ରାଉରକେଲା: ରାଜ୍ୟରେ ଶାସକ ଦଳ ବିଜେଡି ସମସ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହାତେଇବା ଏକ ପ୍ରକାର ନିଶ୍ଚିତ। କେବଳ ଜିଲ୍ଲା ପରିଷଦ ନୁହେଁ ସମସ୍ତ ବ୍ଲକ ଅଧ୍ୟକ୍ଷ ପଦ ନିଜ ଅକ୍ତିଆରରେ ରଖିବାକୁ ଆରମ୍ଭ କରି ଦେଇଛନ୍ତି ରଣ କୌଶଳ। ଏଥିରେ ପଛରେ ପଡ଼ିନି ବିଜେପି। ଜିଲ୍ଲା ପରିଷଦ ରଣକୌଶଳରୁ ଫେଲ୍ ମାରିବା ପରେ କିଛି ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ପଦ ହାତେଇବାକୁ ନେତା ଓ କର୍ମୀମାନେ ଲାଗିପଡିଛନ୍ତି। ଏଥିପାଇଁ ଉଭୟ ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା। ଅଧ୍ୟକ୍ଷ ପଦ ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ଯୋଗାଡ କରିବାରେ ଦୁଇ ଦଳ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଏବେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ବିଶ୍ରା ଓ ନୂଆଗାଁ ବ୍ଲକରେ।
ବିଶ୍ରା ବ୍ଲକର ମୋଟ ପଞ୍ଚାୟତ ସଂଖ୍ୟା ହେଉଛନ୍ତି ୧୪। ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ହେଉଛି ୮। ସେମିତି ନୂଆଗାଁ ବ୍ଲକରେ ମୋଟ ୨୦ ପଞ୍ଚାୟତ ରହିଛି। ପଞ୍ଚାୟତ ସମିତି ଗଠନ କରିବାକୁ ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ହେଉଛି ୧୧। ବିଜେଡି ଓ ବିଜେପି ଆବଶ୍ୟକ ମ୍ୟାଜିକ୍ ସଂଖ୍ୟା ଯୋଗାଡ କରିବାକୁ ଘୋଡା ବେପାର ଆରମ୍ଭ କରି ଦେଇଥିବା ନେଇ ଚର୍ଚ୍ଚା ହେଉଛି। ନିର୍ବାଚିତ ସମିତି ସଭ୍ୟସଭ୍ୟାଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ମୋଟା ଅଙ୍କର ଅଫର୍ ଦିଆଯାଉଛି। ଏତିକି ନୁହେଁ ଆଗାମୀ ଦିନରେ ସର୍ବାଧିକ କାମ ଦେବାର ଲୋଭ ମଧ୍ୟ ଦିଆଯାଉଛି।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନୂଆଗାଁ ବ୍ଲକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଆବଶ୍ୟକ ୧୧ ସମିତି ସଭ୍ୟ ସଭ୍ୟାଙ୍କୁ ବିଜେଡି ଏକାଠି କରି ସାରିଛି। ସେମାନଙ୍କ ପାଖରେ ଏବେ ୧୩ ସମିତି ସଭ୍ୟସଭ୍ୟା ରହିଛନ୍ତି। ଆହୁରି ୨ ସମିତି ସଭ୍ୟସଭ୍ୟାଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ନେତା ଭାବେ କଥାବାର୍ତ୍ତା ଚଳାଇଛନ୍ତି। ସମସ୍ତ ସମିତି ସଭ୍ୟସଭ୍ୟାଙ୍କ ମଧ୍ୟରୁ କିଛି ପୁରୀ ଓ ଆଉ କିଛିକୁ ରାଉରକେଲା ରେଲୱେ ଷ୍ଟେସନ ନିକଟସ୍ଥ ହୋଟେଲଗୁଡ଼ିକରେ ରଖାଯାଇଥିବା ଜଣାପଡିଛି। ଗତ ଦୁଇ ଦିନ ଧରି ଏମାନଙ୍କୁ ହୋଟେଲଗୁଡ଼ିକରେ ରଖାଯାଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସମିତି ସଭ୍ୟସଭ୍ୟାମାନେ ଯେମିତି ଅନ୍ୟ ଦଳକୁ ଡେଇଁ ନ ଯିବେ ସେଥିପାଇଁ ଦଳ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଜି ପାର୍ଟି ଅଫିସ୍ରେ ଏମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି। ସେପଟେ ନୂଆଗାଁ ବ୍ଲକ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ରେସ୍ରେ ଅନେକ ମହିଳା ରହିଛନ୍ତି। ଏମାନଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା। ଏଥିସହ ଅନ୍ୟ କିଛି ବିଜୟୀ ମହିଳା ସମିତି ସଭ୍ୟା ରହିଛନ୍ତି। ନେତା ଓ କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ନ ହେବାକୁ ଦଳ ଶେଷ ମୂହୂର୍ତ୍ତରେ ବ୍ଲକ ଅଧ୍ୟକ୍ଷା ପ୍ରାର୍ଥୀ ଘୋଷଣା କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇଛି।
ଅନୁରୂପ ଭାବେ ବିଶ୍ରା ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡି ଓ ବିଜେପି ମଧ୍ୟରେ ବି ଚାଲିଛି ଛକାପଞ୍ଝା। ଏଠି ମଧ୍ୟ ଉଭୟ ଦଳ ନିଜ ନିଜ ସପକ୍ଷରେ ମ୍ୟାଜିକ୍ ସଂଖ୍ୟା ପାଇଁ ସମିତି ସଭ୍ୟସଭ୍ୟାଙ୍କୁ ଲୋଭନୀୟ ଅଫ୍ର ଦେଉଥିବା ଚର୍ଚ୍ଚା ହେଉଛନ୍ତି। ନିର୍ବାଚିତ ହେବା ପରେ ୧୪ ପଞ୍ଚାୟତର କିଛି ସମିତି ସଭ୍ୟସଭ୍ୟାଙ୍କୁ ନିଜ ନିଜ ଅଞ୍ଚଳରେ ଦେଖିବାକୁ ମିଳୁନି।
ସେମାନେ ଏବେ କେଉଁଠି ? କୁଆଡେ ଯାଇଛନ୍ତି ? କେବେ ଫେରିବେ ? ଏମିତି ପ୍ରଶ୍ନର ଉତ୍ତର କେହି ଦେଇ ପାରୁ ନାହାନ୍ତି। ଏହି ବ୍ଲକର କିଛି ସମିତି ସଭ୍ୟସଭ୍ୟାଙ୍କୁ ପୁରୀରେ ହୋଟେଲରେ ରଖାଯାଇଥିବା ଶୁଣିବାକୁ ମିଳୁଛି। ଦଳୀୟ ନେତାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେମାନେ କିଛି ଜାଣି ନାହାନ୍ତି ବୋଲି ଉତ୍ତର ଦେଉଛନ୍ତି। ଏସବୁ ଭିତରେ ଆଗାମୀ ଦିନରେ ହେବାକୁ ଯାଉଥିବା ଦୁଇଟି ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ପଦ ହାତେଇବାରେ କିଏ ବାଜିମାତ୍ ମାରୁଛି, ତା’କ୍ ଉପରେ ସମସ୍ତଙ୍କ ନଜର ରହିଛି।