ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ରାଇରଙ୍ଗପୁର/ବିଜାତଳା: ମୟୁରଭଂଜ ଜିଲ୍ଳା ବାମନଘାଟି ଉପଖଣ୍ଡ ବିଜାତଳା ବ୍ଲକସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାରସକଣା ବିଧାୟକ ଡ଼ା ବୁଢାନ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ସହକାରୀ ଶ୍ରମ ଅଧିକାରୀ ରାଇରଙ୍ଗପୁର ନିରଞ୍ଜନ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଆଭିମୁଖ୍ୟ,ଏହାର କାର୍ଯ୍ୟକାରିତା ତଥା ଏହି ଯୋଜନାରେ ପ୍ରଦାନ କରାଯାଉଥିବା ବିଭିନ୍ନ ଆର୍ଥିକ ସହାୟତା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।  ଅତିଥିମାନେ ଏ ସମ୍ଭନ୍ଧରେ ସୁଚିନ୍ତିତ ମତାମତ ରଖିଥିଲେ।
ଏହି ଅବସରରେ ଅତିଥି ବୃନ୍ଦ ବିଜାତଳା ବ୍ଲକ ତଥା ଏହାର ଆଖ ପାଖ ଅଂଚଳ ଅନ୍ତର୍ଗତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ହିତାଧିକାରୀ ମାନଙ୍କ ମଧ୍ୟରୁ  ଜଣଙ୍କୁ ୮୪୦୦/- ଶିକ୍ଷା ସହାୟତା, ୭୧ ଜଣଙ୍କୁ ୩୪୭୫୦୦୦/- ବିବାହ ସହାୟତା ,୨ଜଣଙ୍କୁ ୨୦୦୦୦/- ପ୍ରସୂତିକାଳୀନ ସହାୟତା , ୪୦ ଜଣଙ୍କୁ ୧୯୫୦୦୦/-ଅନ୍ତ୍ୟଷ୍ଟିକ୍ରିୟା ଓ ୬୩ ଜଣଙ୍କୁ ୧୨୨୦୦୦୦୦/-ମୃତ୍ୟୁକାଳୀନ ସହାୟତା ପ୍ରଦାନ କରିବା ସହ ନୂତନ ଭାବେ ପଞ୍ଜିକୃତ ହୋଇଥିବା ୧୫୦ ଜଣ ନିର୍ମାଣ ଶ୍ରମିକଙ୍କୁ ଏବଂ ୨୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ତାଙ୍କର କାର୍ଡ ପ୍ରଦାନ କରିଥିଲେ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜାତଳା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶୀଧର ଖୋସଲା, ଜାମଦା ବ୍ଲକର ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଓ ନିର୍ମାଣ ଶ୍ରମିକ ମାନେ ଉପସ୍ଥିତ ଥିଲେ ।ଶେଷରେ ସହକାରୀ ଶ୍ରମ ଅଧିକାରୀ, ତିରିଂ ସୁବାସ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସୁଚନା ପ୍ରଦାନ କରିଛନ୍ତି।
ସମ୍ବନ୍ଧିତ ଖବର