ଭୁବନେଶ୍ୱର,: ବିଜେପୁର ଉପନିର୍ବାଚନ ଏବେ ବିଜେଡି, ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ଉଭୟ ଦଳ ହାଇପ୍ରୋଫାଇଲ୍ ପ୍ରଚାର କରୁଛନ୍ତି। ବଡ଼ ବଡ଼ ନେତାଙ୍କୁ ପ୍ରଚାରରେ ସାମିଲ୍ କରାଇଛନ୍ତି। କିନ୍ତୁ ଉଭୟ ଦଳ ପରସ୍ପରର ଗହି ଖୋଲିବାର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ପ୍ରସ୍ତୁତ ନାହାନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଏକ ଡଜନ ଅଭିଯୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇସାରିଲେଣି। ଉଭୟ ଦଳର ଅଭିଯୋଗ କେବଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ସୀମିତ ହୋଇ ରହି ନାହିଁ। ନୂଆଦିଲ୍ଲୀ ଯାଏଁ ବି ଲମ୍ବିଛି। ଉଭୟ ଦଳ ଥରେ ଲେଖାଏଁ ନିର୍ବାଚନ କମିସନ୍ଙ୍କୁ ଭେଟି ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି। ବିଜେପୁରରେ ରାଜନୈତିକ ପରିବେଶ ସରଗରମ ଥିଲା ବେଳେ ରାଜଧାନୀରେ ବିଜେପି ଓ ବିଜେଡିର ଏମିତି ଆରୋପ-ପ୍ରତ୍ୟାରୋପ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଦେବାରେ ବିଜେଡି ଠାରୁ ବିଜେପି ପାଦେ ଆଗରେ ରହିଛି। ବିଜେପି ଏ ଯାଏଁ ୭ଟି ଲିଖିତ ଅଭିଯୋଗ ଦେଇଥିଲା ବେଳେ ବିଜେଡି ଦେଇଛି ୫ଟି। ଗତ ମାସ ୨୯ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଜିଲ୍ଲାପାଳ, ଏସ୍ପି ଓ ଆଇଆଇସିଙ୍କୁ ବଦଳାଇବା ପାଇଁ ବିଜେପି ପ୍ରଥମେ ଅଭିଯୋଗ କରିଥିଲା। ଠିକ୍ ତା’ ପରଦିନ ଅର୍ଥାତ ୩୦ ତାରିଖରେ ନୂଆଦିଲ୍ଲୀରେ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିସନ୍ଙ୍କୁ ଏହି ପ୍ରସଙ୍ଗରେ ଦାବିପତ୍ର ପ୍ରଦାନ କରିଥିଲେ। ୮ ତାରିଖରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଭୋଟର୍ଙ୍କୁ ପ୍ରଲୋଭନ ନେଇ ଦଳ ଅଭିଯୋଗ ଆଣିଲା। ତାହା ପର ଦିନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିରୋଧରେ ଅଭିଯୋଗ ହେଲା। ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ବିଜେଡି ପାଇଁ କାମ କରୁଥିବା ନେଇ ବିଜେପି ଫେରାଦ ହେଲା। ୧୨ ତାରିଖରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଶାସକ ଦଳ ବିଧାୟକଙ୍କ ଉପସ୍ଥିତିରେ ଚେକ୍ ପ୍ରଦାନ କରାଯାଉଥିବା ନେଇ ବିଜେପି ଅଭିଯୋଗ କଲା। ଆଜି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିରୋଧରେ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛି।
ଉପନିର୍ବାଚନ ପରିପ୍ରେକ୍ଷୀରେ ୭ ତାରିଖରେ ବିଜେଡି ପ୍ରଥମ ଲିଖିତ ଅଭିଯୋଗ ଆଣିଲା। ବିଜେପିର ଜଣେ କର୍ମୀ ଫେସ୍ବୁକ୍ରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ନେଇ ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଲା। ୮ ତାରିଖରେ ପୁଣି ଦଳ ଏକ ଦାବିପତ୍ର ପ୍ରଦାନ କଲା। ନିର୍ଦ୍ଧାରିତ ସମୟରେ ତାରକା ପ୍ରଚାରକଙ୍କ ତାଲିକା ଦେଇ ନ ଥିବାରୁ ଆଉ ଗ୍ରହଣ ନ କରିବା ପାଇଁ ଦଳ ଦାବି କଲା। କିନ୍ତୁ ସେହିଦିନ ସନ୍ଧ୍ୟାରେ ବିଜେପିର ତାରକା ପ୍ରଚାରକ ତାଲିକା ଗଣମାଧ୍ୟମକୁ ମିଳିଲା। ନୂଆଦିଲ୍ଲୀରେ ଏହି ତାଲିକା ୫ ତାରିଖରେ ଦିଆଯାଇଛି ବୋଲି ବିଜେପି ପକ୍ଷରୁ ସୂଚନା ଦିଆଗଲା। କିନ୍ତୁ ଏହାକୁ ବିଜେଡି ଗ୍ରହଣ କଲାନି। ୯ ତାରିଖରେ ଦଳର ତିନି ଜଣ ସାଂସଦ ନୂଆଦିଲ୍ଲୀରେ ନିର୍ବାଚନ କମିସନର୍ଙ୍କୁ ଭେଟି ଏହି ପ୍ରସଙ୍ଗରେ ଫେରାଦ ହେଲେ। ସେହିଦିନ ବିଜେଡିର ଆଉ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ଏକ ଅଡିଓ ଡିଭିଡି ଉପରେ ଆପତ୍ତି ଉଠାଇଲେ। ୧୨ ତାରିଖରେ ବିଜେଡି ପକ୍ଷରୁ ଓଟିଭି ବିରୋଧରେ ବିଜେପୁର ଉପନିର୍ବାଚନ ଖବର ପରିବେଷଣରେ ପକ୍ଷପାତିତା ନେଇ ଲିଖିତ ଅଭିଯୋଗ କରାଗଲା। ଡଜନେ ଅଭିଯୋଗ ହୋଇଥିଲେ ବି କେବଳ ଗୋଟିଏ ଅଭିଯୋଗ ଉପରେ ନିର୍ବାଚନ କମିସନ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିସନ୍ଙ୍କ ନିର୍ଦ୍ଦେଶ ଆଧାରରେ ବରଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସେଠାରୁ ହଟାଇଦିଆଯାଇଛି। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି। ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଅଭିଯୋଗ ଲମ୍ବା ତାଲିକା ରଖୁଥିଲା ବେଳେ କଂଗ୍ରେସ ଏହି ପ୍ରକ୍ରିୟାରେ ପଛରେ ପଡ଼ିଯାଇଛି। ଏପରିକି ଦଳ ତା’ର ତାରକା ପ୍ରଚାରକ ତାଲିକା ବି ନିର୍ବାଚନ ଅଧିକାରୀଙ୍କୁ ଦେଇପାରି ନାହିଁ।