ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ପିଏଙ୍କ ସଂଗୀନ ଅଭିଯୋଗ: ବାରମ୍ବାର ଗାଳିଗୁଲଜ, ଖରାପ ବ୍ୟବହାର କରୁଛନ୍ତି, କାମ କରିବା ମାନସିକ ସ୍ଥିତି ହରାଇଛି

ଥାନାରେ ଏତଲା ଦେଲେ ସ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ବିରୋଧରେ ତାଙ୍କର ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ସେ ତାଙ୍କ ସ୍ୱାମୀଙ୍କୁ ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଥିବା ଦର୍ଶାଇଛନ୍ତି ।

ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ କୁମାର ଭୋଇ ଓ ତାଙ୍କ ପତ୍ନୀ ସବିତା ନାୟକ ଖୋର୍ଦ୍ଧା ଟାଉନ ଥାନାରେ ପହଂଚିଥିଲେ । ଜିଲ୍ଲାପାଳଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ଜିଲ୍ଲାପାଳ ତାଙ୍କ ସ୍ୱାମୀଙ୍କୁ ଦିନର ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଖଟାଉଛନ୍ତି । ଜିଲ୍ଲାପାଳ କାର୍ଯ୍ୟାାଳୟରେ କାର୍ଯ୍ୟ କରିବା ପରିବର୍ତେ ଜିଲ୍ଲାପାଳଙ୍କ ବାସଗୃହ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି । ସେଠାରେ ନିୟୋଜିତ ରାନ୍ଧୁଣିଆ, ମାଳୀଙ୍କୁ ପରିଚାଳନା କରିବାକୁ କହୁଛନ୍ତି । ଓଡ଼ିଆ ଜାତିକୁ ସମାଲୋଚନା କରି ଗାଳିଗୁଲଜ କରୁଛନ୍ତି । ମାନସିକ ଚାପ ଯୋଗୁଁ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି । ରକ୍ତଚାପ ବୃଦ୍ଧି ପାଇଛି । ଯଦି ତାଙ୍କ ସ୍ୱାମୀଙ୍କ କିଛି ହୁଏ ତେବେ ଏଥିପାଇଁ ଜିଲ୍ଲାପାଳ ଦାୟୀ ରହିବେ ।

ପରେ ନିଜେ ହେମନ୍ତ ଭୋଇ ଥାନା ଆଗରେ ଗଣମାଧ୍ୟମକୁ କହିଛନ୍ତି ଯେ ଗତ ଦୁଇ ମାସ ଧରି ଜିଲ୍ଲାପାଳ ତାଙ୍କୁ ଖରାପ ବ୍ୟବହାର ଦେଖାଉଛନ୍ତି । ଏହାକୁ ନେଇ ସେ ମାନସିକ ଚାପରେ ଅଛନ୍ତି । ଆଜି ସକାଳେ ମଧ୍ୟ ରାନ୍ଧୁଣିଆ ନିଯୁକ୍ତିକୁ ନେଇ ଅନେକ ଗାଳିଗୁଲଜ କରିଥିଲେ । ସେ ଜିଲ୍ଲାପାଳଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତୁମେ ଓଡ଼ିଆ କିଛି ଜାଣିନ ଚାଲିଯାଅ ବୋଲି ଜିଲ୍ଲାପାଳ କହିଥିଲେ । ଫଳରେ ତାଙ୍କର ରକ୍ତଚାପ ହଠାତ୍ ବଢ଼ିଯାଇଥିଲା, ଚିକିତ୍ସାଳୟରେ ପହଂଚି ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଇଛନ୍ତି । ସେ ବର୍ତମାନ ଛୁଟିରେ ରହିବେ । ଜିଲ୍ଲାପାଳ ଯାହା ପଦକ୍ଷେପ ନେବେ ସେ ତାକୁ ସାମ୍ନା କରିବାକୁ ପ୍ରସ୍ତୁତ ।

ଅଭିଯୋଗ ପରେ ଟାଉନ ଥାନାରେ ଏସ୍‌ଡିପିଓ ଦିଲିପ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଉପଜିଲ୍ଲାପାଳ (ଭୁବନେଶ୍ୱର) ଦେବବ୍ରତ ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ ବିଷ୍ଣୁଚରଣ ସେଠୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ପ୍ରମୁଖ ପହଂଚିଥିଲେ । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଢ଼ୀ କହିଛନ୍ତି ଯେ ଅଭିଯୋଗ ହୋଇଥିବା କଥା ଜାଣିଛୁ, କିନ୍ତୁ କ’ଣ ପାଇଁ ଏଭଳି ଘଟିଲା ସେ ଜାଣନ୍ତି ନାହିଁ । ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀ, ଅଭିଯୋଗ କରିଥିବା ବ୍ୟକ୍ତି ମଧ୍ୟ ଜିଲ୍ଲାପ୍ରଶାସନର ଜଣେ କର୍ମଚାରୀ । ଏଣୁ କ’ଣ ଘଟିଛି ବୁଝିବା ପରେ ହିଁ କିଛି କୁହାଯାଇପାରିବ । ଆମେ ମଧ୍ୟ ଅନେକ ସମୟରେ ନିଜର ଅଧସ୍ତନ କର୍ମଚାରୀଙ୍କୁ ତାଗିଦ କରିଥାଉ, ଯଦି ଏହାକୁ ନେଇ କିଛି ଅସନ୍ତୋଷ ରହିଛି ତେବେ ଏନେଇ ଆଲୋଚନା କରାଯାଇପାରେ । ତେବେ ଏବେ ଏ ନେଇ ସେ କିଛି ନିର୍ଦ୍ଦିଷ୍ଟ ମତ ଦେଇପାରିବେ ନାହିଁ । ଏସ୍‌ଡିପିଓ ଦିଲିପ କୁମାର ଦାସ କହିଛନ୍ତି ଅଭିଯୋଗ ଗ୍ରହଣ ହୋଇଛି । ଅନୁସନ୍ଧାନ ଚାଲିଛି । ଅନୁସନ୍ଧାନ ପରେ ଯାହା କିଛି ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର