ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହାକୁ ନଡ଼ରିବା ପାଇଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁବାର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୮ରୁ ୧୦ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ଆକଳନ କରାଯାଉଛି। ଚାଷୀ ଓ ମତ୍ସଜୀବୀମାନେ ଭୟଭୀତ ହେବାର କାରଣ ନାହିଁ। ଆବଶ୍ୟକ ପଡ଼ିଲେ ପୂର୍ବଭଳି କ୍ଷୟକ୍ଷତି ସହାୟତା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

Advertisment

ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଏବଂ ଏହାର ଆଖପାଖରେ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତ ବା ଡିପ୍‌ ଡିପ୍ରେସନ୍‌ ରୂପ ନେବ। ଶୁକ୍ରବାର ବେଳକୁ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ। ସେତେବେଳକୁ ଏହା ଦୁର୍ବଳ ହୋଇସାରିଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିରୁ ଭୀଷଣ ଅବପାତଟି ବାତ୍ୟା ରୂପ ନେବା ଆଶଙ୍କା ଆପାତତଃ ଟଳିଯାଇଛି। ତେବେ ପୂର୍ବାନୁମାନ ଅନୁଯାୟୀ ସମୁଦ୍ର ଅଶାନ୍ତ ହୋଇପଡ଼ିବ।

publive-image Photo by : fijisun.com.fj

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ। ଶୁକ୍ରବାର ଦକ୍ଷିଣ ଜିଲ୍ଲାଗୁଡ଼ିକ ସହିତ ଉପକୂଳର ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାଗୁଡ଼ିକରେ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ୯ ତାରିଖରେ ଉତ୍ତରର ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ସହିତ ଉପକୂଳର କିଛି ସ୍ଥାନରେ ବର୍ଷା ହୋଇପାରେ। ୧୦ରେ ଉତ୍ତର ଏବଂ ୧୧, ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ସୋନପୁର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଉପକୂଳରେ ଘଣ୍ଟାକୁ ୪୦ରୁ ୬୦ କି.ମି. ପର୍ଯ୍ୟନ୍ତ ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିପାରେ। ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ଏହା ସହିତ ଗୋପାଳପୁର ଓ ପାରାଦୀପ ବନ୍ଦରରେ ୧ ନଂ ସତର୍କ ସଂକେତ ଜାରି କରାଯାଇଛି।