ବିଡି ବନ୍ଧାଳିଙ୍କୁ ଚିହ୍ନଟ କରି ଶ୍ରମ କାର୍ଡ ପ୍ରଦାନ ଦାବି

ମାଲକାନଗିରି: ମାଲକାନଗିରିରେ ଏବେ ଗ୍ରୀଷ୍ଣର ପ୍ରକୋପ। ଲୋକେ ଗରମ ଯୋଗୁଁ ଘରୁ ପଦାକୁ ବାହାରି ପାରୁନାହାନ୍ତି। ପ୍ରଚଣ୍ଡ ଗ୍ରୀଷ୍ଣରେ ଜଳର ଅଭାବ ସାଂଗକୁ ଘନ ଘନ ବିଦ୍ୟୁତ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ବିଶେଷକରି ଗ୍ରାମାଞ୍ଚଳର ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ତେବେ ଏନେଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଲୋକଙ୍କ ଅବସ୍ଥା ପରଖିଥିଲୁ। ତେବେ ଗ୍ରାମା଼ଞ୍ଚଳରେ ବଂଗୀୟ ସଂପ୍ରଦାୟର ମହିଳାମାନେ ବିଡି ବାନ୍ଧୁଥିବା ଦେଖିବାକୁ ପାଇଥିଲୁ। ଜିଲ୍ଲାର ଗାଁ ଗାଁରେ ଆଦିବାସୀ ହେଉ ବା ବଂଗୀୟ ଶ୍ରେଣୀର ଲୋକ ସମସ୍ତେ ବିଡି ବନ୍ଧାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଥିଲା। ଗରମ ଯୋଗୁଁ ଲୋକେ ପଦାକୁ ନବାହାରି ଘରେ ବସି ବିଡି ବାନ୍ଧୁଥିବା ସହ ନିଜର ଖର୍ଚ୍ଚ ମଧ୍ୟ ବାହାର କରିପାରୁଥିବା ଲକ୍ଷ୍ୟ କରିଥିଲୁ। ବିଶେଷକରି ଜିଲ୍ଲାର କୋରକୋଣ୍ଡା, ମାଲକାନଗିରି, କାଲିମେଳା ଓ ପଡିଆ ଅଂଚଳରେ ରହୁଥିବା ଲୋକ ବିଡି ବାନ୍ଧିବାରେ ଏକ ପ୍ରକାର ସମୟ କାଟୁଥିବା ଦେଖିବାକୁ ମିଳିଥିଲା।

ତେବେ ବିଡି ବାନ୍ଧୁଛନ୍ତି ସତ କିନ୍ତୁ ତାଂକୁ ଯେତିକି ପ୍ରାପ୍ୟ ମିଳିବା କଥା ତାହା ମିଳୁନଥିବା ଦେଖିବାକୁ ମିଳିଛି। ଜଣେ ଜଣେ ମହିଳା ଦିନକୁ ୮୦୦ରୁ ୧୦୦୦ ହଜାର ପର୍ଯ୍ୟନ୍ତ ବିଡି ତିଆରି କରିଥାନ୍ତି। ପ୍ରକାଶ ଥାଉକି ୨୨ଟି ବିଡିରେ ଏକ ବିଡା ତିଆରି ହୋଇଥାଏ। ପରେ ୪୦ଟି ବିଡାକୁ ଏକ ପ୍ୟାକେଟ କରାଯାଇଥାଏ। ଏହି ୪୦ଟି ବିଡାକୁ ବେପାରୀମାନେ ୧୦୦ ଟଂକା ଦେଇଥାନ୍ତି। ତେବେ ଘରକୁ ଆସୁଥିବା  ବେପାରୀମାନେ କିନ୍ତୁ ୪୦ ବଦଳରେ ୧୦୦ ଟଂକାକୁ ୪୬ ବିଡା ଦାବି କରି ନେଉଛନ୍ତି। ବିଡି ବନ୍ଧାଳିମାନେ ମଧ୍ୟ ଏହା ଦେବାକୁ ବାଧ୍ୟ ହେଉଛନ୍ତି।

ତେବେ ଜଣେ ଜଣେ ମାତ୍ର ୮୦ରୁ ୧୦୦ ଟଂକା ହିଁ ରୋଜଗାର କରିପାରୁଛନ୍ତି। ଦିନସାରା ବସି ବିଡି ବାନ୍ଧିବେ କିନ୍ତୁ ସେହି ତୁଳନାରେ ସେମାନଙ୍କୁ ଉଚିତ ପ୍ରାପ୍ୟ ମିଳିପାରୁନାହିଁ। ବେପାରୀମାନେ କିନ୍ତୁ ମାଲାମାଲ ହେଉଥିବେ ଦେଖିବାକୁ ମିଳିଛି। ପ୍ରତିଦିନ ମହିଳାମାନେ ଜଂଗଲକୁ ଯାଇ କେନ୍ଦୁପତ୍ର ତୋଳି ଆଣି ତାକୁ ବିଡା ବାନ୍ଧିବା ଏବଂ ତାକୁ ଶୁଖାଇଥାନ୍ତି। ପତ୍ରଗୁଡିକ ଶୁଖିଲା ପରେ ତାକୁ ବିଡି ବାନ୍ଧିବା ପାଇଁ ସାଇଜ କରିଥାନ୍ତି। ବିଡିରେ ନିଶାଗୁଣ୍ଡ ଦେଇ ତାକୁ ବାନ୍ଧିଥାନ୍ତି। ଏବେ ବିଡିର ଚାହିଦା ଧିରେ ଧିରେ କମୁଥିବାରୁ ମହିଳାମାନଙ୍କ ରୋଜଗାର ମଧ୍ୟ କମୁଥିବା କହିଥିଲେ। ବିଡି ବାନ୍ଧୁଥିବା ଦିପାଲି ସରକାର, ଶିଖା ସରକାର, ଗୁରୁଦେବୀ ସରକାର, ପୂର୍ଣ୍ଣିମା ରାୟ, କମଳା ମଣ୍ଡଳ, ଶୁଭଶ୍ରୀ ରାୟ ପ୍ରମୁଖ ମହିଳାଙ୍କ ଅଭିଯୋଗ ହେଲା ସେମାନେ ଏହି ବିଡି ବାନ୍ଧି ନିଜର ସ୍ବାସ୍ଥ୍ୟ ଖରାପ କରୁଥିବା ବେଳେ ସରକାରଙ୍କ ତରଫରୁ ସେଭଳି କିଛି ସହାୟତା ପ୍ରଦାନ କରାଯାଉ ନାହିଁ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ତରଫରୁ ଶ୍ରମ ଓ ନିଯୁକ୍ତି ବିଭାଗ କାଲିମେଳାରେ ରହିଛି। ସେଠାରେ ଜଣେ ମେଡିକାଲ ଅଫିସର ଏହି ଦାୟିତ୍ବରେ ରହନ୍ତି। ବିଡି ବାନ୍ଧୁଥିବା ଶ୍ରମିକମାନଙ୍କୁ ଶ୍ରମକାର୍ଡ ପ୍ରଦାନ କରାୟାଇଥାଏ। ଏହି ଶ୍ରମ କାର୍ଡ ବାବଦକୁ ସେମାନେ ବିଭିନ୍ନ ସରକାରୀ ସୁବିଧା ପାଇଥାନ୍ତି। କିନ୍ତୁ ଗତ କିଛି ବର୍ଷ ହେଲା ବିଡି ବନ୍ଧାଳିମାନଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଉନଥିବା ଜଣାପଡିଛି। ଏବେ ଜିଲ୍ଲାରେ ଶହ ଶହ ମହିଳା ବିଡି ବାନ୍ଧୁଥିବା ବେଳେ ସେମାନଙ୍କୁ ସରକାରଙ୍କ ତରଫରୁ କୌଣସି ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି। ଦିନ ସାରା କୁଲି କାମ କଲେ ଜଣେ ୨୫୦ରୁ ଊର୍ଦ୍ଧ୍ବ ଟଂକା ପାଉଥିବା ବେଳେ ବିଡି ବନ୍ଧାଳିଙ୍କ ପାଇଁ ସେଭଳି କୌଣସି ଟଂକା ମିଳୁ ନାହିଁ। ତେଣୁ ପ୍ରଶାସନ ତୁରନ୍ତ ବିଡି ବନ୍ଧାଳିଙ୍କୁ ଚିହ୍ନଟ କରି ଶ୍ରମ କାର୍ଡ ପ୍ରଦାନ କରିବା ସହ ସେମାନଙ୍କୁ ସହଯୋଗର ହାତ ବଢାଇବାକୁ ଦାବି ହୋଇଛି।

 

ସମ୍ବନ୍ଧିତ ଖବର