ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ! ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରିବାରୁ ଥାନାରେ ପଶି ପୀଡ଼ିତାଙ୍କୁ ମାଡ଼

ଭବାନୀପାଟଣା/ ମଦନପୁର ରାମପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଆବେଦନ କରିଥିବା ଜଣେ ଦଳିତ ଯୁବତୀଙ୍କୁ ସରପଞ୍ଚ ଶାରୀରିକ ସଂପର୍କ ପାଇଁ ବାଧ୍ୟ କରିବା ସହ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିବା , ଏ ସଂପର୍କରେ କାହାକୁ କହିଲେ ତାଙ୍କୁ ଓ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ଏବଂ ଏ ସଂପର୍କରେ ଥାନା‌ରେ ଅଭି‌ଯୋଗ କରିବାରୁ ସରପଞ୍ଚଙ୍କ ସମର୍ଥକମାନେ ଥାନା ଭିତରେ ପଶି ପୀଡ଼ିତା ଯୁବତୀଙ୍କୁ ମାଡ଼ ମାରିବା ଘଟଣା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶାସକ ଦଳ ସମର୍ଥକ ଓ କର୍ମୀଙ୍କ ଏହି ଦବଙ୍ଗଗିରି ବେଳେ ଥାନାରେ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ମୂକ ଦର୍ଶକ ପାଲଟିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ଜଣେ ଯୁବତୀଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା। ଯୁବତୀଙ୍କ ବାପା ମା ଗୁଜରାଟର ରାଜକୋଟକୁ ଦାଦନ ଖଟିବାକୁ ଯାଇଛନ୍ତି। ଘରେ କେବଳ ୪ ଭାଇ ଭଉଣୀ ରହନ୍ତି। ଘର ଭାଙ୍ଗିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନିମନ୍ତେ ସେମାନେ ସାଲେପାଲି ପଞ୍ଚାୟତରେ ଆବେଦନ କରିଥିଲେ। ଯୁବତୀଙ୍କ ଅଭିଯୋଗ ଯେ, ସରପଞ୍ଚ ରମେଶଚନ୍ଦ୍ର ସାହୁ ଘର ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ସର୍ତ୍ତ ରଖିଥିଲେ। ବିଭିନ୍ନ ସମୟରେ ଯୁବତୀଙ୍କୁ ଫୋନ୍‌ କରି ହଇରାଣ କରୁଥିଲେ। ବାଟରେ ଦେଖିଲେ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଗତ ଅକ୍ଟୋବର ୧୮ ତାରିଖରେ ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବା ସମୟରେ ସରପଞ୍ଚ ତାଙ୍କ ଘରକୁ ଯାଇ ତାଙ୍କୁ ଯୌନ ନିର୍ଯାତନା ଦେବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ କୌଣସି ପ୍ରକାରେ ନିଜକୁ ବଞ୍ଚାଇ ଘର ବାହାରକୁ ପଳାଇ ଆସିବା ପରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଯୁବତୀ ଜଣଙ୍କ ମଦନପୁର ରାମପୁର ଥାନାରେ ବୁଧବାର ଲିଖିତ ଅଭିଯୋଗ କରିଥିଲେ।

ଏତଲା ପାଇବା ପରେ ମଦନପୁର ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ  ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସରପଞ୍ଚ ଶ୍ରୀସାହୁଙ୍କୁ ପୁଲିସ ଅଟକ ରଖି ଜେରା କରୁଛି ବୋଲି ଥାନା ଅଧିକାରୀ ଶ୍ରୀ ମାଝୀ ଆଜି ପ୍ରକାଶ କରିଥିଲେ। ପୁଲିସ ଏସ୍‌ଡିପିଓ ମଧ୍ୟ ଥାନାରେ ପହଞ୍ଚି ଯୁବତୀଙ୍କ ବୟାନ ରେକର୍ଡ କରିଥିଲେ ଓ ତଦନ୍ତ ତଦାରଖ କରୁଥିଲେ। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ଓ ତାଙ୍କୁ ଫସାଇବା ପାଇଁ ମିଥ୍ୟା ଅଭିଯୋଗ ଅଣାଯାଇଛି ବୋଲି ସରପଞ୍ଚ ଶ୍ରୀ ସାହୁ କହୁଥିବା ବେଳେ ପୁଲିସ ଏଫ୍‌ଆଇଆର୍‌ ନଂ ୦୧୯୫ ଦଫା ୩୪୧, ୩୫୪-ଏ, ୩୫୪-ବି, ୩୭୬, ୫୧୧, ଏଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଏସ୍‌ଡିପିଓ କହିଥିଲେ। ଏଭଳି ସ୍ଥିତିରେ ସରପଞ୍ଚଙ୍କ କେତେକ ସମର୍ଥକ ଥାନା ଭିତରେ ପଶି ପୁଲିସ କର୍ମୀଙ୍କ ସମ୍ମୁଖରେ ଅଭିଯୋଗକାରିଣୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର