ଧର୍ମଶାଳା: ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ନୂଆବର୍ଷ ଅଭିନନ୍ଦନ ଜଣାଇବା ପାଇଁ ଶନିବାର ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ହୋଇଥିଲା। ଜାରକା ନିକଟ ନୂଆଗାଁସ୍ଥିତ ବିଜେଡି କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କାର୍ ଆଉ ବାଇକ୍ରେ ଭର୍ତ୍ତି ହୋଇଯାଇଥିଲା। ଶହଶହ ଲୋକ କାର୍ଯ୍ୟାଳୟ ପରିସରରେ ଭିଡ଼ ଜମାଇଥିଲେ। ଏଥିପାଇଁ ବହୁସମୟ ଧରି ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଏପରିକି କେତେକ ଲୋକ ଭିନ୍ନ ରାସ୍ତାଦେଇ ଯାତାୟାତ କରିଥିଲେ। ରାଜ୍ୟ ସରକାର ଜାନୁଆରି ମାସ ଓ ନୂଆବର୍ଷ ପାଇଁ କୋଭିଡ୍ ଗାଇଡଲାଇନ୍ ପାଳନକୁ କଡ଼ାକଡ଼ି କରିଥିବା ବେଳେ ଏଠାରେ କେହି କଟକଣାକୁ ଭୃକ୍ଷେପ କରିନଥିଲେ। ଅଧିକାଂଶ ଲୋକ ମାସ୍କ୍ ବ୍ୟବହାର କରିନଥିବା ବେଳେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିବା ଦେଖିବାକୁ ମିଳିଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଅନେକ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଫୁଲତୋଡ଼ା ଧରି ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅପେକ୍ଷା କରି ରହିଥିଲେ।
ପୂର୍ବରୁ ବିଧାୟକ ଜାନୁଆରି ୧ ତାରିଖରେ ଭୁବନେଶ୍ବରସ୍ଥିତ ବାସଭବନରେ ରହୁଥିବା ବେଳେ ନିର୍ଦ୍ଦିଷ୍ଟ ସଂଖ୍ୟକ ନେତା, କର୍ମୀ ଓ ଅଫିସର ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ସେଠାକୁ ଯାଉଥିଲେ। ଏବର୍ଷ ବିଧାୟକ ଜାରକାରେ ଥିବା ଖବର ପାଇ ଶହଶହ ଦଳୀୟ ନେତା, କର୍ମୀ, ଅଫିସର ଓ ଶୁଭେଚ୍ଛୁ ତାଙ୍କୁ ଭେଟକରି ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ଗହଳି କରିଥିବା ଦେଖିବାକୁ ମିଳିଥିଲା। ଫଳରେ ଆଜି ଦିନ ତମାମ୍ ଏଠାରେ ଗହଳି ଲାଗି ରହିଥିଲା। ସ୍ଥାନୀୟ ପୁଲିସ୍ ଜନସାଧାରଣଙ୍କୁ କୋଭିଡ୍ ନିୟମର ପାଠ ପଢ଼ାଉଥିବା ବେଳେ ଏଠାରେ କାହିଁକି ଚୁପ୍ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଏଠାରେ ପୁଲିସ୍ ନା ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା ନା କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/7-1.jpg)