ରାଇରଙ୍ଗପୁର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖରେ ହୋଇଥିବା ଭୟଙ୍କର ରେଳ ଦୁଃଘଟଣାର ପ୍ରତ୍ୟକ୍ଷଦର୍ଶୀ ରାଇରଙ୍ଗପୁର ସହର ଅଧିନସ୍ତ ୱାର୍ଡ ନଂ ୩ ବାଇଦାପୋଷି ଗ୍ରାମର ଶିବାନୀ ବୈଠା, ତାଙ୍କ ସ୍ବାମୀ ଓ ତିନି ଛୁଆ ତଥା ପଡୋଶୀ ରୀନା ମହାନ୍ତ ସମୁଦାୟ ୬ ଜଣ ବାଲେଶ୍ବରରୁ ଚେନ୍ନାଇ ଅଭିମୁଖେ କାମ ପାଇଁ ବାହାରିଥିଲେ। ସେମାନେ ଘଟଣା ଦିନ ବାଲେଶ୍ବର ଷ୍ଟେସନରେ କରମଣ୍ଡଳ ଏସ୍କପ୍ରେସ୍‌ରେ ଚଢ଼ିଥିଲେ। ତେବେ ବାହାନଗାଠାରେ ଭୟଙ୍କର ଟ୍ରେନ୍ ଦୁଃଘଟଣା ଘଟିଥିଲା।
Advertisment
 ସେମାନେ ୪ରୁ ୫ ବର୍ଷ ହେଲା ଚେନ୍ନାଇକୁ ଦାଦନ ଖଟିବା ପାଇଁ ଯିବା ଆସିବା କରୁଥିଲେ। କିନ୍ତୁ ବିଧିର ବିଧାନ, ଏ ବର୍ଷ ଯିବା ସମୟରେ ନାରକୀୟ କାଣ୍ଡ ହୋଇଥିଲା। ଯେତେବେଳେ ଦୁଃଘଟଣା ହେଲା ସେତେବେଳେ ଚାରିଆଡେ ଅନ୍ଧାର। ପାଣି ନେବ କିଏ କହି  ଲୋକେ ବୁଲିବୁଲୁଥିଲେ। ସମସ୍ତେ ବେହୋସ ହୋଇ ପଡିଥିଲେ। ଏ ସବୁ କ’ଣ ହେଲା କେମିତି ହେଲା ସେମାନେ ଜାଣିପାରି ନ ଥିଲେ। ତାଙ୍କର ଛୁଆପିଲାମାନେ କେଉଁ ଆଡେ ଗଲେ କିଛି ଜାଣି ପାରିନଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଆହତ ଅବସ୍ଥାରେ ପାଇଥିଲେ। କିଛି ଲୋକେ ତାଙ୍କୁ କହିଲେ ହାଇୱେ ବାଟେ ଯାଅ ଗାଡି ମିଳିଯିବ। ସେଠାରୁ ସେମାନେ ହାଇୱେ ବାଟେ ଯାଇ ବହୁତ କଷ୍ଟରେ ବସ୍ ଦ୍ବାରା ବାଲେଶ୍ବରରୁ ରାଇରଙ୍ଗପୁରକୁ ଫେରିଥିଲେ। ସେମାନେ କାହାର କଟା ମୁଣ୍ଡ, ହାତ, ଗୋଡ ଦେଖି ଭୟଭୀତ ହୋଇପଡିଥିଲେ। ଘରକୁ ଆସି ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ଫଳରେ ୫ ଜଣଙ୍କର ଦେହ ସୁସ୍ଥ ହୋଇଥିଲା ବେଳେ ଶିବାନୀ ବୈଠା ଏବେ ମଧ୍ୟ ଦେହ ଯନ୍ତ୍ରଣା ରହିଛି। ଦେହ ଏତେ ଯନ୍ତ୍ରଣା ଯୋଗୁଁ କାମ କରିବା ପାଇଁ ଶକ୍ତି ନାହିଁ। ସେ କିପରି ପରିବାର ପ୍ରତିପୋଷଣ କରିବେ ବୋଲି ଚିନ୍ତା କରୁଛନ୍ତି। ତାଙ୍କର ପିଲାଛୁଆକୁ କିଏ ଦେଖାଶୁଣା କରିବ। ସେ ବର୍ତ୍ତମାନ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି । ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି।