କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ: କରୋନାରେ ପ୍ରାଣ ହରାଇଥିବା ଆଉ ୩ ସାମ୍ବାଦିକଙ୍କ ପରିବାର ପାଇବେ ୧୫ ଲକ୍ଷ ଟଙ୍କା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତାହା ମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ବର୍ଗତ ଅଶୋକ କୁମାର ସାହୁଙ୍କ ପରିବାର, କେନ୍ଦୁଝର ଜିଲ୍ଲାରେ ‘ଓଡ଼ିଶା ଭ‌ାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାର ଓ ବାଲେଶ୍ବର ଜିଲ୍ଲାରେ ‘ଇପିଏ ଉଇକ୍ଲି’ର ପ୍ରତିନିଧି ସ୍ବର୍ଗତ ସୋଲୋମାନ୍ ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଏହା ବାଦ୍‌ ଭୁବନେଶ୍ବରରେ ‘ନିତିଦିନ’ ସମ୍ବାଦପତ୍ରର ପ୍ରତିନିଧି ସ୍ବର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ’ ଖବରକାଗଜର ପ୍ରତିନିଧି ସ୍ବର୍ଗତ ପ୍ରଭାତ କୁମାର ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ବରର ମୁକ୍ତବୃତ୍ତ ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‌ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ସମାଜ ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି।

ପୂର୍ବରୁ ରାଜ୍ୟ ସରକାର କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୬ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ସମ୍ପ୍ରତି କୋଭିଡ୍‌ର ଦ୍ବିତୀୟ ଲହର‌ରେ ବହୁ କର୍ମଜୀବୀ ସାମ୍ବାଦିକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯୋଗ୍ୟ ସାମ୍ବାଦିକଙ୍କୁ ଅନୁମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ ସୁପାରିସ୍‌ ସହ ତୁରନ୍ତ ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ ଜଟିଳ ବ୍ୟାଧିର ଚିକିତ୍ସା ତଥା ଅକାଳ ମୃତ୍ୟୁ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରି ଆସୁଛନ୍ତି। ସାଧାରଣ କାରଣରୁ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଥିଲା ବେଳେ କ‌ରୋନାରେ ମୃତ୍ୟୁ ପାଇଁ କୋଭିଡ୍‌ ଯୋଦ୍ଧା ଭାବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ବାଦ୍ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ‘ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା’ ଅନ୍ତର୍ଗତ ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୯୪୪ ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର