ଟ୍ରାନ୍ସପୋର୍ଟରଙ୍କୁ ଅନୁକମ୍ପା! ଜନଶୁଣାଣି ହୋଇନି, ଖଣିଜ ଦ୍ରବ୍ୟ ପରିବହନ କଟକଣା ସମୟ ହ୍ରାସ

ସୁନ୍ଦରଗଡ଼: ବାଙ୍କିବାହାଲ- ଟପରିଆ ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲା (୬୫୮୭/୨୦୨୧)କ୍ରମେ ପ୍ରଭାବିତ ଅଞ୍ଚଳରେ ଉପଯୁକ୍ତ ଅନୁସନ୍ଧାନ ଓ ଜନଶୁଣାଣି ସହ ସମସ୍ତଙ୍କ ସହମତିରେ କୋଇଲା, ଲୁହାପଥର ଓ ଅନ୍ୟ ଖଣିଜ ଦ୍ରବ୍ୟ ପରିବହନ ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦେଇଥିବା ଆଦେଶ ଅନୁଯାୟୀ, ଗତ ମାର୍ଚ୍ଚ ୨୪ରେ ସୁନ୍ଦରଗଡ଼ ଜିଲ୍ଲାପାଳ ଉକ୍ତ ରାସ୍ତାରେ ପରିବହନ ନେଇ ନୂଆ ସର୍ତ୍ତ ବା କଟକଣା ଜାରି କରିଥିଲେ।

ସର୍ତ୍ତରେ ରାସ୍ତାରେ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏ ଭାରୀଯାନ ଚଳାଚଳ ବନ୍ଦ ରଖିବା, ଗାଡ଼ିଗୁଡ଼ିକ ପରସ୍ପର ଶହେ ମିଟର ବ୍ୟବଧାନରେ ୨୦ କିଲୋମିଟର ବେଗରେ ଗତି କରିବା, ଖଣିଜ ଦ୍ରବ୍ୟ ବୋଝେଇ ଗାଡ଼ିଗୁଡ଼ିକ ତାରପୋଲିନ ଆବୃତ ରଖିବାକୁ ନିର୍ଦ୍ଦେଶ ଥିଲା। ଏସବୁ ସର୍ତ୍ତ ଅମାନ୍ୟ କରୁଥିବା ଟ୍ରାନ୍ସପୋର୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କ ପରିବହନ ଅନୁମତି ରଦ୍ଦ କରି ଦିଆଯିବ ବୋଲି ଜିଲ୍ଲାପାଳ ସେତେବେଳେ ଘୋଷଣା କରିଥିଲେ। କିନ୍ତୁ ଏହା ମଧ୍ୟରେ ପ୍ରଭାବିତ ଅଞ୍ଚଳବାସୀଙ୍କ ଆଶ୍ଚର୍ଯ୍ୟ କରି ଗତ ସେପ୍ଟେମ୍ବର ୯ରେ ହଠାତ କଟକଣା ସମୟକୁ ହ୍ରାସ କରି ଦେଇଛନ୍ତି ଜିଲ୍ଲାପାଳ। ସକାଳ ୬ରୁ ଅପରାହ୍ନ ୧ଟା ପରିବର୍ତ୍ତେ ସକାଳ ସାଢ଼େ ୮ଟାରୁ ପୂର୍ବାହ୍ନ ସାଢ଼େ ୧୦ଟା ଓ ଅପରାହ୍ନ ସାଢ଼େ ୧୨ରୁ ଅପରାହ୍ନ ୨ଟା ଯାଏ ପରିବହନ ଉପରେ ରୋକ ଲଗାଯାଇଛି। ଗୋପାଳପୁର ବିସ୍ଥାପିତ ଗାଡ଼ି ମାଲିକ ସଂଘ ଓ ମିଲେନିୟମ ସପ୍ଲାୟର୍ସ ନିର୍ଦ୍ଦେଶକଙ୍କ ଅନୁରୋଧକ୍ରମେ ଏହି ସଂଶୋଧିତ ସର୍ତ୍ତ ଲାଗୁ କରାଯାଇଥିବା ଜିଲ୍ଲାପାଳ ନୋଟିସରେ ଉଲ୍ଲେଖ କରିଛନ୍ତି।

ତେବେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଜନଶୁଣାଣି ହୋଇ ନଥିବା ବେଳେ ପ୍ରଭାବିତ ଅଞ୍ଚଳବାସୀଙ୍କ ସହମତି ନନେଇ ଜିଲ୍ଲାପାଳ ଏପରି କଟକଣା ସମୟ ହ୍ରାସ କରିବାକୁ ନେଇ ପରିଷଦ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ, ଜନଶକ୍ତି ପରିଷଦର ଜନସ୍ବାର୍ଥ ମାମଲାର ଶୁଣାଣି କରି ନ୍ୟାୟାଳୟ ଗତ ମାର୍ଚ୍ଚ ୧୭ରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ନିର୍ଧାରିତ ସମୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ପ୍ରଭାବିତ ସାଧାରଣଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ ଦେଇଥିଲେ। ମଇ ୩ ତାରିଖ ମଧ୍ୟରେ ଏମସିଏଲ, ପରିବେଶ ବିଭାଗ, ଭାରତ ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କ ପରିବହନ ଓ ନିର୍ମାଣ ବିଭାଗ, ପ୍ରଭାବିତ ଗାଁ ଲୋକଙ୍କ ଉପସ୍ଥିତିରେ ଜନଶୁଣାଣି କରିବାକୁ ଆଦେଶ ଦେଇଥିଲେ। ସମସ୍ତଙ୍କ ସହମତିରେ ଏକ ସମାଧାନ ସୂତ୍ର ବାହାର କରି ମଇ ୧୭ରେ ଏକ ରିପୋର୍ଟ ପ୍ରସ୍ତୁତ ପୂର୍ବକ ୨୪ ତାରିଖ ମଧ୍ୟରେ ଗାଁଗୁଡିକରେ ସମସ୍ତଙ୍କ ଅବଗତି ନିମନ୍ତେ ସୂଚୀତ କରିବାକୁ ଆଦେଶ ଦେଇଥିଲେ ନ୍ୟାୟାଳୟ।

ଏହିକ୍ରମରେ ଜିଲ୍ଲାପାଳ ଅପ୍ରେଲ ୨୬ରେ ପ୍ରଭାବିତ ଗାଁମାନଙ୍କରେ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଅଭିଯୋଗ ସମୂହର ଅନୁସନ୍ଧାନ ଓ ୨୭ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଦଭାବନା ଗୃହରେ ତାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ସେ ସମୟରେ ପ୍ରଭାବିତ ଅଞ୍ଚଳରେ କରୋନା ସଂକ୍ରମଣର ଉଦବେଗଜନକ ବୃଦ୍ଧି ଓ ତଦ୍ଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ହେବାକୁ ଥିବା ଅନୁସନ୍ଧାନ ଓ ଶୁଣାଣି ସ୍ଥଗିତ ରଖିବା ପାଇଁ ଜନସ୍ବାର୍ଥ ମାମଲାର ଆବେଦନକାରୀ ରାଜେନ୍ଦ୍ର ନାଏକ ଲିଖିତ ଅନୁରୋଧ କରିଥିଲେ। ତାକୁ ବିଚାରକୁ ନେଇ ଜିଲ୍ଲାପାଳ ଶୁଣାଣି ସ୍ଥଗିତ ରଖିଥିଲେ। ଯାହା ଏଯାଏ ଆୟୋଜିତ ହୋଇ ନାହିଁ।

ଏସ୍ଥିତିରେ ଗତ ଜୁନ ୬ରେ ଉପଜିଲ୍ଲାପାଳ ଆଲୋଚନା ପାଇଁ ରତନପୁର ଯାଇ ୬ଟାରୁ ଅପରାହ୍ନ ୧ଟା ଯାଏ ପରିବହନ ବନ୍ଦ ସମୟକୁ ଦୁଇ ଭାଗ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ପରିଷଦ ବିରୋଧ କରି ସକାଳ ୮ରୁ ସନ୍ଧ୍ୟା ୬ ଯାଏ ପରିବହନ ବନ୍ଦ ପାଇଁ ଦାବି କରିଥିଲା। ସେହିପରି ଛତାବର ହାଇସ୍କୁଲରେ ପାଚେରି, ଏସି ଓ ଟାଇଲ ଲଗାଇବା, ରାସ୍ତା ଉଭୟ ପାର୍ଶ୍ବ ୧ କିଲୋମିଟର ପରିଧି ମଧ୍ୟରେ ଥିବା ଚାଷଜମିର କ୍ଷତିପୂରଣ ପ୍ରଦାନ, ରତନସରା ରାଜସ୍ୱ ଗ୍ରାମର ପୂର୍ତ୍ତ ରାସ୍ତାକୁ ଏକଥାକିଆରୁ ଦୁଇଥାକିଆ କରିବା ସମୟରେ ଦଖଲ ଜମିର କ୍ଷତିପୂରଣ ଦେବା, ଦୁର୍ଘଟଣା ଜନିତ କ୍ଷୟକ୍ଷତିର କ୍ଷତିପୂରଣ ପ୍ରଦାନ ସହ ଅଞ୍ଚଳର ଆଦିବାସୀ ଓ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ସ୍ବତନ୍ତ୍ର ଭାବେ ଡିଏମଏଫରୁ ଶିକ୍ଷକ ନିଯୁକ୍ତି ସହ କୋଚିଂ ବ୍ୟବସ୍ଥା, ବିଦ୍ୟୁତ କାଟର ସ୍ଥାୟୀ ସମାଧାନ, ପାନୀୟ ଜଳ ବ୍ୟବସ୍ଥା ସମ୍ପର୍କରେ ପଦକ୍ଷେପ ନେବାକୁ ପରିଷଦ ଦାବି କରିଥିଲା। ସେସବୁ ଦାବି ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଓ ଖଣିଜ ଦ୍ରବ୍ୟ ପରିବହନଜନିତ ପ୍ରଭାବ ନେଇ ଜନଶୁଣାଣି ହୋଇ ନଥିବା ବେଳେ କଟକଣା ସମୟ ହ୍ରାସ କରିବା ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଜନଶୁଣାଣି ଯାଏ ପୂର୍ବ କଟକଣା ଜାରି ରଖିବାକୁ ପରିଷଦ ଦାବି କରିଛି।

ସମ୍ବନ୍ଧିତ ଖବର