ନ୍ୟାୟ ପାଇଁ ଥାନା ପରିସରରେ ପୁଲିସ ଅଧିକାରୀଙ୍କ ପାଦ ଧରି ନେହୁରା ହେବା ସହ ଆତ୍ମାହୁତି ଉଦ୍ୟମ କଲେ ଅଭିଯୋଗକାରୀ

ଅଭିଯୁକ୍ତଙ୍କୁ ନିଜ ଗାଡ଼ିରେ କୋର୍ଟଚାଲାଣ, ପୁଲିସ ସମ୍ମୁଖରେ ଅଭିଯୋଗକାରୀଙ୍କୁ ହତ୍ୟା ଧମକ

ଦଶରଥପୁର : ମଙ୍ଗଳପୁର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଅନୁକମ୍ପା‌ ଦେଖାଇଛି। ଅଭିଯୁକ୍ତମାନେ ନିଜ ଗାଡ଼ିରେ କୋର୍ଟଚାଲାଣ ହେବାର ସୁଯୋଗ ଦେଇଛି। ଅଭିଯୋଗକାରୀ ଥାନା ପରିସରରେ ଅଧିକାରୀଙ୍କ ‌ଗୋଡ଼ ଧରି ନ୍ୟାୟ ପାଇଁ ନେହୁରା ହେବା ସହିତ ଆତ୍ମାହୁତି ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ଗତ ୧୩ ତାରିଖ ଦଶରଥପୁର ବ୍ଲକ୍ ଚଷାଖଣ୍ଡ ପଞ୍ଚାୟତରେ କରିଆଙ୍କ ଗ୍ରାମର ଯୁବକ ମାନସ ଦାସଙ୍କ ଉପରେ ମାଣିକେଇ ଛକରେ ପ୍ରାଣାନ୍ତକ ଆକ୍ରମଣ କରିବା ସହ ପୂର୍ବତନ ସରପଞ୍ଚ ମହେନ୍ଦ୍ର ଧଳଙ୍କୁ ଚଷାଖଣ୍ଡ ସରପଞ୍ଚ ମନୋରମା ମହାନ୍ତିଙ୍କ ଶଶୁର ଓ ୨ଜଣ ଦିଅର ଆକ୍ରମଣ କରିଥିଲେ। ଏହି ଘଟଣାରେ ପୁଲିସ କେସ ନମ୍ବର ୧୨୯/୨୧ରେ ଦଫା ୩୪୧/୨୯୪/୩୨୩/୩୨୫/୩୭୯/୫୦୬ ଓ ୩୪ ଆଇପିସିରେ ମାମଲା ରୁଜୁ କରି ଶଶୁର ରବୀନ୍ଦ୍ର ମହଲାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି ଅଭିଯୁକ୍ତ ୨ଜଣ ଦିଅର ଗଣେଶ ମହଲା(୩୨) ଓ ଆଶିଷ ମହଲା(୩୦)ଙ୍କୁ ସମାନ କେସରେ ୩୪୧/୨୯୪/୩୨୩/୩୨୫/୩୦୭/୫୦୬/ ଓ ୩୪ ଆଇପିସିରେ କୋର୍ଟଚାଲାଣ କରିଛି। ପୁଲିସ ଭ୍ୟାନରେ ମଙ୍ଗଳପୁର ଥାନାରୁ ଯାଜପୁର ଯିବା ବାଟରେ ବଉଳାଙ୍ଗ ଛକ ନିକଟରେ ଗାଡ଼ି ବଦଳାଇ ଅଭିଯୁକ୍ତଙ୍କୁ ତାଙ୍କ ନିଜ ବୋଲେରୋ ଗାଡ଼ିରେ ଯାଜପୁର କୋର୍ଟକୁ ପଠାଇଥିଲା। ଗାଡ଼ି ବଦଳାଇବା ଘଟଣାକୁ ଅଭିଯୋଗକାରୀ ମାନସ ଓ ମହେନ୍ଦ୍ର ପ୍ରତିବାଦ କରିଥିଲେ। ପୁଲିସ ଉପସ୍ଥିତିରେ ସରପଞ୍ଚଙ୍କ ସ୍ୱାମୀ ଓ ବୋଲେରୋ ଚଲାଉଥିବା ଅନ୍ୟ ଜଣେ ଦିଅର ଅଭିଯୋଗକାରୀଙ୍କୁ ହତ୍ୟା ଧମକ ଦେଇଥିଲେ।

ଅଭିଯୋଗକାରୀମାନେ ନ୍ୟାୟ ପାଇବା ପାଇଁ ମଙ୍ଗଳପୁର ଥାନା ସମ୍ମୁଖରେ ଏସ୍‌ଆଇଙ୍କ ପାଦ ତଳେ ପଡ଼ିବା ସହ ଦେହରେ ପେଟ୍ରାଲ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀ ପେଟ୍ରୋଲ ଓ ଲାଇଟରକୁ ଛଡ଼ାଇ ନେଇଥିଲେ। ନ୍ୟାୟ ନପାଇବାଯାଏ ଥାନା ସାମ୍ନାରେ ବସି ରହିବାକୁ ଜିଦ୍ ଧରିଥିଲେ। ମଙ୍ଗଳପୁର ଥାନା ଆଇଆଇସି ଅସିତ୍ ରଂଜନ ମହାନ୍ତିଙ୍କ ଅନୁପସ୍ଥିତ ଥିବାରୁ ବିଞ୍ଚାରପୁର ଥାନା ଆଇଆଇସି ନିରଂଜନ ଶବର ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭଯୋଗକାରୀଙ୍କଠାରୁ ସଂପୂର୍ଣ୍ଣ ଘଟଣା ଶୁଣିବା ପରେ ଆଜି ହତ୍ୟା ଧମକ ଘଟଣାର ଆଉ ଏକ ଏତଲା ଗ୍ରହଣ କରିଥିଲେ। ଏନେଇ କେସ ନମ୍ବର ୧୩୩/୨୧ ରେ ଦଫା ୩୪୧/୨୯୪/୫୦୬ ଓ ଆର୍ମସ୍ ଆକ୍ଟ୨୫ ଓ ୨୭ ରେ ସରପଞ୍ଚଙ୍କ ସ୍ୱାମୀ ସୁବାସ ମହଲାଙ୍କ ନାମରେ ମାମଲା ରୁଜୁ କରିଥିଲା। ଥାନା ଗାଡ଼ିକୁ ବଦଳାଇ ଅଭିଯୁକ୍ତଙ୍କୁ ନିଜ ଗାଡ଼ିରେ କୋର୍ଟଚାଲାଣ କରିବା ନିନ୍ଦନୀୟ ଘଟଣା ବୋଲି ସେ କହିଥିଲେ। ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ଶବର କହିଥିଲେ।

ସମ୍ବନ୍ଧିତ ଖବର