ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଫେବ୍ରୁଆରି ୫ ତାରିଖ ଦିନ ଏକ ଲ୍ୟାଣ୍ଡମାଇନ ବିସ୍ପୋରଣରେ ପ୍ରାଣ ହରାଇଥିବା ଦୈନିକ ଖବରକାଗଜ ‘ଧରିତ୍ରୀ’ର କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ବ୍ଲକ୍ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।

ଫେବ୍ରୁଆରି ୫ ତାରିଖ ଦିନ ମଦନପୁର-ରାମପୁର ଓ ମୋହନଗିରି ମଧ୍ୟସ୍ଥ ଡୋମକର୍ଲାଖୁଣ୍ଟା ପୋଲ ନିକଟରେ ସମ୍ବାଦ ସଂଗ୍ରହ କରୁଥିବା ବେଳେ ରୋହିତ ବିଶ୍ୱାଳ ଏକ ଲ୍ୟାଣ୍ଡମାଇନ ବିସ୍ପୋରଣରେ ପ୍ରାଣ ହରାଇଥିଲେ । ତାଙ୍କ ମର୍ମନ୍ତୁଦ ନିଧନ ସମ୍ବାଦ ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତୁରନ୍ତ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା (ଓଡ଼ିଶା ପୁଲିସ ପକ୍ଷରୁ ୯ ଲକ୍ଷ ଟଙ୍କା ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ପରିଚାଳିତ ସାମାଜିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ
ଟଙ୍କା)ର ଅନୁକମ୍ପା ରାଶି ପ୍ରଦାନ ନେଇ ଘୋଷଣା କରିଥିଲେ । ଏହି ଦୁଃଖଦ ଘଟଣାରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଗଭୀର ମର୍ମାହତ ହୋଇଥିଲେ ଓ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବ ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ବାବଦରେ ୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ତାଙ୍କ ପତ୍ନୀ ମାଧବୀ ବିଶ୍ୱାଳଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରେରଣ କରାଯାଇଛି।

ସମ୍ବନ୍ଧିତ ଖବର