୧୪ ସୁଦ୍ଧା କୋଭିଡ ମୃତକଙ୍କୁ କ୍ଷତିପୂରଣ

ଭୁବନେଶ୍ୱର : ରାଜ୍ୟ ସରକାର କୋଭିଡ ମୃତକଙ୍କୁ ଅନୁକମ୍ପା ରାଶି ପ୍ରଦାନ ତାରିଖକୁ ଚଳିତମାସ ୧୪ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ପୂର୍ବରୁ ଫେବ୍ରୁଆରି ୨୮ତାରିଖ ପର୍ଯ୍ୟନ୍ତ ମୃତକଙ୍କ ସଂପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ବର୍ତମାନ ସୁଦ୍ଧା ରାଜ୍ୟରେ ୧୬,୭୫୫ ଜଣ କୋଭିଡ ଅନୁକମ୍ପା ରାଶି ପାଇଁ ଆବେଦନ କରିଥିବା ବେଳେ ୧୫,୭୫୬ ଦରଖାସ୍ତକୁ ଅନୁମୋଦନ ପ୍ରଦାନ କରାଯାଇଛି। ୪୨୦ ଆବେଦନକୁ ଖାରଜ କରି ଦିଆଯାଇଥିବା ବେଳେ ୭୫୦ ଆବେଦନର ବିଚାର ଚାଲିଛି। ୨ଜଣ ଅନୁକମ୍ପା ରାଶିକୁ ଫେରାଇ ଦେଇଥିବା ସୂଚନା ମିଳିଛି। ରାଜ୍ୟରେ ଏବେ ହାତ ଗଣତି କୋଭିଡ ମୃତ୍ୟୁ ହେଉଛି। ତେଣୁ ମୃତ୍ୟୁ ଘୋଷଣାରେ ଚାପ ନାହିଁ। ଧାର୍ଯ୍ୟ ସମୟ ଭିତରେ ମୃତକଙ୍କ ସଂପର୍କୀୟଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସରକାରୀ ଅଧିକାରୀ କହିଛନ୍ତି।

ରାଜ୍ୟରେ ତୃତୀୟ ଲହର ଥମି ଆସିଛି। କିନ୍ତୁ ପ୍ରତ୍ୟେକ ଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାସତ୍ତ୍ବେ ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ୪୦ହଜାର ଉପରେ ରହିଛି। ପ୍ରାୟ ସବୁ ଜିଲ୍ଲାରେ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ମାତ୍ର କନ୍ଧମାଳ ଜିଲ୍ଲାରେ ଚକିତ କଲାଭଳି କୋଭିଡ ପରୀକ୍ଷା ନଜରକୁ ଆସିଛି। କୋଭିଡ ଡ୍ୟାସ୍‌ବୋର୍ଡର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାରେ କନ୍ଧମାଳରେ କେବଳ ଜଣେ ଲୋକଙ୍କ କୋଭିଡ ପରୀକ୍ଷା ହୋଇଛି। ସଂପୃକ୍ତ ବ୍ୟକ୍ତି ଜଣକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଜିଲ୍ଲାରେ ସଂକ୍ରମଣ ହାର ୧୦୦ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୭ତାରିଖରେ ଜିଲ୍ଲାରେ ୧୨୯୯ କୋଭିଡ ନମୁନା ପରୀକ୍ଷା ହୋଇଥିଲା। ମାତ୍ର ଗୋଟିଏ ଦିନ ବ୍ୟବଧାନରେ ନମୁନା ପରୀକ୍ଷା ୧କୁ ଖସି ଆସିଲା କିପରି? ଏହା ଏବେ ସନ୍ଦେହ ସୃଷ୍ଟି କରିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୫,୭୬୬ କୋଭିଡ ନମୁନା ପରୀକ୍ଷା ହୋଇଛି। ସଂକ୍ରମଣ ହାର ୦.୨୮ ପ୍ରତିଶତ ରହିଛି। ୧୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତିରୁ ସର୍ବାଧିକ ୧୮, ଖୋର୍ଧା ୧୬, ନବରଙ୍ଗପୁର ୧୪, ସୁନ୍ଦରଗଡ଼ ୧୨ ଓ ସମ୍ବଲପୁରରୁ ୯ଜଣ ଚିହ୍ନଟ ହୋଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୬ହଜାର ୨୪୫କୁ ବୃଦ୍ଧି ପାଇଛି। ଦୁଇଦିନର ବ୍ୟବଧାନ ପରେ ଆଜି ଜଣଙ୍କ କୋଭିଡ ମୃତ୍ୟୁ ଘୋଷଣା ହୋଇଛି। ଫଳରେ ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୯୧୦୨କୁ ବୃଦ୍ଧି ପାଇଛି। ଆଜି ଆଉ ୧୭୦ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୪୦କୁ ଖସି ଆସିଛି। ଅନ୍ୟପକ୍ଷରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୭୬ହଜାର ୧୫୦କୁ ବୃଦ୍ଧି ପାଇଛି। ‌ଏକମାତ୍ର ଜିଲ୍ଲାଭାବେ କେନ୍ଦୁଝର କରୋନା ମୁକ୍ତ ହୋଇପାରିଛି।

ସମ୍ବନ୍ଧିତ ଖବର