ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା: ମୁଖ୍ୟ ସାକ୍ଷୀ ରୋଷେୟା ସନ୍ତୋଷର ମୃତ୍ୟୁକୁ ନେଇ ପୁଲିସ ଡିଜିଙ୍କ ନିକଟରେ ଏତଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ରହସ୍ୟ ଆଜିକୁ ତିନି ବର୍ଷ ହେବା ସତ୍ବେ ପର୍ଦାଫାସ ହୋଇପାରିଲା ନାହିଁ। ଏ ଭିତରେ ପତ୍ନୀ ବନଜା ପଣ୍ଡା ହତ୍ୟାକାରୀମାନଙ୍କୁ କାଠଗଡାରେ ଛିଡା କରିବା ପାଇଁ ନିଜର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ଗତକାଲି କ୍ରାଇମବ୍ରାଞ୍ଚର ଡିଏସପି ଦେବବ୍ରତ ଚକ୍ରଙ୍କ ବିରୋଧରେ କ୍ରିମିନାଲ ଅପିଲ କଟକ ଜିଲ୍ଲା ଜଜ କୋର୍ଟରେ କରିଥିବା ଜଣାପଡିଛି। ତେବେ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ ସନ୍ତୋଷ ପାଣିଗ୍ରାହୀଙ୍କ ଗତ ଡିସେମ୍ବର ୨୦ ତାରିଖରେ ଅଚାନକ ମୃତ୍ୟୁ ସନ୍ଦେହଘେରରେ ରହିଥିବା ବନଜା ପୁଲିସ ଡିଜିଙ୍କୁ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ସନ୍ତୋଷକୁ ମୃତ୍ୟୁ ବେଳକୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଏହି ଯୁବକ ଜଣକ ଗତ ୨୦୧୯ ମସିହାରେ ତତ୍କାଳୀନ ଜିଲ୍ଲାପାଳଙ୍କ ଘରେ ରୋଷେୟା ଭାବେ କାମ କରୁଥିଲା। ଗତ ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଏବଂ ତାଙ୍କର ତିନି ସହଯୋଗୀ ମୋ ସ୍ବାମୀକୁ ହତ୍ୟା କରିଥିବା ଘଟଣା ସନ୍ତୋଷ ନିଜ ଆଖିରେ ଦେଖିଥିଲେ ବୋଲି ଦାବି କରିଛନ୍ତି। କିଛି ଦିନ ପରେ ସନ୍ତୋଷ ମୋ ଘରକୁ ଆସି ମୋତେ ସମସ୍ତ ହତ୍ୟା ଘଟଣା ବିଷୟରେ ପ୍ରକାଶ କରିଥିଲେ।

ମୋତେ ଜୀବନକୁ ବିପଦ ଥିବାରୁ ଏହି ଘଟଣା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ବୋଲି ମୋତେ ନିୟମ କରାଇଥିଲେ। ସନ୍ତୋଷ ତତ୍କାଳୀନ ଜିଲ୍ଲାପାଳ ସମେତ ଅନ୍ୟ ତିନି ସହଯୋଗୀଙ୍କ ଟାର୍ଗେଟରେ ଥିଲେ। ତେଣୁ ସନ୍ତୋଷ ସବୁବେଳେ ଚାପରେ ରହୁଥିଲେ। ଡିସେମ୍ବର ୧୯ରେ ଏସଡିଜେଏମ କଗନିଜେନସ୍ ନେବା ପରେ ଅର୍ଥାତ ତାର ପର ଦିନ ସନ୍ତୋଷର ଅଚାନକ ମୃତ୍ୟୁ ହୁଏ। ଏହି ଘଟଣା ଜାଣିବା ପରେ ଡିସେମ୍ବର ୨୪ ତାରିଖ ଦିନ ବନଜା ପଣ୍ଡା ମାଲକାନଗିରି ଏସପି, ଆଇଆଇସିଙ୍କୁ ଏତଲା ଦେଇଥିଲେ। ଏପରିକି କୋରାପୁଟ ଡିଆଇଜିଙ୍କୁ ମଧ୍ୟ ସନ୍ତୋଷର ସନ୍ଦେହଜନକ ମୃତ୍ୟୁକୁ ନେଇ ଏତଲା ଦେଇଥିଲେ । ଆଜି ପର୍ଯ୍ୟନ୍ତ ଏହି ଏତଲାର କୌଣସି ପଦକ୍ଷେପ ନିଆଯାଇ ନାହିଁ।ଏଣୁ ଏହି ମୃତ୍ୟୁର ତଦନ୍ତ କକଲେ ଉଚିତ ନ୍ୟାୟ ମିଳିପାରିବ ବୋଲି ବନଜା ପଣ୍ଡା ପୁଲିସ ଡିଜିଙ୍କୁ ଲେଖିଥିବା ଏତଲାରେ ଦର୍ଶାଇଛନ୍ତି। ତେବେ ସନ୍ତୋଷର ମୃତ୍ୟୁ କଗନିଜେନସ ମିଳିବାର ଗୋଟିଏ ଦିନ ପରେ ହେବା ଘଟଣାକୁ ଆହୁରି ଦୃଢ଼ୀଭୁତ କରୁଛି। ତେଣୁ ତଦନ୍ତ ହେଲେ ଏହାର ସତ୍ୟାସତ୍ୟ ପଦାକୁ ଆସିବ। ବନଜା ପଣ୍ଡା ନିଜ ସ୍ବାମୀଙ୍କର ମୃତ୍ୟୁର ପର୍ଦାଫାସ କରିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ନଦେଲା ପର୍ଯ୍ୟନ୍ତ ଚୁପ ରହିବେ ନାହିଁ ବୋଲି କହିଛନ୍ତି। ତାଙ୍କୁ ଉଚିତ ନ୍ୟାୟ ମିଳିବା ନେଇ ମଧ୍ୟ ସେ ଆଶା ପ୍ରକଟ କରନ୍ତି। ତେବେ ତାଙ୍କୁ କେବେ ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର