ଜାତୀୟ ରାଜପଥ ଜମି ଅଧିଗ୍ରହଣ ପାଇଁ ଦିଆଗଲାଣି ୮୮ଲକ୍ଷ କ୍ଷତିପୂରଣ

ଭୁବନେଶ୍ବର : ଜାତୀୟ ରାଜପଥର ଜମି ଅଧିଗ୍ରହଣ ପାଇଁ ଜମି ମାଲିକଙ୍କୁ ପ୍ରାୟ ୮୮ କୋଟି ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି। ଏହାସହ ୧୪ ପ୍ରକଳ୍ପର ପ୍ରାୟ ୩ଶହ ହେକ୍ଟର ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୩ ଜାତୀୟ ରାଜପଥ ପ୍ରକଳ୍ପର ଆକଳନ ଶେଷ ହୋଇ ୨୨୫ ହେକ୍ଟର ପାଇଁ ୩୦୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜାତୀୟ ରାଜପଥର ଜମି ଅଧିଗ୍ରହଣ ସଂପର୍କିତ ସମୀକ୍ଷା ‌ବୈଠକରୁ ସୂଚନା ମିଳିଛି।

କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ପୂର୍ତ ବିଭାଗ ଦ୍ବାରା ରାଜପଥ ଜମି ଅଧିଗ୍ରହଣ କାର୍ଯ୍ୟକ୍ଷମ ହେଉଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ନିର୍ମାଣାଧୀନ ଜାତୀୟ ରାଜପଥ ପ୍ରକଳ୍ପ, ସମସ୍ତ ଅନୁମୋଦିତ ପ୍ରକଳ୍ପ ଓ ଅନ୍ୟାନ୍ୟ ଜାତୀୟ ରାଜପଥ ପ୍ରକଳ୍ପର ତ୍ବରିତ ଜମି ଅଧିଗ୍ରହଣ ଉପରେ ଆଲୋଚନା ହୋଇଥିଲା। ଏହାସହ ଗତ ୩ମାସ ମଧ୍ୟରେ ବହୁ ଦାଖଲ ଖାରଜ ମାମଲା ହୋଇ ରେକର୍ଡ ସଂ‌ଶୋଧନ କରାଯାଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି।

IndiaMART

ସେହିପରି ଜାତୀୟ ରାଜପଥ ୨୬ରେ ନବରଙ୍ଗପୁରରୁ ବୋରିଗୁମ୍ମା ଓ ବରଗଡ଼ରୁ ବରପାଲ୍ଲୀ, ଜାତୀୟ ରାଜପଥ ୫୯ରେ ମୁଣ୍ଡମରାଇରୁ ରତନପୁର, ବ୍ରହ୍ମପୁର ବାଇପାସ, ଜାତୀୟ ରାଜପଥ ୪୯ରେ ଝାରସୁଗୁଡ଼ାରେ ଭୋଜପୁର, ଜାତୀୟ ରାଜପଥ ୧୫୭ରେ ଭଞ୍ଜନଗରରୁ ଆସ୍କା, ଜାତୀୟ ରାଜପଥ ୫୭ରେ ନୟାଗଡ଼ରୁ ଖୋର୍ଧା ଓ ସୋନପୁରରୁ ମାଧପୁର, ଜାତୀୟ ରାଜପଥ ୨୨୦ରେ ତିରିଙ୍ଗରୁ ରାଇରଙ୍ଗପୁର, ଜାତୀୟ ରାଜପଥ ମାଲକାନଗିରିରୁ ମୋଟୁ ମଧ୍ୟରେ ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଜାତୀୟ ରାଜପଥ କାର୍ଯ୍ୟ ଆଗେଇ ଚାଲିଛି।

ବିଭିନ୍ନ କ୍ଷେତ୍ରାଧିକାରୀଙ୍କୁ ଜାତୀୟ ରାଜପଥର ଲଘୁ ଖଣିଜ ସଂପଦର ଆବଶ୍ୟକତା ପାଇଁ ସାମୟିକଭାବେ ଲଘୁ ଖଣିଜ ଉତ୍ସ ଯୋଗାଇଦେବାକୁ ନିର୍ଦେଶ ଦିଆଯାଇଛି। ଜାତୀୟ ରାଜପଥ ନିର୍ମାଣ କରୁଥିବା କଣ୍ଟ୍ରାକ୍ଟରମାନଙ୍କୁ ବେଆଇନ ଲଘୁ ଖଣିଜ ସଂପଦ ବ୍ୟବହାର ନ କରିବାକୁ ସଚେତନ କରିବାକୁ କୁହାଯାଇଛି। ଜମି ଅଧିଗ୍ରହଣ ସଂପୂର୍ଣ୍ଣ ପରେ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ବରାନ୍ବିତ କରିବା, ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜମି ହସ୍ତାନ୍ତର ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବୈଠକରେ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ, ପୂର୍ତ ବିଭାଗ, ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର