କଟକ : ସାଧାରଣ ବୀମା କମ୍ପାନିରେ ସ୍ବାସ୍ଥ୍ୟ ବୀମା (ହେଲ୍ଥ ଇନ୍ସୁରାନ୍ସ) ପଲିସି କରି ମଧ୍ୟ ଚିକିତ୍ସା ବାବଦ ଖର୍ଚ୍ଚ ପାଇବାରୁ ବଞ୍ଚିତ ହୋଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନଙ୍କ ରାୟ ଆଶ୍ବସ୍ତି ଆଣି ଦେଇଛି। ସ୍ବାସ୍ଥ୍ୟବୀମା ପଲିସି କରିଥିବା ଆବେଦନକାରୀଙ୍କ ପ୍ରାପ୍ୟ ବାବଦ ଦାବି (କ୍ଲେମ୍) ୪୫ ଦିନ ଭିତରେ ସମାଧାନ କରି ଏ ବାବଦ ଅର୍ଥ ପ୍ରଦାନ କରାଯିବ। ଯଦି ଏଥିରେ ଅବହେଳା କରାଯାଏ ତେବେ ଏ ବାବଦ ସମସ୍ତ ଅର୍ଥ ଉପରେ ୧୨ ପ୍ରତିଶତ ବାର୍ଷିକ ସୁଧ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଏଥି ସହିତ ମୋକଦ୍ଦମା ଖର୍ଚ୍ଚ ବାବଦରେ ୫ ହଜାର ଟଙ୍କା ଆବେଦନକାରୀଙ୍କୁ ବୀମା କମ୍ପାନି ପ୍ରଦାନ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କମିସନ୍ ସଭାପତି ଡକ୍ଟର ଜଷ୍ଟିସ ଡି.ପି. ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଝୋଲାସାହିର ମହେଶ ରୁଙ୍ଗଟାଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୧, ଅକ୍ଟୋବର ୧୨ରେ ୪ ହଜାର ୬୫୯ ଟଙ୍କା ପ୍ରିମିୟମ୍ ଦେଇ ଆବେଦନକାରୀ ଏକ ସ୍ବାସ୍ଥ୍ୟବୀମା ପଲିସି କରିଥିଲେ। ୨୦୦୧, ଅକ୍ଟୋବର ୧୨ରୁ ୨୦୦୨, ଅକ୍ଟୋବର ୧୧ ପର୍ଯ୍ୟନ୍ତ ଏହି ପଲିସିର ଅବଧି ଥିବା ବେଳେ ଆବେଦନକାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ୨୦୦୨, ମାର୍ଚ୍ଚ ୧୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିଥିଲେ। ଚିକିତ୍ସା ବାବଦ ଅର୍ଥ ପାଇବା ପାଇଁ ବୀମା କମ୍ପାନି ନିକଟରେ ଆବେଦନକାରୀ ଦରଖାସ୍ତ କରିଥିବା ବେଳେ ଏହି ଦାବି ଅଗ୍ରାହ୍ୟ କରାଯାଇଥିଲା। ପିଲିସି କରିବା ବେଳେ ସେ ନିଜ ସ୍ବାସ୍ଥ୍ୟ ସଂପର୍କିତ ତଥ୍ୟ ଲୁଚାଇଥିଲେ ବୋଲି ଦର୍ଶାଇ ବୀମା କମ୍ପାନି ଏହି ଅର୍ଥ ଦେଇ ନଥିଲା।
ଏହାପରେ ଇନସୁରାନ୍ସ ଓମ୍ବୁଡସମ୍ୟାନଙ୍କ ନିକଟରେ ୨୦୦୩, ମାର୍ଚ୍ଚ ୨୭ରେ ଆବେଦନକାରୀ ଦାୟର କରିଥିବା ଆବେଦନ ଖାରଜ ହୋଇଥିଲା। ୨୦୦୪ରେ କଟକ ଜିଲ୍ଲା ଖାଉଟି ଅଦାଲତରେ ଆବେଦନକାରୀ ଦାୟର କରିଥିବା ଆବେଦନ ୨୦୦୫ରେ ଖାରଜ ହୋଇଥିଲା। ପଲିସିରେ ଥିବା ସର୍ତ୍ତ ଅନୁସାରେ ଆବେଦନକାରୀ ୧୨ ମାସ ଭିତରେ ମାମଲା ରୁଜୁ କରି ନଥିବାରୁ ଏହି ଆବେଦନ ଖାରଜ ହୋଇଥିଲା। ଏହାପରେ ଜିଲ୍ଲା ଖାଉଟି ଅଦାଲତ ରାୟ ବିରୋଧରେ ଆବେଦନକାରୀ ୨୦୦୫ରେ ଖାଉଟି କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ମେଡିକାଲ ଚେକ୍-ଅପ୍ ପରେ ତାଙ୍କ ସ୍ବାସ୍ଥ୍ୟବୀମା ପଲିସି କରାଯାଇଥିଲା। ଓମ୍ବୁଡସମ୍ୟାନଙ୍କ ନିକଟରେ ଆବେଦନ ଅଗ୍ରାହ୍ୟ ପରେ ସେ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବାରୁ ଏହି ପ୍ରସଙ୍ଗରେ ବିଳମ୍ବ ନେଇ ରହିଥିବା ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିର୍ମଳ ରାଉତରାୟ ମାମଲା ପରିଚାଳନା କରୁଥିଲେ।