ୍ଷରୁ ରାଜ୍ୟରେ ଥିବା ଡିଆଇ କିମ୍ବା ଟୋଲ୍ ଫ୍ରି ନମ୍ବର ଜାରି କରିବା ଉପରେ ସାଧାରଣରେ ଦାବି କରାଯାଉଛି। ଯାହାଫଳରେ ଲୋକମାନେ ନିଜ ଆଡ଼ୁ ଅଭିଯୋଗ କରିପାରିବେ।
ରାଜ୍ୟ ଭେଷଜ ନିର୍ଦ୍ଦେଶକ ସୁବୋଧ ନାୟକ କହିଛନ୍ତି, ରାଜ୍ୟରେ ନକଲି ଔଷଧର ପ୍ରବେଶକୁ ରୋକିବା ଲାଗି ଯେଉଁ ଯେଉଁ କମ୍ପାନି ଓଡ଼ିଶାକୁ ନିଜର ଔଷଧ ଛାଡ଼ୁଛନ୍ତି ସେମାନଙ୍କୁ ପ୍ରତି ମାସରେ ବ୍ୟାଚ୍ ନମ୍ବର ଜଣାଇବାକୁ କୁହାଯାଇଛି। ଏ ସଂକ୍ରାନ୍ତରେ ସବୁ କମ୍ପାନିମାନଙ୍କୁ ଚିଠି ଜାରି କରାଯିବ। ଏବେ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗ ପାଇଁ ଉପଲବ୍ଧ ଔଷଧର ଯାଞ୍ଚକୁ ଗୁରୁତ୍ବ ଦିଆଯାଉଛି। ଏହାଭିତରେ ଅନ୍ୟ ବ୍ରାଣ୍ଡର ଔଷଧ ମଧ୍ୟ ପରୀକ୍ଷା କରାଯାଇଛି। ବର୍ତମାନସୁଦ୍ଧା ଯାଞ୍ଚରୁ ଧରା ପଡ଼ିଥିବା ନକଲି ଔଷଧ ବିହାରରୁ ହିଁ ଯୋଗାଣ ହୋଇଥିବା ସ୍ପଷ୍ଟ ହୋଇଛି। ଯେହେତୁ ପୁଲିସ ଓ ନିର୍ଦେଶାଳୟର ଟିମ୍ ସେଠାକୁ ଯାଞ୍ଚ ପାଇଁ ଯାଇଛନ୍ତି ଆସିବା ପରେ ଅନ୍ୟ ସୂଚନା ମିଳିପାରିବ। ତେବେ ସାମାଜିକ ଗଣମାଧ୍ୟମରେ ଯେଉଁସବୁ ଔଷଧର ନାଁ ସହିତ ବ୍ୟାଚ୍ ନମ୍ବର ଓ ଅବଧି ତାରିଖ ବୁଲୁଛି ଏଥିରେ କୌଣସି ସତ୍ୟତା ନାହିଁ। ଲୋକଙ୍କୁ ଭ୍ରମିତ କରିବା ଲାଗି ହୁଏତ କେହି ଏଭଳି ତାଲିକା ପ୍ରସ୍ତୁତ କରିପାରିଥାଏ। ୱେବସାଇଟ୍ରେ ସମସ୍ତ ଡିଆଇମାନଙ୍କ ନମ୍ବର ରହିଛି। ତେବେ ଲୋକମାନେ କିଭଳି ସହଜରେ ନମ୍ବରଗୁଡ଼ିକ ଜାଣିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/medicine1.jpg)