କମାଣ୍ଡାଣ୍ଟ ଡିସିପି ବିଜୟ କୁମାର ସାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ

ଭୁବନେଶ୍ବର: ପୁଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ। ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଣ୍ଟ ଡିସିପି ବିଜୟ କୁମାର ସାହୁ। ଏପରିକି ଦାବି ମୁତାବକ ଝିଅ ଯୋଗାଇ ନ ଦେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିଲେ । ୨ ମାସ ଧରି ମାନସିକ ନିର୍ଯାତନା ପରେ ୨ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସିପାହୀ ଜଣକ। ଗୁରୁତର ସିପାହୀ ନିହାର ରଞ୍ଜନ ନାୟକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ କମିସନରେଟ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି ସିପାହୀଙ୍କ ପତ୍ନୀ ସୁନୀତା ଲେଙ୍କା।

ଆଭିଯୋଗ ଆନୁସାରେ, ଓଏସଏପି ସେଭେନଥ ବାଟାଲିୟନର ଫ୍ୟାମିଲି ୱେଲଫେୟାର ସେଣ୍ଟରରେ ଝିଅ ଓ ମହିଳାମାନଙ୍କୁ ଟେଲରିଂ ଶିଖାନ୍ତି ନିହାର। ସିପାହୀ ଜଣକ ଯେହେତୁ ଟେଲରିଂ ଦାୟିତ୍ୱରେ ଅଛନ୍ତି ତାଙ୍କ ଅଧୀନରେ ପୁଲିସ କର୍ମଚାରୀଙ୍କ ୨୩ ଜଣ ମହିଳା ବିଭିନ୍ନ ପ୍ରକାର ସିଲେଇ ଓ ହସ୍ତଶିଳ୍ପ କାମ ଶିଖିବାକୁ ଆସିଥାନ୍ତି। ତେବେ ଏହି ମହିଳା ଓ ଯୁବତୀଙ୍କୁ ଯୋଗାଇ ଦେବାପାଇଁ କମାଣ୍ଡାଂଟ୍ ଡିସିପି ବିଜୟ କୁମାର ସାହୁ ଦାବି କରୁଥିବା ଓ ରାଜି ନହେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗ ବାଢ଼ିଛନ୍ତି ସିପାହୀ ନିହାରଙ୍କ ପତ୍ନୀ । ମାମଲା ଥାନାରେ ପହଞ୍ଚିବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଆସିଥିବା ଅଭିଯୋଗ ଉପରେ କମାଣ୍ଡାଣ୍ଟ  ଡିସିପି ବିଜୟ କୁମାର ସାହୁଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର