ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅନାଥ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏମାନଙ୍କୁ ଚିହ୍ନଟ କରି ସିଡବ୍ଲୁସି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଥଇଥାନ କରିବାକୁ ବିଭିନ୍ନ ସ୍ଥାନରେ କ୍ୟାମ୍ପକୋର୍ଟ କରି ଥଇଥାନ କରୁଥିବା ଦେଖିବାକୁ ମିଳିଛି। ତେବେ ବାଲିମେଳା ସଦର ଡ୍ରଗ ଲାଇନରେ ଚାରି ଜଣ ଅନାଥ ପିଲାଙ୍କୁ ଥଇଥାନ କରିବା ନେଇ ପିଲାମାନଙ୍କ ଜେଜେ ମା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଡ୍ରଗ ଲାଇନରେ ବାସ କରୁଥିବା ସୋମନାଥ ପୂଜାରୀଙ୍କର ହସଖେଳ ଭରା ସଂସାର ଥିଲା। କିନ୍ତୁ ଗତ ୨୦୧୭ ମସିହାରେ ସୋମନାଥଙ୍କର ଅକାଳ ବିୟୋଗ ହୋଇଥିଲା। ସୋମନାଥଙ୍କ ପତ୍ନୀ କିନ୍ତୁ ପିଲା ଚାରି ଜଣକୁ ବଂଚାଇବା ପାଇଁ ପର ଘରେ ମୁଲ ଲାଗି ଦିନରାତି ଏକ କରୁଥିଲେ। କିନ୍ତୁ ଗତ ତିନି ମାସ ତଳେ ତାଂକର ମଧ୍ୟ ମୃତ୍ୟୁ ହେବା ପରେ ଏବେ ଚାରି ସନ୍ତାନ ଅନାଥ ହୋଇଯାଇଛନ୍ତି।
ବାପା-ମା’ଙ୍କୁ ହରାଇ ଚାରି ପିଲା ସବୁବେଳେ କାନ୍ଦୁଥିବା ବେଳେ ଜେଜେମା କିନ୍ତୁ ବାପା ମା’ର ସ୍ନେହ ଦେଇ ସେମାନଙ୍କୁ ବଡ କରିବା ପାଇଁ ପଣ କରିଛନ୍ତି। ଜେଜେମା’ଙ୍କୁ ଭତ୍ତା ଆକାରରେ ୭ ଶହ ଟଂକା ମିଳୁଥିବା ବେଳେ ସେତିକି ଟଂକାରେ ଏହି ୫ ପ୍ରାଣୀ କୁଟୁମ୍ବ ଚଳିଯାଉଛନ୍ତି। ଚାରି ପିଲାଙ୍କ ମଧ୍ୟରୁ ବଡ ଝିଅ ଲକ୍ଷ୍ମୀ ପୂଜାରି ୧୦ମ ଶ୍ରେଣୀରେ ପାଠ ପଢନ୍ତି। ତାଂକ ପରେ ରୀନା ପୂଜାରୀ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି। ଅନ୍ୟ ଦୁଇ ଜଣ ରଶ୍ମୀ ଓ ନାରାୟଣ ମଧ୍ୟ ସ୍କୁଲ ଯାଉଥିବା ଜଣାପଡିଛି।
ତେବେ ଏମାନଙ୍କର ଦାବିକୁ କିନ୍ତୁ ଜେଜେମା’ ପୂରଣ କରିବାରେ ଅସମର୍ଥ। ନିଜର ସ୍ବଳ୍ପ ଭତ୍ତାରେ ଏମାନଙ୍କୁ ମାସକ ପର୍ଯ୍ୟନ୍ତ କିପରି ଖାଦ୍ୟ ଦେବେ ସେନେଇ ସେ ସବୁବେଳେ ଚିନ୍ତାରେ। ଦିନେ ଖାଇଲେ ଦୁଇ ଦିନ ଉପବାସ ମଧ୍ୟ ରହିବାକୁ ପଡୁଥିବା ଜେଜେମା କହନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ତରଫରୁ ସ୍ଥାନୀୟ ତହସିଲଦାରଙ୍କୁ ଏକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି। କାରଣ ଏମାନଙ୍କର ଆୟ ପ୍ରମାଣ ପତ୍ର ନଥିବାରୁ କୌଣସି ସରକାରୀ ସୁବିଧା ମିଳିପାରୁନଥିବା ଜଣାପଡିଛି। ପ୍ରଶାସନ ତରଫରୁ ତୁରନ୍ତ ଏମାନଙ୍କୁ ଆୟ ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ ଥଇଥାନ କରିବାର ବ୍ୟବସ୍ଥା କରିବାକୁ ସମାଜସେବୀ ରାମ ଚୌଧୁରୀ ଦାବି କରିଛନ୍ତି। ପିଲାମାନେ ବାପା ମାଆଙ୍କୁ ହରାଇ ଏବେ ଏକାକୀ ହୋଇଯାଇଥିବା ବେଳେ ପାଠ ପଢି ଭଲ ମଣିଷ ହେବାକୁ ଚାହୁଁଛନ୍ତି। ଅନ୍ୟପଟେ ଜେଜେମାଙ୍କର ବୟସ ଏବେ ୭୧ ବର୍ଷ ହୋଇଗଲାଣି। ଜୀବନର ଅପରାହ୍ନରେ ସେ ପହଞ୍ଚିଥିବା ବେଳେ କୌଣସି ମୁହର୍ତ୍ତରେ ଯଦି କିଛି ଘଟିଯାଏ ତେବେ ଏମାନେ ସଂପୂର୍ଣ୍ଣ ଏକାକୀ ହୋଇଯିବେ। ବଂଚିବାର ସମସ୍ତ ରାହା ବନ୍ଦ ହୋଇଯିବ। ତେଣୁ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାର ତୁରନ୍ତ ଏହି ଅନାଥ ଶିଶୁମାନଙ୍କୁ ସହଯୋଗର ହାତ ବଢାନ୍ତୁ ବୋଲି ଅନୁରୋଧ କରାଯାଇଛି।