ଅନୁକମ୍ପାମୂଳକ ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ରଦ୍ଦ

ମୃତ୍ୟୁ, ଚାକିରି ଆବେଦନ ସମୟ ନିୟମ ପାଳନ ପାଇଁ ନିର୍ଦ୍ଦେଶ50

କଟକ: ଚାକିରିରେ ଥାଇ ମୃତ୍ୟୁ ହୋଇଥିବା ସରକାରୀ କମର୍ଚାରୀଙ୍କ ପରିବାର ସଦସ୍ୟଙ୍କ ଥଇଥାନ ଯୋଜନାରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ବିଚାର କରାଯିବାବେଳେ ସଂପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ସମୟରେ ଓ ନିଯୁକ୍ତି ସଂପର୍କିତ ଦରଖାସ୍ତ ଦାଖଲ ହେବାବେଳେ ଥିବା ନିୟମ ଲାଗୁ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ଓ ଜଷ୍ଟିସ୍‌ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ, ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ୨୦୧୦, ଜୁଲାଇର ଦରଖାସ୍ତକୁ ୧୯୯୦ର ନିୟମ ଅନୁସାରେ ବିଚାରକୁ ନେବେ ରାଜ୍ୟ ସରକାର। ଯଦି ସେ ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ଜୁନିୟର କ୍ଲର୍କ ଭାବେ ତାଙ୍କୁ ନିଯୁକ୍ତି ଦିଆଯିବ। ଏହି ପ୍ରକ୍ରିୟା ୪ ସପ୍ତାହ ଭିତରେ ଶେଷ ହେବ। ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗ ନେଇ ଦାଖଲ ହେଉଥିବା ଦରଖାସ୍ତଗୁଡ଼ିକ ଉପରେ ବିଚାର ପାଇଁ ସରକାରୀ ବିଭାଗଗୁଡ଼ିକ ବହୁ ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଯଥାଶୀଘ୍ର ଏପରି ଦରଖାସ୍ତ ବିଚାରକୁ ‌ନିଆଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଓଡ଼ିଶା ହାଇକୋର୍ଟଙ୍କ ୨୦୨୧, ଅକ୍ଟୋବର ୨୬ର ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ଫେବ୍ରୁଆରି ୧୭ରେ ଥଇଥାନ ଯୋଜନା ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ନୂଆ ନିୟମାବଳୀ ଜାରି କରିଥିଲେ। ୧୯୯୦ର ନିୟମାବଳୀକୁ ସରକାର ଅକାମି କରିଥିଲେ। ନୂଆ ନିୟମ ଅନୁସାରେ ଅନୁକମ୍ପାମୂଳକ ନିଯୁକ୍ତି କେବଳ ଗ୍ରୁପ୍ ଡି ପଦବିରେ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ବିଚାରାଧୀନ ସମସ୍ତ ମାମଲା ନୂଆ ନିୟମ ଅନୁସାରେ ବିଚାର ହେବ। ଅନୁକମ୍ପାମୂଳକ ନିଯୁକ୍ତିକୁ ଅଧିକାର ଭାବେ ଗ୍ରହଣ କରାଯିବ ନାହିଁ ବୋଲି ୨୦୨୦ ନିୟମାବଳୀରେ ଉଲ୍ଲେଖ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ହାଇକୋର୍ଟ ୨୦୨୧ ଅକ୍ଟୋବର ୨୬ରେ ମାମଲାର ରାୟ ପ୍ରକାଶ କରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ବିଚାର କରାଯିବାବେଳେ ପ୍ରଚଳିତ ନିୟମାବଳୀ ଲାଗୁ ହେବା ସପକ୍ଷରେ ରାୟ ଦେଇଥିଲେ। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଯେବେ ହୋଇଥାଉ ପଛେ ଥଇଥାନ ଯୋଜନାରେ ନିଯୁକ୍ତି ସମୟରେ ୨୦୨୦ରେ ରାଜ୍ୟ ସରକାର ପ୍ରଣୟନ କରିଥିବା ନୂଆ ନିୟମାବଳୀ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଥିଲା।

ହାଇକୋର୍ଟଙ୍କ ୨୦୨୧ ଅକ୍ଟୋବର ୨୬ର ରାୟକୁ ଚାଲେଞ୍ଜ କରି ମଳୟ ଏନ୍‌. ସେଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ ଅବକାରୀ ବିଭାଗରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବାବେଳେ ୨୦୧୦ ଜାନୁଆରି ୨ରେ ତାଙ୍କ ବାପାଙ୍କ ପରଲୋକ ହୋଇଥିଲା। ୧୯୯୦ର ନିୟମ ଅନୁସାରେ ଜୁନିୟର କ୍ଲର୍କ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ପାଇବା ପାଇଁ ଆବେଦନକାରୀ ୨୦୧୦ ଜୁଲାଇରେ ଦରଖାସ୍ତ କରିଥିଲେ। ତାଙ୍କ ଦରଖାସ୍ତ ଅବକାରୀ କମିସନରଙ୍କ ନିକଟକୁ ୨୦୧୧ରେ ପଠାଯାଇଥିଲା। ୨୦୧୬ ପର୍ଯ୍ୟନ୍ତ ଏହି ଦରଖାସ୍ତ ପଡ଼ି ରହିଥିଲା। ସବୁଦୃଷ୍ଟିରୁ ଯୋଗ୍ୟ ହୋଇଥିଲେ ମଧ୍ୟ ଆବେଦନକାରୀଙ୍କୁ କିନ୍ତୁ ୧୯୯୦ ନିୟମ ଅନୁସାରେ ଜୁନିୟର କ୍ଲର୍କ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ମିଳି ନଥିଲା। ଏହା ଭିତରେ ୧୯୯୦ ବଦଳରେ ୨୦୨୦ର ନୂଆ ନିୟମ କାର୍ଯ୍ୟକାରୀ ହୋଇଥିଲା। ୨୦୨୦ ନିୟମ ଅନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୨୦୨୧ ଏପ୍ରିଲ ୨୬ରେ ଅବକାରୀ କମିସନର୍‌ ଆବେଦନକାରୀଙ୍କ ଦରଖାସ୍ତକୁ ପଠାଇଥିଲେ। ଏହାପରେ ୧୯୯୦ ନିୟମ ଅନୁସାରେ ତାଙ୍କ ଦରଖାସ୍ତ ବିଚାରକୁ ନିଆଯାଉ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଦାୟର କରିଥିବା ଆବେଦନ ଖାରଜ ହୋଇଥିଲା। ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର