ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ମଙ୍ଗଳବାର ପୁଲିସ୍ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଛି। ଭଙ୍ଗା କାଚରେ ସେ ନିଜର ଗଳା ଓ ହାତର ଶିରା କାଟି ଦେଇଥିଲା। ତୁରନ୍ତ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ପ୍ରାଥମିକ ଚିକିତ୍ସା କରାଯିବା ପରେ କୋର୍ଟଚାଲାଣ କରିଦିଆଯାଇଛି। ତେବେ କେଉଁ ପରିସ୍ଥିତିରେ ଅମିତ ଏଭଳି ପଦକ୍ଷେପ ଗ୍ରହଣ କଲା, ସେ ସମୟରେ କାର୍ଯ୍ୟରତ ପୁଲିସ୍ କର୍ମଚାରୀ କରୁଥିଲେ କ’ଣ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ, ଏହି ମାମଲାର ତୃତୀୟ ଅଭିଯୁକ୍ତ ତଥା ବୁର୍ଲା ଡାକ୍ତରଖାନାର ନିଲମ୍ବିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଣେଶ ନାଏକକୁ ଆଜି ପୁଲିସ୍ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଅମିତ ଓ ଦିନେଶକୁ ସହଯୋଗ ଅପରାଧରେ ତାକୁ ଗିରଫ କରାଯାଇଥିବା ଝାରସୁଗୁଡ଼ା ଏସ୍ପି ପରମାର ସ୍ମିଥ ପୁରୁଷୋତ୍ତମ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହି ମାମଲାରେ ଅଭିଯୁକ୍ତ ଅମିତ ଓ ଦିନେଶ ଅଗ୍ରୱାଲର ତିନି ଦିନିଆ ରିମାଣ୍ଡ ସୋମବାର ଶେଷ ହୋଇଥିଲା। ଗତକାଲି ଉଭୟ ଅଭିଯୁକ୍ତଙ୍କୁ ରିଜର୍ଭ ପୁଲିସ ପରିସରରେ ରଖାଯାଇ ପଚରାଉଚରା କରାଯାଇଥିଲା। ଆଜି ସକାଳୁ ଉଭୟଙ୍କୁ କୋର୍ଟଚାଲାଣ କରାଯିବାକୁ ପୁଲିସ୍ ଟିମ୍ ପ୍ରସ୍ତୁତ ହୋଇଥିଲେ। ଦିନେଶ ଶୌଚ ହୋଇ ପ୍ରସ୍ତୁତ ହୋଇଥିବା ବେଳେ ଅମିତ ଶୌଚାଳୟକୁ ଯାଇଥିଲା। ଭିତରେ ଲାଗିଥିବା ଦର୍ପଣ କାଚକୁ ହାତରେ ଭାଙ୍ଗି ଦେଇଥିଲା। ଭଙ୍ଗା କାଚ ଧରି ଅମିତ ନିଜ ହାତ ଓ ଗଳାକୁ କାଟିଥିଲା। ହେଲେ ନିଜ ଶରୀରରେ ଆଘାତ ଦେବା ବେଳକୁ ସେ ଚିତ୍କାର କରିଥିଲା। ଅମିତର ପାଟି ଶୁଣି ପୁଲିସ୍ ଟିମ ଶୌଚାଳୟକୁ ଯାଇ ତାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କ୍ଷତ ସେତେଟା ଗଭୀର ହୋଇନଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ଓ ଦିନେଶକୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲା କ୍ରାଇମବ୍ରାଞ୍ଚର ନିରୀକ୍ଷଣରେ ଥିବାରୁ କିଭଳି ଫାଷ୍ଟଟ୍ରାକ କୋର୍ଟରେ ବିଚାର ହେବ ଓ ସେଥିପାଇଁ ଆବଶ୍ୟକୀୟ ପ୍ରମାଣ ସଂଗ୍ରହକୁ ପୁଲିସ୍ ଗୁରୁତ୍ବ ଦେଉଛି। ତେଣୁ ରାଜ୍ୟ ଫରେନସିକ ସାଇନ୍ସ ଲାବ୍ରୋଟାରିର ୬ ଜଣିଆ ଟିମ୍ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଅମିତ ଶର୍ମା ୧୬ ବର୍ଷ ହେବ ଏହି ନାଁରେ ଝାରସୁଗୁଡ଼ାରେ ରହୁଥିବା ବେଳେ ଏହା ପୂର୍ବରୁ ସେ ଏକ ଭିନ୍ନ ନାଁରେ ରହୁଥିଲା। ଅମିତର ପ୍ରକୃତ ଘର ଉତ୍ତର ପ୍ରଦେଶରେ ହୋଇଥିବା ବେଳେ ସେ ହିନ୍ଦୁ ନୁହେଁ ବରଂ ଏକ ଭିନ୍ନ ସମ୍ପ୍ରଦାୟର। ସୁବର୍ଣ୍ଣପୁରର ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିବା ପୂର୍ବରୁ ସେ ଆଫିଡେଭିଟ୍ କରି ନିଜ ନାମ ପରିବର୍ତ୍ତନ କରିଥିବା ପୁଲିସ୍ ଆଗରେ କହିଛି। କେବଳ ସେତିକି ନୁହେଁ ପୁଲିସ୍ ମଧ୍ୟ ତା ନିକଟରୁ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଦ୍ବାରା ବ୍ୟବହାର ହେଉଥିବା କେତେକ ସାମଗ୍ରୀ ମଧ୍ୟ ଜବତ କରିଛି। ତେବେ କେଉଁ ପରିସ୍ଥିତିରେ ଅମିତ ନିଜର ନାଁ ବଦଳାଇଥିଲା ଓ ଏହା ପଛରେ ବି ଅପରାଧିକ କାହାଣୀ ରହିଛି କି?, ସେ ନେଇ ପୁଲିସ ଯାଞ୍ଚ କରୁଛି।