‘ସମ୍ବାଦ’ ପ୍ରତିଯୋଗିତା: ୧୮ରେ ଜୋନ୍‌ସ୍ତରୀୟ ବିତର୍କ, ସାରେଗାମା

ଭୁବନେଶ୍ବର: ‘ସମ୍ବାଦ’ର ୩୯ତମ ସ୍ବନକ୍ଷତ୍ର ଅବସରରେ ଆସନ୍ତା ୧୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି ବାର୍ଷିକ ଜୋନ୍‌ସ୍ତରୀୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା। ଉଭୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତାରେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ। ଏଥିପାଇଁ ଅନଲାଇନ୍ ‌ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ https://competition.sambad.in/ରେ ପଞ୍ଜୀକରଣ କରିପାରିବେ। ପ୍ଲେ ଷ୍ଟୋରରୁ ସମ୍ବାଦ ଆମ ଓଡ଼ିଶା ଆପ୍ ଡାଉନଲୋଡ କରି ମଧ୍ୟ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣରେ କୌଣସି ସମସ୍ୟା ଦେଖାଦେଲେ ପରୀକ୍ଷା କେନ୍ଦ୍ରକୁ ଆସି ଛାତ୍ରଛାତ୍ରୀମାନେ
ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିପାଇଁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆଣିବାକୁ ପଡ଼ିବ। ପ୍ରତିଯୋଗିତା ପରେ ପରେ କୃତୀ ପ୍ରତିଯୋଗୀଙ୍କୁ ଏଠାରେ ପୁରସ୍କୃତ କରାଯିବ। ସାରେଗାମା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଭଜନ ଓ ଲଘୁ ସଙ୍ଗୀତ ଗାଇପାରିବେ। ସେମାନଙ୍କୁ ବାଦ୍ୟଯନ୍ତ୍ରର ସହାୟତା ଯୋଗାଇ ଦିଆଯିବ।

କୌଣସି ଅଶ୍ଳୀଳ ଓ ଦ୍ବିଅର୍ଥବୋଧକ ଗୀତ ଗାଇପାରିବେ ନାହିଁ। ସେହିପରି ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ପ୍ରତିଯୋଗିତା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପ୍ରଦାନ କରାଯିବ। କେନ୍ଦ୍ରମାନଙ୍କର ତାଲିକା ଆସନ୍ତାକାଲି ‘ସମ୍ବାଦ’ରେ ପ୍ରକାଶ ପାଇବ। ଜୋନସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତିନି ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ପାଇଁ କୃତୀ ପ୍ରତିଯାଗୀଙ୍କୁ ପୁରସ୍କାର ବାବଦ ୧୦ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ପାଇଁ ୭ ହଜାର ୫୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ବାବଦ ୫ ହଜାର ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ପ୍ରତିଯୋଗିତା ସଂପର୍କରେ ଅଧିକ ସୂଚନା ପାଇଁ ନିୟମିତ ‘ସମ୍ବାଦ’ ପଢ଼ିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର