ସାନିଟାରି ନାପକିନ୍ କିଣାରେ ଅନିୟମିତତା ଅଭିଯୋଗ: ସ୍ବାସ୍ଥ୍ୟ ସଚିବ, ମେଡିକାଲ କର୍ପୋରେସନ୍ ଅଧ୍ୟକ୍ଷଙ୍କୁ ନୋଟିସ୍‌

ମାର୍ଚ୍ଚ ୪ରେ ପରବର୍ତ୍ତୀ ଶୁଣାଣି

କଟକ: ‘ଖୁସି’ ଯୋଜନା ପାଇଁ ସାନିଟାରି ନାପକିନ୍ କିଣାରେ ଅନିୟମିତତା ଅଭିଯୋଗ ସଂପର୍କିତ ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୪କୁ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟଙ୍କ ୨୦୧୯ ଡିସେମ୍ବର ୨ର ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଆବେଦନକାରୀ କେଦାରନାଥ ସାହୁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ‘ଖୁସି’ ଯୋଜନାରେ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପକିନ୍ ପ୍ରଦାନ ପାଇଁ ସରକାର ୨୦୧୮ରେ ଘୋଷଣା କରିଥିଲେ। ଏଥିପାଇଁ ସରକାର ଘରୋଇ ସଂସ୍ଥା ନିକଟରୁ ସାନିଟାରି ନାପକିନ୍ ଖରିଦ କରୁଥିଲେ। ନାପକିନ୍ କିଣାରେ ବ୍ୟାପକ ଅନିୟମିତତା ନେଇ ଆବେଦନକାରୀ ୨୦୧୯ ନଭେମ୍ବର ୫ରେ ଅଭିଯୋଗ କରିଥିଲେ। ଏ ନେଇ ସେ ହାଇକୋର୍ଟରେ ପରବର୍ତ୍ତୀ ସମୟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ୨୦୧୯ ଡିସେମ୍ବର ୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ୬ ସପ୍ତାହ ଭିତରେ ଆବେଦନକାରୀଙ୍କ ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ ସ୍ବାସ୍ଥ୍ୟ ସଚିବ ତଥା ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ଲିମିଟେଡ୍ (ଓଏସ୍‌ଏମସିଏଲ୍) ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବାସ୍ଥ୍ୟ ସଚିବ ତଥା ଓଏସଏମସିଏଲ୍‌ ଅଧ୍ୟକ୍ଷ କୌଣସି ନିଷ୍ପତ୍ତି ଗ୍ରହଣ କରି ନଥିଲେ। ଏପରି ପରିସ୍ଥିତିରେ ଆବେଦନକାରୀ ପୂର୍ବ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ମାମଲାରେ ସ୍ବାସ୍ଥ୍ୟ ସଚିବ ତଥା ଓଏସଏମସିଏଲ୍‌ ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର