ଭୁବନେଶ୍ବର: ବାହୁଡା଼ଯାତ୍ରା ସମୟରେ ବୁଧବାର କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମରେ ଓ କୋରାପୁଟ ଜିଲ୍ଲା କୋଲାବନଗରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ନୀତି ଶେଷ ହୋଇଥିଲା। ଶ୍ରୀଜିଉମାନେ ପହଣ୍ଡି ପରେ ରଥାରୂଢ଼ ହୋଇଥିଲେ। ରଥ ଟାଣିବା ପାଇଁ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ। ଏହା ପୂର୍ବରୁ ଘଟିଲା ଅଘଟଣ। ୧୧ କେଭି ବିଦ୍ୟୁତ୍‌ ତାରରେ ରଥ ଲାଗିଯିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନେ ହେଲେ ସ୍ଥାନୀୟ ଭୁବନପଶି ଗ୍ରାମର ଯୁଗଳ କିଶୋର ବାରିକ, କେନ୍ଦୁଆ ଗ୍ରାମର ବରୁଣ ଗିରି। ନହବେଡ଼ା ଗ୍ରାମର ଶଙ୍କର୍ଷଣ ପ୍ରଧାନ ଗୁରୁତର ଭାବେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ପ୍ରଧାନଙ୍କ ଚିକିତ୍ସା ଜାରି ରହିଛି।

ବାହୁଡ଼ା ରଥଟଣା ସମୟରେ କୋରାପୁଟ ଜିଲ୍ଲା କୋଲାବ ନଗରରେ ଅଘଟଣ ଘଟିଛି। ଲୁହା ରଥ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ବିଶ୍ବନାଥ ନାୟକ (୨୬ବର୍ଷ)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ରଥରେ ବ୍ରେକ୍‌ ଲଗାଇବା କାମରେ ବିଶ୍ବନାଥ ନିୟୋଜିତ ହୋଇଥିଲେ। ସେହିପରି ରଥ ଉପରେ ରହିଥିବା କ୍ରିଷ୍ଣା ରାଓ ଗୁରୁତର ଆହତ ହୋଇଛନ୍ତି।