ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ

ଧର୍ମେନ୍ଦ୍ରଙ୍କ ଗତିବିଧି ଉପରେ ନଜର ରଖିବାକୁ ବିଜେଡିର ଦାବି, ବିଜେପିର ଅଭିଯୋଗ, ଭୋଟର୍‌ଙ୍କୁ ବିଜେଡି ଖୋଲାଖୋଲି ଟଙ୍କା ବାଣ୍ଟୁଛି

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଘମାଘୋଟ ପ୍ରଚାର ଚାଲିଥିଲା ବେଳେ ରାଜଧାନୀରେ ଉଭୟ ଦଳ ପରସ୍ପର ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ସିସିଟିଭି ମାଧ୍ୟମରେ ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ରାତ୍ରି ରହଣୀ ଉପରେ ନଜର ରଖିବାକୁ ଗତକାଲି ବିଜେପି ଦାବି କରିଥିଲା ବେଳେ ଆଜି ବିଜେଡି ସମାନ ରାସ୍ତାରେ ଯାଇଛି। ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟି ସିସିଟିଭି ଜରିଆରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଦାବି କରିଛନ୍ତି। ବିଜେପି ବି ଅଭିଯୋଗରେ ଆଜି ପଛରେ ପଡ଼ି ନାହିଁ। ଶାସକ ବିଜେଡି ଭୋଟର୍‌ଙ୍କୁ ଖୋଲାଖୋଲି ଟଙ୍କା ବାଣ୍ଟୁଛି ବୋଲି ଦଳ ଅଭିଯୋଗ କରିଛି। ବିଜେଡି ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛତିଶଗଡ଼, ଏଲ୍‌ପିଜି ବିତରକ, ପେଟ୍ରୋଲ ପମ୍ପ ମାଲିକଙ୍କ ଠାରୁ ବହୁ ଟଙ୍କା ବିଜେପୁର ଆଣି ଭୋଟର୍‌ଙ୍କୁ ପ୍ରଲୋଭନ ଦେଖାଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ଉଦ୍ୟମ କରୁଛନ୍ତି। ବିଜେପି ସମର୍ଥକଙ୍କ ଠାରୁ ବିଭିନ୍ନ ଗାଡ଼ିରେ ଆସୁଥିବା ବହୁଳ ପରିମାଣରେ ଟଙ୍କା ଜବତ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଉଛି। ପୁଲିସ୍‌ ବି ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମଧ୍ୟରେ ଥିବା ସୁସମ୍ପର୍କ ଦିନକୁ ଦିନ ସ୍ପଷ୍ଟ ହେଉଛି। ଉପନିର୍ବାଚନ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ପ୍ରଚାର ସମୟରେ ସିସିଟିଭି ଜରିଆରେ ଶ୍ରୀ ପ୍ରଧାନଙ୍କ ଗତିବିଧି ଉପରେ ନଜର କରିବା ସହ ତାଙ୍କ ଗାଡ଼ିଗୁଡ଼ିକ ବିଭିନ୍ନ ସମୟ ବ୍ୟବଧାନରେ ଯାଞ୍ଚ୍‌ କରି ଟଙ୍କା ଯାଉ ନ ଥିବା ସୁନିଶ୍ଚିତ କରିବାକୁ ଦଳ ଦାବି କରିଛି।

ବିଜେପି ପକ୍ଷରୁ ଆଜି ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, ଶାସକ ବିଜେଡିର ମନ୍ତ୍ରୀ, ବିଧାୟକମାନେ ନିର୍ବାଚନ ଆଚରଣବିଧିକୁ ଖୋଲାଖୋଲି ଉଲ୍ଲଂଘନ କରି ଭୋଟର୍‌ଙ୍କୁ ପ୍ରଭାବିତ କରିବାର ହୀନ ପ୍ରୟାସ କରୁଛନ୍ତି। ଟଙ୍କା ବାଣ୍ଟିବା ପାଇଁ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ଆୟୁଧ କରାଯାଉଛି। ଏପରିକି ଗୃହ ଓ ପୁଲିସ୍‌ ବିଭାଗର ଅଧିକାରୀମାନଙ୍କ ସରକାରୀ ଗାଡ଼ିରେ ବେଆଇନ୍‌ ଭାବେ ଟଙ୍କା ଚାଲାଣ ହେଉଛି। ଏପରି ସ୍ଥିତିରେ ମୁକ୍ତ-ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଅଧିକାରୀ ଦୃଢ଼ ପଦକ୍ଷେପ ନେବାକୁ ଦଳ ଦାବି କରିଛି। ଏହା ସହ ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ଗାଇସିଲେଟ୍‌ ବ୍ଲକ୍‌ର ଗୌରେନମୁଣ୍ଡା ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଆସିବା ପାଇଁ ଗ୍ରାମବାସୀଙ୍କୁ ପ୍ରଲୋଭିତ କରିବାକୁ ୨ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେଉଥିବାର ଏକ ଭିଡିଓ ସିଡି ବିଜେପି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶାସକ ଦଳ ଚାପରୁ ମୁକ୍ତ ରହି ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାକୁ ଦଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର